ଡେଙ୍ଗୁ ମୃତ୍ୟୁକୁ ନେଇ ରାଜନୀତି ଜୋର୍ ଧରିଲା, ରାସ୍ତାକୁ ଓହ୍ଲାଇଲା ବିଜେପି

ଚନ୍ଦ୍ରଶେଖରପୁର: ଡେଙ୍ଗୁ ମୃତ୍ୟୁକୁ ନେଇ ଆଜି ରାଜଧାନୀ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ଶୈଳଶ୍ରୀବିହାର ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବାରୁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ବଡ଼ ସମସ୍ୟା ପାଲଟିଥିବା ବେଳେ ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନେଉନି। କୋରନା ବେଳେ ବିଏମ୍‌ସି ଯେପରି ଫେଲ୍ ମାରିଥିଲା, ଏବେ ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି।

ସ୍ବାସ୍ଥ୍ୟ ସେବା, ଡ୍ରେନେଜ ସଫେଇ, ରାସ୍ତାଘାଟ ମରାମତି ଦିଗରେ ବିଏମସି ସଂପୂର୍ଣ୍ଣ ଚୁପ୍ ରହିଛି। ଡେଙ୍ଗୁ ପାଇଁ ଯୋଜନା ପ୍ରସ୍ତୁତ କରି ପାଣିକୁ ସଫା କରିବା, ଲୋକଙ୍କୁ ମଶାରି ବଣ୍ଟନ କରିବା, ଡ୍ରେନରେ ମଶାମରା ତେଲ ପକାଇବା ଆଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ , ଜିଲ୍ଲା ଉପସଭାନେତ୍ରୀ ମାନସୀ ରାୟ, ସବିତା ପଟ୍ଟନାୟକ, ସୁନୀତା ପତି ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସେପଟେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଆଜି ସନ୍ଧ୍ୟାରେ ଡେଙ୍ଗୁରେ ମୃତ ନାବାଳିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ବିଏମ୍‌ସିର ୭ ଓ ୧୪ ନମ୍ବର ୱାର୍ଡ ବୁଲି ସ୍ଥିତି ପରଖିଛନ୍ତି। ଆଲୋଚନା ବେଳେ ସଫେଇକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ରାମ୍‌କୀ ନିୟମିତ ଭାବେ ସଫେଇ କରୁ ନ ଥିବା ୱାର୍ଡବାସୀ ଅଭିଯୋଗ କରିବା ପରେ ବିଧାୟକ ଶ୍ରୀ ରାଉତ ପଦକ୍ଷେପ ନେଇଥିଲେ। ୨୪ ଘଣ୍ଟା ମଧ୍ୟରେ ସମସ୍ତ ୱାର୍ଡରୁ ଅଳିଆ ଉଠାଇବା ସହ ଯୁଦ୍ଧାକଳୀନ ଭିତ୍ତିରେ ମଶା ଧୂଆଁ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର