୫୦% ଦର୍ଶକରେ ଯାତ୍ରା ହେଉ: ଯାତ୍ରା କମିଟି

ଖଣ୍ଡଗିରି ମେଳାରେ ଯାତ୍ରା ନିଷ୍ପତ୍ତି ଆଜି, ମୋ ବିଶ୍ବାସ ମେଳା ଓ ଯାତ୍ରା ଉଭୟ ହେବ

ଭୁବ‌େନଶ୍ବର: ଖଣ୍ଡଗିରି କୁମ୍ଭ ମେଳାରେ ଯାତ୍ରା ହେଉ। ବିଏମ୍‌ସି ଓ କମିସନରେଟ୍‌ ପୁଲିସର କୋଭିଡ୍‌ କଟକଣା ମାନି ଯାତ୍ରା କରିବୁ। ଗୋଟିଏ ଯାତ୍ରା ମଞ୍ଚରେ ୫୦% ଚେୟାର ପଡ଼ିବ। ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ୍‌ ଏବଂ ଜାତୀୟ ରାଜପଥରୁ ଉଦୟଗିରି ମଝିରେ ରାସ୍ତା ଉପରେ କିଛି ଷ୍ଟଲ୍‌ ପକାଯାଉ। ଏହିଭଳି ପ୍ରସ୍ତାବ ଆଜି ଯାତ୍ରା କମିଟି ବିଏମ୍‌ସିକୁ ଲିଖିତ ଭାବେ ଦେଇଛି।

ଆସନ୍ତା ୧୮ତାରିଖରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବାକୁ ଥିବାବେଳେ ଏଥର ନବମୀ ତିଥିରୁ ଯାତ୍ରା ହେବ କି ନାହିଁ, ଷ୍ଟଲ୍‌ ପଡ଼ିବ କି ନାହିଁ ସେନେଇ ଟଣାଓଟରା ଚାଲିଛି। ବିଏମ୍‌ସି କର୍ତ୍ତୃପକ୍ଷ ଯାତ୍ରା ସପକ୍ଷରେ ନଥିବାବେଳେ ବିଭିନ୍ନ ଯାତ୍ରା କମିଟି ଯାତ୍ରା‌ କରିବା ଜିଦ୍‌ରେ ଅଛନ୍ତି। ବିଏମ୍‌ସି ଓ ଯାତ୍ରା କମିଟିର ପ୍ରଥମ ବୈଠକରେ କିଛି ନିଷ୍କର୍ଷ ବାହାରି ନପାରିବାରୁ ବିଏମ୍‌ସି କମିସନର ଯାତ୍ରା କମିଟିକୁ ଦୁଇ ଦିନ ସମୟ ଦେଇଥିଲେ। ତିନିଟି ଯାତ୍ରା କମିଟି ହରେକୃ‌ଷ୍ଣ ମହତାବ ସାଂସ୍କୃତିକ ସଂଘ, ସନାତନ ସେବା ସମିତି, ଇନ୍ଦିରା ସାଂସ୍କୃତିକ ପରିଷଦ ବିଚାର ବିମର୍ଷ କରିବା ପରେ ବିଏମ୍‌ସି କମିସନରଙ୍କୁ ଲିଖିତ ଭାବେ ଯାତ୍ରା ପାଇଁ ଅନୁମତି ମାଗିଛନ୍ତି।

ଆଜି ଯାତ୍ରା କମିଟି ବିଏମ୍‌ସିକୁ ଲିଖିତ ଭାବେ ସେମାନଙ୍କ ପ୍ରସ୍ତାବ ଦେଇଥିବାବେଳେ ଆସନ୍ତକାଲି ବିଏମ୍‌ସି କମିସନର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଏମ୍‌ସି ଷ୍ଟଲ୍‌ ପାଇଁ ଅନୁମତି ଦିଏ। ଯାତ୍ରା ପାଇଁ ସାଧାରଣ ପ୍ରଶାସନ ବିଭାଗ ଅନୁମତି ଦେବ। ତେଣୁ ଆମେ ଯାତ୍ରା ନେଇ ଯାତ୍ରା କମିଟିର ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇ ଦେବୁ।

କଟକଣା ରହୁ, ଯାତ୍ରା ହେଉ
କଳାକାର ପରିବାରର ପେଟ ପୋଡ଼ିଗଲାଣି। ସରକାର ହୁଅନ୍ତୁ, ଯାତ୍ରା ମାଲିକ ହୁଅନ୍ତୁ କି କଳାକାର, ସମସ୍ତେ ଏକ ହୋଇ ଏଇ ଯାତ୍ରା କଳାକାରମାନଙ୍କ ପାଇଁ ଟିକେ ଭାବନ୍ତୁ। କରୋନା କଟକଣା ରହୁ, କିନ୍ତୁ ଯାତ୍ରା ହେଉ। ୧୦ ମାସ କାଳ ଘରେ ବସିବା ପରେ ଖଣ୍ଡଗିରି କୁମ୍ଭମେଳା ଏବେ ରୋଜଗାରର ଏକ ବାଟ ଫିଟାଇଛି। ଏଥିରେ କଳାକାରମାନେ ବେଶ୍‌ ଦୁଇ ପଇସା ରୋଜଗାର କରି ନିଜ ପରିବାର ଚଳାଇପାରିବେ। ଏଣୁ ଆମ ଭଳି ପ୍ରଜା ମାନଙ୍କ ପାଇଁ ସରକାର ଟିକେ ସମ୍ବେଦନଶୀଳ ହୋଇ ଚିନ୍ତା କରନ୍ତୁ ଓ ଖୁବ୍‌ଶୀଘ୍ର ଲୋକାଭିମୁଖୀ ନିଷ୍ପତ୍ତି ଘୋଷଣା କରନ୍ତୁ।
-ରାଈମୋହନ, ବରିଷ୍ଠ ସିନେ ଓ ଯାତ୍ରା କଳାକାର
ମୋ ବିଶ୍ବାସ ମେଳା ଓ ଯାତ୍ରା ଉଭୟ ହେବ
ମୋର ଯେତେଦୂର ବିଶ୍ବାସ ଖଣ୍ଡଗିରି କୁମ୍ଭମେଳା ହେବ ଓ ଯାତ୍ରା ବି ହେବ। ୨ରୁ ଅଢ଼େଇ ହଜାର ଲୋକଙ୍କୁ ନେଇ ଯାତ୍ରା ଆୟୋଜନର ସୁଯୋଗ ଦେବେ ସରକାର। କାରଣ କୁମ୍ଭମେଳାକୁ ନେଇ ଯାତ୍ରା ଓ ଯାତ୍ରାକୁ ନେଇ କୁମ୍ଭମେଳା। ଯଦି ଏଥର ସରକାର ମେଳା କିମ୍ବା ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତି, ତେବେ ଜଣାପଡ଼ିବ ଓଡ଼ିଶାର ଶହ ଶହ କଳାକାରଙ୍କ ପ୍ରତି ସରକାରଙ୍କ ତିଳେ ହେଁ ସମ୍ବେଦନଶୀଳତା ନାହିଁ।
-ବାପି ପଣ୍ଡା, ଯାତ୍ରା କଳାକାର

ସମ୍ବନ୍ଧିତ ଖବର