ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ପାଇଁ ପିଟିସନ୍

କଟକ: ବଲିଉଡ୍ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଲୋଡ଼ି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ ହୋଇଛି। ହାଇକୋର୍ଟର ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଏ ନେଇ କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରାଯାଇଛି।

ପିଟିସନ୍‌ରେ ଉଲ୍ଲେଖ କରାଯାଇଛି ଯେ, ସୁଶାନ୍ତ ସିଂଙ୍କ ପରଲୋକରେ ସାରାଦେଶ ସ୍ତବ୍ଧ। ତାଙ୍କ ମୃତ୍ୟୁକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଥିବାବେଳେ ବଲିଉଡରେ ପ୍ରିୟାପ୍ରୀତିତୋଷଣ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୁଶାନ୍ତ ସିଂଙ୍କ ଭଳି ବ୍ୟକ୍ତି ଆତ୍ମହତ୍ୟା କରିଥିବେ ବୋଲି କେହି ସହଜେ ବିଶ୍ବାସ କରୁ ନଥିବାବେଳେ ମୁମ୍ବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଏବେ ବି କେତେକ ବିବାଦୀୟ ପ୍ରସଂଗ ରହିଛି ଯାହା ସମଗ୍ର ଘଟଣାକୁ ସନ୍ଦେହଘେରରେ ରଖିଛି। ତାଙ୍କ ଘରର ଡୁପ୍ଲିକେଟ୍ ଚାବି ହଜିଯିବା, ବେକରେ ଆଘାତ ଚିହ୍ନ, ଜିଭ ବାହାରକୁ ନ ବାହାରିବା, ଘଟଣାସ୍ଥଳରେ କୌଣସି ଟେବୁଲ-ଚେୟାର ନଥିବା, ଘଟଣା ପୂର୍ବର ସିସି ଟିଭି ଫୁଟେଜ୍ ନଥିବା, ଘରେ ‌ଉପସ୍ଥିତ ଥିବା କର୍ମଚାରୀ ଓ ଅନ୍ୟମାନଙ୍କ ଅଜାଣତରେ ସମଗ୍ର ଘଟଣା ଘଟିବା, ବଲିଉଡ ପଟୁ କୌଣସି ବିଶେଷ ଅଭିଯୋଗ ନ ହେବା ଭଳି ପ୍ରସଂଗକୁ ଦୃଷ୍ଟିରେ ରଖି ସିବିଆଇ ତଦନ୍ତ କରାଯିବା ଆବଶ୍ୟକ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ସିବିଆଇ ଦାୟିତ୍ବ ଦିଆଯିବା ଦ୍ବାରା ସୁଶାନ୍ତ ସିଂଙ୍କ ପରିବାର ସଦସ୍ୟଙ୍କ ସହିତ ତାଙ୍କ ପ୍ରସଂଶକ ନ୍ୟାୟ ପାଇ ପାରିବେ ବୋଲି ପିଟିସନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର