ସଜେଇ ହେଉଛି ଏକାମ୍ର ହାଟ, ଚୂଡ଼ାନ୍ତ ପର୍ଯ୍ୟାୟରେ ହାଟ ନବୀକରଣ କାର୍ଯ୍ୟ

ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ମିଳିବ ବିକ୍ରିବଟାର ସୁଯୋଗ, ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ପାରମ୍ପରିକ ପରିବେଶରେ ଦେଖିବାକୁ ମିଳିବ ଆତ୍ୟାଧୁନିକ ଯୁଗର ଝଲକ। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ, ପାରମ୍ପରିକ ଖାଦ୍ୟ ଓ ମନମୁଗ୍ଧକର ପରିବେଶ ଉପଭୋଗ କରିବେ ସହରବାସୀ। ଏନେଇ ପ୍ରସ୍ତୁତ ହେଉଛି ରାଜଧାନୀର ଏକମାତ୍ର ଅର୍ବାନ ହାଟ ‘ଏକାମ୍ର ହାଟ’। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ହାଟର ନବୀକରଣ କାର୍ଯ୍ୟ। ହାଟର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ପ୍ରଦର୍ଶନୀ ପିଣ୍ଡି, ଖାଦ୍ୟ ଷ୍ଟଲ, କାଫେ, ପାର୍କିଂ ସ୍ଥାନ ଓ ହାଟ ପରିସରକୁ ନୂଆ ରୂପରେ ସଜ୍ଜିତ କରାଯାଉଛି। କାରିଗର ଓ ବୁଣାକାରମାନଙ୍କୁ ସିଧାସଳଖ ଗ୍ରାହକ ଯୋଗାଇଦେବା ଉଦ୍ଦେଶ୍ୟରେ ଖୋଲିଥିବା ଏହି ଅର୍ବାନ ହାଟକୁ ଅଧିକ ଚଳଚଞ୍ଚଳ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି। ମହାମାରୀ ସ୍ଥିତି ସ୍ୱାଭାବିକ ହେବା ପରେ ପୁଣିଥରେ ଏକାମ୍ର ହାଟ ସର୍ବସାଧାରଣଙ୍କ ପାଇଁ ଖୋଲିବ। ଏବେ ହାଟ ପରିସରକୁ ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟବସ୍ଥା କରାଯାଇଛି। ହାଟକୁ ପାରମ୍ପରିକ ଭାବେ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବିଭିନ୍ନ କଳାକୃତି ତିଆରି କରାଯାଇଛି। ବର୍ଜ୍ୟବସ୍ତୁ ତଥା ଭାଙ୍ଗି ଯାଇଥିବା ବଡ଼ବଡ଼ ଗଛର ଅବଶେଷକୁ ଖୋଦେଇ କରି ସ୍ଥାପତ୍ୟ କଳା କରାଯାଇଛି, ଯାହାକି ହାଟର ସୌନ୍ଦର୍ଯ୍ୟ ବଢ଼ାଇବ। ଏଥିପାଇଁ ସିଡାକ୍‌ର କିଛି ଶିଳ୍ପୀ କାମରେ ଲାଗିଛନ୍ତି। ଏହାବ୍ୟତୀତ ସୌନ୍ଦର୍ଯ୍ୟୀକରଣ ପାଇଁ କାନ୍ଥରେ ଆଦିବାସୀ ସହ ପାରମ୍ପରିକ କଳାକୃତି ଅଙ୍କାଯାଉଛି। ଏକାମ୍ର ହାଟ ମଧ୍ୟରେ ଥିବା ଷ୍ଟଲ୍‌ଗୁଡ଼ିକର ନବୀକରଣ ସହ କିଛି ସ୍ଥାନରେ ପ୍ରଦର୍ଶନୀ ପାଇଁ ସେଡ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ବ୍ୟତୀତ ହାଟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଫୁଡ୍‌ କୋର୍ଟର ବ୍ୟବସ୍ଥା କରାଯିବା ସହ ଏଥିରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ସାମଗ୍ରୀ ସହ ବିଦେଶୀ ଖାଦ୍ୟର ମଜା ନେବା ପାଇଁ ବ୍ୟବସ୍ଥା ହୋଇଛି।

ବୁଣାକାର ଓ କାରିଗରଙ୍କ ମଧ୍ୟରେ ୨ ମାସରେ ଥରେ ହେବ ଷ୍ଟଲ ଆବଣ୍ଟନ

ରାଜ୍ୟର ପ୍ରତିଟି ଜିଲ୍ଲାର କାରିଗର ଓ ବୁଣାକାରମାନଙ୍କୁ ଏହି ହାଟରେ ବିକ୍ରିବଟାର ସୁଯୋଗ ଦିଆଯିବ। ଏଥିପାଇଁ ହାଟ ପରିସରରେ ୩୩ଟି ‘ସ୍ଥାୟୀ ପ୍ରଦର୍ଶନୀ ସେଡ୍‌’ କରାଯାଇଛି। ଯେଉଁଠି ବୁଣାକାର ଓ କାରିଗରମାନେ ବିଭିନ୍ନ ସମୟରେ ବୁକିଂ କରି ନିଜ ନିଜ ସାମଗ୍ରୀର ପ୍ରଦର୍ଶନୀ କରିପାରିବେ। ରାଜ୍ୟରେ ଥିବା କାରିଗର ଓ ବୁଣାକାରଙ୍କୁ ମାର୍କେଟିଂର ସୁଯୋଗ ଦେବା ପାଇଁ ବର୍ଷ ତମାମ ୨ମାସରେ ଥରେ ଷ୍ଟଲ ଆବଣ୍ଟନ କରାଯିବ। ଫଳରେ ଏଥିରେ ଅଧିକ କାରିଗର, ବୁଣାକାର ଓ ହସ୍ତଶିଳ୍ପ କାରିଗର ସୁଯୋଗ ପାଇପାରିବେ। ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ ବ୍ୟବସ୍ଥା କରାଯାଇଛି। ଏହି ଷ୍ଟଲରେ ବର୍ଷତମାମ ରାଜ୍ୟର ବିଭିନ୍ନ ହସ୍ତକଳା, ହସ୍ତତନ୍ତ କାରିଗରୀକୁ ସ୍ଥାନିତ କରାଯିବ। ଫଳରେ ଏକାମ୍ର ହାଟକୁ ଆସୁଥିବା ପର୍ଯ୍ୟଟକମାନେ ସମସ୍ତ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ସହ ସେ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ। ଏଥିସହ ହାଟ ପରିସରରେ ଥିବା ପୁରୁଣା ଷ୍ଟଲର ପୁନରୁଦ୍ଧାର କାମ କରାଯାଇ ତାକୁ ନୂତନ ରୂପ ଦେବା ପାଇଁ କାମ ଚାଲିଛି। ଖୁବ୍‌ଶୀଘ୍ର ଏକାମ୍ର ହାଟର ନବୀକରଣ କାର୍ଯ୍ୟ ସରିବ ଓ କରୋନା କଟକଣା ଉଠିଲେ ଜନସାଧାରଣ ଏକାମ୍ର ହାଟକୁ ନୂଆ ରୂପରେ ଦେଖିବାର ସୁଯୋଗ ପାଇବେ।

ପ୍ରକାଶଯୋଗ୍ୟ, ବୁଣାକାର ଓ କାରିଗରମାନଙ୍କୁ ସିଧାସଳଖ ବଜାର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ‘ଅର୍ବାନ୍ ହାଟ’ ଯୋଜନାରେ ଓଡ଼ିଶାରେ ତିନିଟି ହାଟ ନିର୍ମାଣ ହୋଇଥିଲା। ତିନିଟି ଯାକ ହାଟ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନିର୍ମାଣ ହୋଇଥିଲେ ବି ସରକାରଙ୍କ ଆନ୍ତରିକତାର ଅଭାବରୁ ଏହା କାରିଗର ଓ ବୁଣାକାରଙ୍କ କାମରେ ଆସି ପାରିନାହିଁ। କେବଳ ଭୁବନେଶ୍ବରର ‘ଏକାମ୍ର ହାଟ’ରେ କିଛି ବ୍ୟବସାୟ ହେଉଥିଲା ବେଳେ କୋଣାର୍କସ୍ଥିତ ‘କୋଣାର୍କ ହାଟ’ରେ ବର୍ଷସାରା ତାଲା ପଡ଼ୁଛି। ପୁରୀ ‘ନୀଳାଚଳ ହାଟ’ କଥା ନ କହିବା ଭଲ। ପୂର୍ବରୁ ଏକାମ୍ର ହାଟ ଇଡ୍‌କୋ ଅଧୀନରେ ରହିଥିଲା। ଗତବର୍ଷ ସେପ୍ଟେମ୍ବରରୁ ଏହା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ହସ୍ତାନ୍ତର ହୋଇଛି। ଏହାପରଠାରୁ ସିଡାକ୍ ଏହାର ନବୀକରଣ ଦାୟିତ୍ୱ ହାତକୁ ନେଇଛି।

ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ ହାଟରେ ତିଆରି ହେଉଛି ୫୦ ଷ୍ଟଲ

ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ତଥା ଶିଳ୍ପୀଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ହାଟ ଭିତରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ହସ୍ତଶିଳ୍ପ କାରିଗରୀ ପାଇଁ ୨୮ଟି ଓ ହସ୍ତତନ୍ତ ସାମଗ୍ରୀ ପାଇଁ ୧୪ଟି ଷ୍ଟଲ୍ ପ୍ରସ୍ତୁତ ହେଉଛି। ଏଥିସହ ୮ଟି ଷ୍ଟଲରେ ବିଭିନ୍ନ କଳା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଡାକ୍ ପକ୍ଷରୁ ସୂଚନା ମିଳିଛି। ହାଟ ମଧ୍ୟରେ ସର୍ବମୋଟ ୫୦ଟି ଷ୍ଟଲ ନିର୍ମାଣ କରାଯାଉଛି। ହସ୍ତଶିଳ୍ପ କାରିଗରୀର ବିକ୍ରିବଟା ପାଇଁ ଏବେ ୨୮ଟି ହସ୍ତଶିଳ୍ପ ଷ୍ଟଲ୍‌କୁ ଶିଳ୍ପୀଙ୍କ ମଧ୍ୟରେ ଆବଣ୍ଟନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। କୋଣରେ ଥିବା ୮ଟି ଷ୍ଟଲକୁ ପ୍ରଦର୍ଶନୀ ପାଇଁ ସଂରକ୍ଷିତ କରାଯାଇଛି।
ହାଟ ମଧ୍ୟରେ ଖାଦ୍ୟପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ ଭିନ୍ନଭିନ୍ନ ରକମର ଦେଶୀ ଓ ବିଦେଶୀ ଖାଦ୍ୟ। ଏଥିପାଇଁ ହାଟ ପରିସରରେ ୧୦ଟି ଖାଦ୍ୟ ଷ୍ଟଲ ନିର୍ମିତ ହୋଇଛି। ଏହି ୧୦ଟି ଖାଦ୍ୟଷ୍ଟଲ୍‌କୁ ଟେଣ୍ଡର୍‌ ପ୍ରକ୍ରିୟାରେ ଆବଣ୍ଟନ କରାଯାଇଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ୪ଟି, ରାଜ୍ୟ ବାହାରର ଖାଦ୍ୟ ପାଇଁ ୩ଟି, ହାଇ ଓ ବ୍ରାଣ୍ଡେଡ୍ କାଫେ ଖାଦ୍ୟ ପାଇଁ ୩ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହାସହ ସାମ୍ନାରେ ଥିବା ୩ଟି କିଓସ୍କକୁ ମଧ୍ୟ ହସ୍ତାନ୍ତର କରାଯାଇଛି। କେବଳ ହସ୍ତତନ୍ତ ପାଇଁ ଥିବା କିଛିଟି ଷ୍ଟଲ୍ ବଳି ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ କାରିଗରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।

୧୦ଟି ଖାଦ୍ୟ ଷ୍ଟଲରେ ମିଳିବ ଦେଶୀ, ବିଦେଶୀ ଖାଦ୍ୟ

ହାଟ ମଧ୍ୟରେ ଖାଦ୍ୟପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ ଭିନ୍ନଭିନ୍ନ ରକମର ଦେଶୀ ଓ ବିଦେଶୀ ଖାଦ୍ୟ। ଏଥିପାଇଁ ହାଟ ପରିସରରେ ୧୦ଟି ଖାଦ୍ୟ ଷ୍ଟଲ ନିର୍ମିତ ହୋଇଛି। ଏହି ୧୦ଟି ଖାଦ୍ୟଷ୍ଟଲ୍‌କୁ ଟେଣ୍ଡର୍‌ ପ୍ରକ୍ରିୟାରେ ଆବଣ୍ଟନ କରାଯାଇଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ୪ଟି, ରାଜ୍ୟ ବାହାରର ଖାଦ୍ୟ ପାଇଁ ୩ଟି, ହାଇ ଓ ବ୍ରାଣ୍ଡେଡ୍ କାଫେ ଖାଦ୍ୟ ପାଇଁ ୩ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହାସହ ସାମ୍ନାରେ ଥିବା ୩ଟି କିଓସ୍କକୁ ମଧ୍ୟ ହସ୍ତାନ୍ତର କରାଯାଇଛି। କେବଳ ହସ୍ତତନ୍ତ ପାଇଁ ଥିବା କିଛିଟି ଷ୍ଟଲ୍ ବଳି ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ କାରିଗରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର