ଭୁବନେଶ୍ବର: ସକାଳ ପହରୁ ଖରାଛାଇ ଖେଳ ଚାଲିଥିଲା। କେତେବେଳେ ଦେହ ପୋଡ଼ିଗଲା ଭଳି ଖରାହେଉଥିଲା ତ କେତେବେଳେ ଆକାଶରେ ବାଦଲ ଘୋଟିଆସି ଛାଇ କରୁଥିଲା। ଗୁଳୁଗୁଳି ନୟାନ୍ତ କରୁଥିଲା। କିନ୍ତୁ ସଂଧ୍ୟା ୫ଟା ବେଳକୁ ପାଗ ସମ୍ପୁର୍ଣ୍ଣ ବଦଳିଯାଇଥିଲା। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଘଡ଼ଘଡ଼ି ସହିତ ବର୍ଷା, ପବନ ଆରମ୍ଭ ହୋଇଯାଇଥିଲା।
ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ରର ସୂଚନା ଅନୁସାରେ ଆଜି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ବିଜୁଳି ଘଡ଼ଘଡ଼ି ସହ ୩୦ କିମି ବେଗରେ ପବନ ବହିଛି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବୋଲଗଡ଼ ସମେତ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପବନ ଦ୍ୱାରା ଭୁବନେଶ୍ବର ସହରର କେତେକ ଛକରେ ଖରା ପାଇଁ ତିଆରି ହୋଇଥିବା ସେଡ୍ ଭାଙ୍ଗି ଯାଇଛି। ସନ୍ଧ୍ୟା ସମୟରେ ଧୂଳିଝଡ଼ ହେବାରୁ ରାସ୍ତାରେ ଯାଉଥିବା ଲୋକେ ଯିଏ ଯେଉଁଠି ପାରିଲେ ସେଠାରେ ଅଟକି ରହିଯାଇଥିଲେ। ପବନ ଟିକେ କମିବା ପରେ ସ୍ଥିତିରେ ସୁଧାର ଆସିଥିଲା। ତୁହାକୁ ତୁହା ବିଜୁଳି ଘଡ଼ଘଡ଼ି ଦ୍ୱାରା ଲୋକେ ଭୟଭୀତ ହୋଇପଡ଼ିଥିଲେ। ଉଠାଦୋକାନୀଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। ବରମୁଣ୍ଡାରୁ ସିଆର୍ପି, ୟୁନିଟ୍-୮, ନୂଆପଲ୍ଲୀ, ଜୟଦେବବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ପୋଖରୀପୁଟ, ଜାଗମରା, ଲିଙ୍ଗରାଜବିହାର, ସୁନ୍ଦରପଦା ଅଞ୍ଚଳରେ ଆଦୌ ବର୍ଷା ହୋଇନାହିଁ। ରସୁଲଗଡ଼, ପଳାଶୁଣୀ, ବାଣୀବିହାର, ମଞ୍ଚେଶ୍ବର ପ୍ରଭୃତି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଛି। ପ୍ରାୟ ଅଧ ଘଣ୍ଟା ଧରି ସହରରେ ବର୍ଷା ହୋଇଛି। ଆକାଶରେ କଳାହାଣ୍ଡିଆ ମେଘ ଦେଖି ଅନେକ ଲୋକ ଅପରାହ୍ନରୁ ଦୋକାନ ବଜାର ବନ୍ଦ କରି ଦେଇଥିଲେ।
କାଳବୈଶାଖୀ ପ୍ରଭାବରେ ସହରରେ ତାତି କମିଛି। ଦିନର ତାପମାତ୍ରା ହ୍ରାସ ପାଇଛି। ଆଜି ଭୁବନେଶ୍ବରରେ ୩୫ ଡିଗ୍ରି ରହିଥିଲା ବେଳେ କଟକରେ ୩୩.୪ ଡିଗ୍ରି ଥିଲା। ଉଭୟ ସହରର ତାପମାତ୍ରା ସ୍ୱାଭାବିକଠାରୁ ପାଖାପାଖି ୩ ଡିଗ୍ରି କମ୍ ରହିଥିଲା। କାଳବୈଶାଖୀ ପ୍ରଭାବରେ କେତେକ ଅଞ୍ଚଳରେ ଗଛଡାଳ ଭାଙ୍ଗି ଯାଇଛି। ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସ୍ବାଭାବିକ ପରିବର୍ତ୍ତନ ରହିବ। ୪୦ ଡିଗ୍ରି ତଳକୁ ତାପମାତ୍ରା ରହିବା ସହ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/GXF6pQ0Hs8zYesJhygL1.jpg)