ତେଲକୋଇ/ରାଇସୁଆଁ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ରାଣୀବେଡ଼ା ବିଟ୍ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀର ଗଳିତ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ୧୦ରୁ ୧୫ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀଟି ପ୍ରାୟ ୧୫ଦିନ ପୂର୍ବରୁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।
ଟାଙ୍ଗିରି ଗ୍ରାମ ଦୁବନାଳୀ ଜୁଆଙ୍ଗସାହିର କିଛି ଲୋକ ରାଣୀବେଡ଼ା ଗ୍ରାମର ଚାଷଜମିକୁ ଭାଗରେ ଚାଷ କରୁଛନ୍ତି। ବନ୍ୟଜନ୍ତୁ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବାପାଇଁ ସୋଲାର ଫେନ୍ସିଂ (ସୌର ତାରବାଡ଼) ଲଗାଇଥିଲେ। କିନ୍ତୁ ସୋଲାର ପ୍ୟାନେଲ୍ ନ ଲଗାଇ ଘରକୁ ଯାଇଥିବା ବିଦ୍ୟୁତ୍ ଲାଇନ୍ରୁ ସଂଯୋଗ ଦେଇଥିଲେ। ହାତୀଟି ଫସଲ ଖାଇବା ଉଦ୍ଦେଶ୍ୟରେ ଜମିରେ ପଶିବା ବେଳେ ବିଦ୍ୟୁତ୍ ତାରରେ ଲାଗି ପ୍ରାଣ ହରାଇଛି। ଆଜି ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ଡିଏଫ୍ଓ ଏଚ୍ଡି ଧନରାଜ ଓ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି। ତେଲକୋଇ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ସୁବ୍ରତ କୁମାର ନାଏକ ଶବ ବ୍ୟବଚ୍ଛେଦ କରିଛନ୍ତି। ଏହି ଘଟଣାରେ ଗୋକୁଳ ଜୁଆଙ୍ଗଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଗତ ମେ ୨୫ ତାରିଖରେ ତାଳପଦା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତମାଙ୍ଗ ସଂରକ୍ଷିତ ଜଙ୍ଗଲର ହଳଦୀପାଣି ନିକଟରୁ ଏକ ମାଈହାତୀର ଗଳିତ ଶବ ଉଦ୍ଧାର ହୋଇଥିଲା। ପରେ ଜୁଲାଇ ୧୪ ତାରିଖରେ ତେଲକୋଇ ଫରେଷ୍ଟ ସେକ୍ସନ ତମାଙ୍ଗ ସଂରକ୍ଷିତ ଜଙ୍ଗଲର ଭାଡ଼ିମରା ଚେକ୍ଡ୍ୟାମ୍ ନିକଟରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ପୁଣି ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ବାରମ୍ବାର ହାତୀଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ବନ ବିଭାଗର ହାତୀ ଟ୍ରାକିଂ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/untitled-5-2025-09-23-06-45-16.jpg)