ଭୁବନେଶ୍ବର: କରୋନା କଟକଣା ପାଇଁ ପ୍ରାୟ ୯ ମାସ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର କେବେ ପୁଣି ଖୋଲିବ, ତାହାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ପୁରୀ ଶ୍ରୀମନ୍ଦିର କରୋନା କଟକଣା ମଧ୍ୟରେ ଡିସେମ୍ବର ୨୩ ତାରିଖରୁ ଖୋଲିବାକୁ ଥିବା ବେଳେ ଶ୍ରୀ ଲିଙ୍ଗରାଜ ମନ୍ଦିର ମଧ୍ୟ ସେହିଭଳି ଖୋଲିବାକୁ ଦାବି ହୋଇଛି। ଶ୍ରଦ୍ଧାଳୁଙ୍କ ଦାବିକୁ ନଜରରେ ରଖି ମଙ୍ଗଳବାର ବିଏମ୍ସି ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି।
ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବିଏମ୍ସି ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ଦେବୋତ୍ତର କମିସନର୍, ଭୁବନେଶ୍ବର ଡିସିପି, ବିଡିଏ ସଚିବ, ଭୁବନେଶ୍ବର ଏଡିଏମ୍, ଉପଜିଲ୍ଲାପାଳ, ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ନିର୍ବାହୀ ଅଧିକାରୀ ଏଥିରେ ଯୋଗଦେବେ। ଏହାବାଦ୍ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗର ସମ୍ପାଦକଙ୍କୁ ମଧ୍ୟ ଡକାଯାଇଛି। ରାଜଧାନୀରେ ଏବେ ଦୈନିକ ପ୍ରାୟ ୩୦ରୁ ୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କିପରି କଟକଣା ଓ କଡ଼ା ଯାଞ୍ଚ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ାଯିବ, କ’ଣ କ’ଣ କଟକଣା ରହିବ, ସେନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ମତାମତ ରଖିବେ। ମନ୍ଦିରର ସେବାୟତମାନେ କଟକଣା ମଧ୍ୟରେ ମନ୍ଦିର ଖୋଲାଯାଉ ବୋଲି ଦାବି କରୁଥିବା ବେଳେ ପ୍ରଶାସନ ବଡ଼ଦିନ ଓ ନୂଆବର୍ଷ ଭିଡ଼କୁ ନଜରରେ ରଖି ଏବେ ମନ୍ଦିର ଖୋଲିବାକୁ ଚାହୁନି। ତେଣୁ ମଙ୍ଗଳବାର ବୈଠକ ଗୁରୁତ୍ବପୂର୍ଣ୍ଣ ହେବ।