ଚାରିଆଡ଼େ ଲମ୍ବିଛି ଡି’ ବ୍ରଦର୍ସଙ୍କ ଚେର: ୭ ପିସ୍ତଲ, ୩୫ ଗୁଳି, ଇନୋଭା ଜବତ

ପିସ୍ତଲ କିଣି ଧରାପଡ଼ିଲେ ହୋମ୍‌ଗାର୍ଡଙ୍କ ସମେତ ୧୨

କଟକ: ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଯୋଜନାବଦ୍ଧ ଗ୍ୟାଙ୍ଗ ଗଢ଼ା ଅଭିଯାନରେ ସାମିଲ ଥିବା ୧୨ଜଣ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ଭିତରେ ପୁଲିସ ବିଭାଗର ଜଣେ ହୋମଗାର୍ଡ ବି ଅଛନ୍ତି। ଏ‌ମାନେ ଧଳସାମନ୍ତ ଗ୍ୟାଙ୍ଗ ସଦସ୍ୟଙ୍କଠାରୁ ପିସ୍ତଲ କିଣି ଥିବା ପ୍ରମାଣ ମିଳିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ୍‌ ୭ଟି ୯ଏମଏମ ପିସ୍ତଲ, ୩୫ ରାଉଣ୍ଡ ଗୁଳି, ମାଗାଜିନ, ଇନୋଭା କାର୍‌, ବାଇକ, ମୋବାଇଲ ଇତ୍ୟାଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ କିଛି ଦିନ ପୂର୍ବରୁ ଡି’ ବ୍ରଦର୍ସଙ୍କ ଖାସ୍‌ ସହଯୋଗୀ ବାବୁଆ ଓରଫ ପ୍ରକାଶ ବେହେରା ଓ ଶରତ ସେଠୀଠାରୁ ପିସ୍ତଲ ଓ ଗୁଳି କିଣିଥିଲେ। ଏହି ଅଭିଯୁକ୍ତମାନେ କଟକ ଓ ଜଗତ୍‌ସିଂହପୁର ଅଞ୍ଚଳର ହୋଇଥିବା ବେଳେ ଏହି ଗ୍ୟାଙ୍ଗର ଚେର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମାଡ଼ି ସାରିଥିବା ପୁଲିସ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୧ ତାରିଖ ଦିନ ଧଳସାମନ୍ତ ଗ୍ୟାଙ୍ଗର ୮ଜଣ ସହଯୋଗୀ ଧରା ପଡ଼ିଥିଲେ। ଗିରଫ ବ୍ୟକ୍ତିଙ୍କୁ ଜେରା କରିବା ପରେ ଡି’ ଗ୍ୟାଙ୍ଗର ଚୋରା ବନ୍ଧୁକ କାରବାର ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଥିଲା। ପୁଲିସ୍‌ ମର୍କତନଗରସ୍ଥିତ ଧଳସାମନ୍ତ ଭାଇଙ୍କ ଘରେ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ଘର ଭିତରେ ଲୁଚାଇ ରଖାଯାଇଥିବା ୧୬ଟି ଅତ୍ୟାଧୁନିକ ପିସ୍ତଲ ସହ ୧୦୫୫ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ଏହା ପରଠାରୁ ସହରରେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ରୋକିବା ଲାଗି କମିସନରେଟ ପୁଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ବଛାବଛା ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହିତ ଥାନାୱାରି ଧରାପଡ଼ିଥିବା ବନ୍ଧୁକ ବେପାରୀଙ୍କ ସୂଚନା ଆଧାରରେ ଚଢ଼ଉ ଆରମ୍ଭ ହୋଇଥିଲା। ପୁଲିସ୍‌ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ଚଢ଼ଉ କରିଥିଲା। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ସର୍ବାଧିକ ୯ ଜଣଙ୍କୁ ଗିରଫ କରିବା ସହ ୫ଟି ପିସ୍ତଲ, ୩୩ ରାଉଣ୍ଡ ଜୀବନ୍ତ ଗୁଳି ଓ କାର ଜବତ କରିଥିଲା। ଚାଉଳିଆଗଞ୍ଜ ଥାନା ପୁଲିସ ଜଗତସିଂହପୁର ବଡ଼ଦେଢ଼ିଲୋ ଗାଁର ଦିମା ଓରଫ ଅସିତ କୁମାର ଦାସ(୨୯), ଶାଳଜଙ୍ଗାର ପିଙ୍କୁ ଓରଫ ରାକେଶ ମଲ୍ଲିକ(୨୪) ଓ ଶାଳଗାଁର ସୂର୍ଯ୍ୟ ଓରଫ ସୂର୍ଯ୍ୟକାନ୍ତ ସ୍ବାଇଁ(୨୭)କୁ ଗିରଫ କରିଥିଲା।

ଏହି ଅଭିଯୁକ୍ତମାନଙ୍କଠାରୁ ୨ଟି ୯ଏମଏମ ପିସ୍ତଲ ସହ ୧୨ ରାଉଣ୍ଡ ଗୁଳି ଜବତ ହୋଇଛି। ସେହିପରି ମାଲଗୋଦାମ ଥାନା ପୁଲିସ ଜଗତସିଂହପୁର ଖଇରାଙ୍ଗ ଅଞ୍ଚଳର ବିଭୁ ଓରଫ ବ୍ରଜକିଶୋର ସ୍ବାଇଁ(୪୭), ଆଗର ଅଞ୍ଚଳର ବାବୁଲା ଓରଫ ରତ୍ନାକର ଦାସ(୪୦) ଓ ନୂଆଗାଁର ମଙ୍ଗ ଓରଫ ଧନଞ୍ଜୟ ସାହୁ(୩୨)କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ୯-ଏମଏମ ପିସ୍ତଲ ସହ ୯ ରାଉଣ୍ଡ ଗୁଳି ଓ ଗୋଟିଏ ଇନୋଭା କାର ଜବତ ହୋଇଛି। ସେହିପରି ଜଗତପୁର ଥାନା ପୁଲିସ ଜଗତସିଂହପୁର ବାଲିକୁଦାର ରାକା ଓରଫ ରାକେଶ ଦାସ(୨୪), ଗାଲୁଆପଦାର ଲିପୁ ରଫ ସ୍ମୃତିରଞ୍ଜନ ଦାସ(୩୭) ଓ ସିଙ୍ଗିପୁରର ଟିଟୁଆ ରଫ ଆଶିଷ କୁମାର ଜେନା(୨୪)କୁ ଗିରଫ କରିଛି। ଏମାନଙ୍କଠାରୁ ୨ଟି ୯-ଏମଏମ ପିସ୍ତଲ ସହ ୧୨ରାଉଣ୍ଡ ଗୁଳି ଜବତ ହୋଇଛି। ସେହିପରି ମର୍କତନଗର ଥାନା ପୁଲିସ ମଙ୍ଗଳାବାଗ ଘାସିଆ ସାହିର ସୁବ୍ରତ ସାମଲ(୨୪), ୪୨ ମୌଜାର ଲକି ଓରଫ ବିଶ୍ୱଜିତ ପଟ୍ଟନାୟକ(୧୯) ଓ ନିମ ସାହିର ରାଜା ଓରଫ ବିଶ୍ୱଜିତ ସାମଲ(୨୩)କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଏୟାର ଗନ, ୨ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ, ପଲସର ବାଇକ, ମୋବାଇଲ ଓ ନଗଦ ୧୨୫୦ ଟଙ୍କା ଜବତ ହୋଇଛି। ଚୋରାରେ ଅସ୍ତ୍ରଶସ୍ତ୍ର ଚାଲାଣ କରି ଧଳସାମନ୍ତ ଭାଇ ଗ୍ୟାଙ୍ଗର ଶକ୍ତି ବୃଦ୍ଧି କରିବା ଏବଂ ଆଗକୁ ଥିବା ପୌର ଓ ପଂଚାୟତ ନିର୍ବାଚନ‌ରେ ବଟି ଆଦାୟ କାରବାରକୁ ବ୍ୟାପକ କରିବା ଯୋଜନାରେ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର