ଭୁବନେଶ୍ବର: ସହର ମଝି‌ରେ ଯାଇଥିବା ଦୟାୱେଷ୍ଟ କେନାଲର ପୁନରୁଦ୍ଧାର ପାଇଁ ଯୋଜନା ହେଉଛି। ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ କେନାଲ ଦୁଇପାଖରେ ଚଉଡ଼ା ରାସ୍ତା ନିର୍ମାଣ ପାଇଁ ମଧ୍ୟ ଯୋଜନା ହେଉଛି। ହେଲେ କାର୍ଯ୍ୟକାରୀ ହେଉନାହିଁ। କେଉଁଠି କେନାଲ ରାସ୍ତା ଜବରଦଖଲ ହୋଇଛି ତ କେଉଁଠି ସୁବିଧା ଥାଇ ମଧ୍ୟ ରାସ୍ତା ନିର୍ମାଣ ହେଉନାହିଁ। ତେବେ ବଡ଼ଗଡ଼ ଗ୍ରାମ ମଇଁଷିଖାଲରୁ ଚିଲ୍ଲିପୋଖରୀ ପର୍ଯ୍ୟନ୍ତ କେନାଲ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଯୋଜନା ହେଉଥିଲେ ହେଁ କାର୍ଯ୍ୟକାରୀ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଁଷିଖାଲଠାରୁ ଚିଲ୍ଲିପୋଖରୀ ପର୍ଯ୍ୟନ୍ତ ବିଜେବିନଗର ପାଖ ରାସ୍ତା ନିର୍ମାଣ ପାଇଁ ସେଠାରେ ଥିବା ବସ୍ତିର ପ୍ରାୟ ୫୦ ପରିବାରକୁ ଉଚ୍ଛେଦ କରାଯାଇଥିଲା। 

Advertisment

ଏଥିସହ ରାସ୍ତାରେ ଥିବା ସମସ୍ତ ଗଛ ଓ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତ୍‌ଖୁଣ୍ଟ ଉଠାଯାଇଥିଲା। ଏହି ୬୫୦ ମିଟର ରାସ୍ତା ପାଇଁ ପ୍ରାୟ ୫ କୋଟି ଟଙ୍କାର ଟେଣ୍ଡର ଡକାଯାଇଥିଲା। କିନ୍ତୁ ରସୁଲଗଡ଼(ପଳାଶୁଣୀ)ରୁ ସୁନ୍ଦରପଦାକୁ ବଡ଼ ପ୍ୟାକେଜ୍‌ରେ କରାଯିବ କୁହାଯାଇ ଏହି ଟେଣ୍ଡରକୁ ବାତିଲ କରାଗଲା। ବଡ଼ କାମ ହେବା ନେଇ ୧୦ ବର୍ଷ ହେବ ଯୋଜନା ହୋଇ ଅଧାରେ ଅଟକିଛି। ତେବେ ବଡ଼ କାମ ଅପେକ୍ଷାରେ ଏହି ୬୫୦ ମିଟର ରାସ୍ତା ବି ସଂଯୋଗ ହୋଇପାରୁନାହିଁ। ଚିଲ୍ଲିପୋଖରୀରୁ ମଇଁଷିଖାଲ ପର୍ଯ୍ୟନ୍ତ ୫୭ ନମ୍ବର ୱାର୍ଡରେ ଥିବା ତାରିଣୀ ବସ୍ତି କେନାଲ ରାସ୍ତା ଉପରେ ହିଁ ଗଢ଼ିଉଠିଛି। ପୂର୍ବରୁ ୨୬୪ ଘରକୁ ଥଇଥାନ କରିବା ପାଇଁ ହୋଇଥିବା ଯୋଜନା କାର୍ଯ୍ୟକାରୀ ହେଲାନାହିଁ କି ବସ୍ତି ଉଠାଗଲା ନାହିଁ। ସେହିପରି ଚିଲ୍ଲିପୋଖରୀରୁ ଗ୍ୟାରେଜ୍‌ ଛକ ପର୍ଯ୍ୟନ୍ତ ଡାହାଣପାଖ ରାସ୍ତା ଥିବା ବେଳେ ବାମ ପାଖରେ ଚିଲ୍ଲିପୋଖରୀ ବସ୍ତି କେନାଲ ବନ୍ଧ ଉପରେ ରହିଛି। ଏହାକୁ ମଧ୍ୟ ଉଠାଯାଇପାରୁନାହିଁ। ଅଧାରେ ଅଟକିଥିବା କେନାଲ ରାସ୍ତା ନିର୍ମାଣ ହେଉ ନଥିବାରୁ ରସୁଲଗଡ଼ରୁ ଆସୁଥିବା ଗାଡ଼ି ବଡ଼ଗଡ଼ରୁ କଟକରୋଡ୍‌ କିମ୍ବା ବଡ଼ଗଡ଼ ରାସ୍ତାକୁ ଯାଉଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି।  

କଟକ ରୋଡ୍‌ରେ ଭିଡ଼ କମାଇବା ପାଇଁ ଜାତୀୟ ରାଜପଥକୁ ହାଇଟେକ୍‌ ଛକ ନିକଟରୁ ବାଇପାସ୍‌ କରାଗଲା। ତଥାପି କଟକରୋଡ୍‌ରୁ ଭିଡ଼ କମୁନାହିଁ। ଏହାକୁ ଆଖିରେ ରଖି ରସୁଲଗଡ଼ରୁ ଗ୍ୟାରେଜ୍‌ ଛକ ପର୍ଯ୍ୟନ୍ତ ଦୟାୱେଷ୍ଟ କେନାଲର ଦୁଇ ପାର୍ଶ୍ବରେ କଂକ୍ରିଟ୍‌ ରାସ୍ତା ନିର୍ମାଣ କରିବା ପାଇଁ ପୂର୍ବ ସରକାରଙ୍କ ସମୟରେ ଯୋଜନା ହୋଇଥିଲା। ନିର୍ବାଚନ ପୂର୍ବରୁ ଚାରିଟି ପ୍ୟାକେଜ୍‌ରେ ରସୁଲଗଡ଼ରୁ ସୁନ୍ଦରପଦା ପର୍ଯ୍ୟନ୍ତ କାମ ହେବ ବୋଲି କୁହାଗଲା। ଦୁଇ ପାଖ ସର୍ଭେ ସହ ମୂଲ୍ୟ ଆକଳନ କରାଗଲା। କିନ୍ତୁ ଏବେ ବି ଯୋଜନାର ଭବିଷ୍ୟତ ଅସ୍ପଷ୍ଟ ହୋଇରହିଛି। 

ଏନେଇ ୫୭ ନମ୍ବର ୱାର୍ଡର କର୍ପୋ‌ରେଟର ସନ୍ତୋଷ କୁମାର ସିଂ କହିଛନ୍ତି ପୂର୍ବ ସରକାର ରାସ୍ତା ନିର୍ମାଣ କରିବା ପାଇଁ ସବୁ ଯୋଜନା କରିଥିଲେ। କିନ୍ତୁ ନୂଆ ସରକାର ଆସିବା ପରେ ସବୁ ଠପ୍‌ ହୋଇଯାଇଛି। ତୁରନ୍ତ ବସ୍ତିବାସିନ୍ଦାଙ୍କୁ ଥଇଥାନ ସହ ରାସ୍ତା ନିର୍ମାଣ ହେଲେ ହଜାର ହଜାର ଲୋକ‌ ଉପକୃତ ହେବେ। ଏନେଇ ପୂର୍ତ୍ତ ବିଭାଗର ଅଧିକାରୀ କହିଛନ୍ତି ବର୍ଷକ ‌ତଳେ ଟେଣ୍ଡର ବାତିଲ ହୋଇଛି। ଏବେ ସରକାରଙ୍କ ହାତରେ ନିଷ୍ପତ୍ତି। ସରକାର ଚାହିଲେ ତୁରନ୍ତ କାମ ହେବ।