ଜଟଣୀ: ସ୍ଥାନୀୟ ସୀତାରାମ ଛକସ୍ଥିତ କାହ୍ନା ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତାରେ ଅବସ୍ଥାରେ ରହିଛି। ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଥିବା ମୃତା ଯୁବତୀଙ୍କ ନାଁ ରଶ୍ମିତା ଏଡ୍‌ଲା(୨୩) ବୋଲି ଜଣାପଡ଼ିଥିଲେ ହେଁ ଠିକଣା ସ୍ପଷ୍ଟ ହୋଇପାରିନାହିଁ। ତେବେ ଗେଷ୍ଟ ହାଉସ୍‌ରେ ଦିଆଯାଇଥିବା ପରିଚୟ ପତ୍ର ଅନୁସାରେ ଯୁବତୀଙ୍କ ଘର ୟୁନିଟ୍-୬ ଆଖଣ୍ଡଳମଣି ବସ୍ତି ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ ଚଳାଇଛି। ଏଣେ ପୁରୁଷବନ୍ଧୁ ସ୍ମୃତିରଂଜନ ଜେନା ବି ଫେରାର୍ ହୋଇଯାଇଛି। ତେଣୁ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇପାରିନାହିଁ। ଆଜି ସକାଳୁ ପୁଲିସ ଗେଷ୍ଟ ହାଉସ୍‌ରେ ଝୁଲନ୍ତା ଶବକୁ ଜଗି ରହିଛି। ଆସନ୍ତାକାଲି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଛାନ୍‌ଭିନ୍‌ କରିବା ପରେ ଶବ ଜବତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପ୍ରେମ ପାଇଁ ଘର ଛାଡ଼ିବା ପରେ ପୁରୁଷବନ୍ଧୁ ସ୍ମୃତିରଂଜନ ଧୋକା ଦେଇଥିବାରୁ ରଶ୍ମିତା ଏଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ତେଣୁ ପୁରୁଷବନ୍ଧୁ କିମ୍ବା ରଶ୍ମିତାଙ୍କ ପରିବାର ଲୋକ ଆସିବା ପରେ ରହସ୍ୟ ଉପରୁ ପର୍ଦ୍ଦା ଉଠିବ ‌ବୋଲି ପୁଲିସ ସୂଚନା ଦେଇଛି।

Advertisment

ଗେଷ୍ଟ ହାଉସ୍‌ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ରଶ୍ମିତା ଓ ସ୍ମୃତିରଞ୍ଜନ(ଜଗତସିଂପୁର, ମାଛଗାଁ) ଏକାଠି ଆସିଥିଲେ। ସେମାନେ ନିଜର ପରିଚୟପତ୍ର ଦେଇ ୧୧୩ ନଂ ରୁମ୍‌ ବୁକ୍‌ କରିଥିଲେ। ରାତି ପ୍ରାୟ ୧୦ଟା ସମୟରେ ସ୍ମୃତିରଞ୍ଜନ ଖାଇବା ଆଣିବାକୁ ବାହାରକୁ ଯାଇଥିଲେ। କିନ୍ତୁ ଆଉ ହୋଟେଲକୁ ଫେରିନଥିଲେ। ଆଜି ସକାଳେ ସଫେଇ କର୍ମଚାରୀ ଉକ୍ତ ରୁମ୍‌ର କବାଟ ବାଡ଼େଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ କେହି ଭିତରୁ ଜବାବ ନ ନଦେବାରୁ ସେ ଫେରିଯାଇ ମ୍ୟାନଜରଙ୍କୁ ଜଣାଇଥିଲେ। ମ୍ୟାନେଜର୍‌ ଓ ଅନ୍ୟ କିଛି କର୍ମଚାରୀ ରୁମ୍‌କୁ ଯାଇ ଝରକା ବାଟେ ଦେଖିଲେ ‌ଯେ ରଶ୍ମିତା ଫ୍ୟାନ୍‌ରେ ଝୁଲୁଛନ୍ତି। ଠିକ୍‌ ଏତିକିବେଳେ ହିଁ ସ୍ମୃତିରଂଜନ ମ୍ୟାନେଜର୍‌ଙ୍କୁ ଫୋନ୍‌ କରିଥିଲେ। ସେ ଜରୁରୀ କାମରେ ଭୁବନେଶ୍ବର ଚାଲିଆସିଛନ୍ତି ଏବଂ ମାଡାମ୍‌(ରଶ୍ମିତା) ଫୋନ୍‌ ଉଠାଉନାହାନ୍ତି। ତେଣୁ ମାଡାମ୍‌ଙ୍କର କ’ଣ ସମସ୍ୟା ବୁଝିବାକୁ ସେ ମ୍ୟାନେଜର୍‌ଙ୍କୁ କହିଥିଲା। ରଶ୍ମିତାଙ୍କ ମୃତ୍ୟୁ ଖବର ନ କହି ମ୍ୟାନେଜର୍‌ ତାକୁ ଶୀଘ୍ର ଆସନ୍ତୁ ବୋଲି କେବଳ କହିଥିଲେ। ଏନେଇ ତୁରନ୍ତ ଜଟଣୀ ଥାନାକୁ ଜଣାଇଦିଆଯାଇଥିଲା। ପୁଲିସ ସେଠାରେ ପହଞ୍ଚି ସ୍ମୃତିରଂଜନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ତା ଫୋନ୍‌ ସୁଇଚ୍‌ ଅଫ୍ ଥିଲା। ପରିଚୟପତ୍ରରୁ ପୁଲିସ ରଶ୍ମିତାଙ୍କ ଠିକଣାରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ତେଣୁ ପୁଲିସ ଶବକୁ ଜଗି ରହିବା ସହ ପୁରୁଷବନ୍ଧୁ ସ୍ମୃତିରଂଜନକୁ ଠାବ କରିବାକୁ ମୋବାଇଲ୍‌ ଟ୍ରାକ୍‌ କରୁଥିବା ଜଣାପଡ଼ିଛି।