ବଦଳି ଯାଇଛି ଶିଖିବାର ପରିଭାଷା, ରୋଜଗାର ଦେଉଛି ଇଣ୍ଟରନେଟ୍‌

ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ ମତେ ରୋଜଗାର ଓ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛି

ଭୁବନେଶ୍ବର: ଜୀବନ ବଡ଼ ନା ଜୀବିକା ? ଏଭଳି ଏକ ପ୍ରଶ୍ନର ଦୋ’ ଛକିରେ ଏବେ ଠିଆ ହୋଇଛନ୍ତି ସମାଜ ଓ ସରକାର। ଜୀବନ ବଞ୍ଚଉ ବଞ୍ଚଉ ଜୀବିକା ଚାଲି ଯାଉଛି। ଲୋକ ଦାରିଦ୍ର୍ୟ ଓ ଅଭାବ ଭିତରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଏପଟେ ଜୀବିକା ବଞ୍ଚେଇବାକୁ ଚେଷ୍ଟା କଲେ ଜୀବନ ପ୍ରତି ବିପଦ ରହିଛି। କରୋନା ମହାମାରୀ ମଣିଷର ଜୀବନ ପ୍ରତି ମହାବିପତ୍ତି ଆଣିଥିବା ବେଳେ ଲକ୍‌ଡାଉନ୍‌ ଜୀବିକାକୁ ଉଜାଡ଼ି ଦେଇଛି। ଅଧିକାଂଶ ଲୋକ ଏବେ ଘରେ ହାତ ବାନ୍ଧି ବସିଥିବା ବେଳେ ପରିବାର କେମିତି ଚଳାଇବେ ସେଇ ଚିନ୍ତା ତାଙ୍କୁ ଖାଇ ଯାଉଛି। ଏଥିପାଇଁ କିଛି ବ୍ୟବସାୟୀ ନିଜ ନିଜ ବେଉସା ବଦଳାଇ ଦେଇଛନ୍ତି। କେଉଁଠି ପାନ ଦୋକାନୀ ପରିବା ବିକିଲେଣି ତ’ ଆଇସ୍କ୍ରିମ୍‌ ଓ ଲସି ବ୍ୟବସାୟୀ ତେଜରାତି ବିକିଲେଣି। ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ଜ୍ଞାନ ଓ ପ୍ରତିଭା ବଳରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଟଙ୍କା ରୋଜଗାର ବାଟ ବାହାର କଲେଣି। ଇଣ୍ଟରନେଟ୍‌ର ସହାୟତାରେ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦେଇ ନିଜ ଆର୍ଥିକ ଅବସ୍ଥାକୁ ସୁଧାରିଲେଣି।

ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ପା‌ଥେୟ କରି ରୋଜଗାର କରିପାରିବା
ଆମେ ଏକବିଂଶ ଶତାବ୍ଦୀର ମଣିଷ। ଏଣୁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳକୁ ପା‌ଥେୟ କରି ଆମକୁ ଚାଲିବା ଉଚିତ। ଏପରି ପରିସ୍ଥିତିରେ ୟୁ-ଟ୍ୟୁବଠାରୁ ଆରମ୍ଭ କରି ଜୁମ୍‌ ଆପ୍‌ ପର୍ଯ୍ୟନ୍ତ ଆମକୁ ତାଲିମ ନେବା ଓ ତାଲିମ ‌ଦେବାରେ ବହୁତ ସାହାଯ୍ୟ କରିବ। ମୁଁ ଜଣେ ସିଭିଲ ଇଂଜିନିୟର୍‌। କିନ୍ତୁ ବିବାହ ପରେ ପାରିବାରିକ ଜଞ୍ଜାଳ ଭିତରେ ମୁଁ ବାହାରକୁ ଯାଇ ପଢ଼ାଇବା କିମ୍ବା ଚାକିରି କରିବା ସମ୍ଭବ ହେଲାନି। ଏଣୁ ମୋ ଜ୍ଞା‌ନର ପରିସୀମା ବୃଦ୍ଧି କରିବା ତଥା ଅନ୍ୟମାନଙ୍କୁ ଏନେଇ ଶିକ୍ଷା ଦେବାକୁ ମୁଁ ୟୁ-ଟ୍ୟୁବକୁ ସାଥୀ କଲି। ଏଥିରେ କ୍ରମାଗତ ଭାବେ ପାଠ୍ୟକ୍ରମକୁ ପଢ଼ାଇ ଭିଡିଓ ରେକଡିଂ କରି ରଖୁଛି। ସବୁ ଯୋଜନା ମୁତାବକ ହୋଇଗଲେ ଏହା ଖୁବ୍‌ଶୀଘ୍ର ୟୁ-ଟ୍ୟୁବ୍‌‌ରେ ଏହା ପ୍ରସାରିତ ହେବ। ସାଧାରଣତଃ ସିଭିଲ୍‌ ଇଂଜିନିୟରିଂ କୋଚିଂ ପାଇଁ ୬୦/୭୦ ହଜାର ଖର୍ଚ୍ଚ ହୋଇଯାଏ। ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୁଅନ୍ତି। ମୋର ଏହି ଚ୍ୟାନେଲ ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବା ସହ ମୋତେ ମଧ୍ୟ ରୋଜଗାର ଦେଇପାରିବ।
ସୁଶ୍ରୀ ଶୈଳଜା‌ ମିଶ୍ର, ଗୃହିଣୀ

ଦକ୍ଷତାର ବ୍ୟବହାର ଦ୍ନାରା ସଂକଟରୁ ବାହାରି ହେବ
କରୋନା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଜୀବନ ଆଉ ଜୀବିକା ପାଇଁ ବି। ଏହି ଲକ୍‌ଡାଉନ୍‌ରେ ଆମେ ସମ୍ପୂର୍ଣ୍ଣ ଭାବେ ଖାଲିରେ ବସିଛେ। ଏଣୁ ଏହି ସମୟର ସଦୁପଯୋଗ କରି ନିଜ ଦକ୍ଷତା ବୃଦ୍ଧି ସହ ଏହାକୁ ପୁଞ୍ଜି ନିବେଶରେ ବ୍ୟୟ କରିପାରିଲେ, ଏହି ସମୟ ଆମକୁ ବୋଝ ଭଳି ଲାଗିବ ନାହିଁ। ଏହି ସମୟରେ ଲୋକମାନେ ଅଧିକ କ’ଣ ଖୋଜୁଛନ୍ତି? କ’ଣ ସେମାନଙ୍କ ଅତ୍ୟାବଶ୍ୟକ ତାଲିକାରେ ଆସୁଛି? ଓ ସେମାନଙ୍କ ମାନସିକ ସ୍ଥିତି କ’ଣ ରହିଛି? ଏସବୁ ଅନୁଧ୍ୟାନ କରିବା ଆବଶ୍ୟକ। ଏବେ ଲୋକମାନେ ବାହାରକୁ ଯିବାକୁ ପସନ୍ଦ କରୁ ନଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ସେମାନଙ୍କ ଘରକୁ ଡେଲିଭରି କରିବା ଭଳି କାମ କିଛି ରୋଜଗାର ଦେଇପାରିବ ଭାବି ମୁଁ ଏହି ବ୍ୟବସାୟ ଆରମ୍ଭ କଲି। ରାଜଧାନୀ ଲୋକ ଅଧିକ ସଚେତନ ଓ ଟେକ୍‌ନୋଲୋଜି ଫ୍ରେଣ୍ଡ୍‌ଲି ହୋଇଥିବାରୁ ମୋ ଯୋଜନା କାମ ଦେଲା। ଲୋକମାନେ ଗୋଟିଏ କ୍ଲିକ୍‌ରେ ଘରେ ବସି ବିଭିନ୍ନ ରାସନ ସାମଗ୍ରୀଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ବରାଦ କଲେ। ଏହାଦ୍ବାରା ଲୋକେ ଘରେ ସମସ୍ତ ସାମଗ୍ରୀ ପାଇପାରିବା ସହ ମୁଁ ମଧ୍ୟ ଦୁଇ ପଇସା ରୋଜଗାର କରିପାରିଲି।
ସୁଶ୍ରୀ ତପସ୍ବିନୀ, ନିର୍ଦ୍ଦେଶିକା, ତପୋହମ୍‌

ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ ମତେ ରୋଜଗାର ଓ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛି
ପିଲାମାନଙ୍କୁ ନୃତ୍ୟ ଶିଖାଇବା ମୋ କାମ। ନୃତ୍ୟ ମୋ ନିଶା ଓ ପେସା ବି। କିନ୍ତୁ ୨ ମାସ ହେଲା ଲକ୍‌ଡାଉନ୍‌ ଯୋଗୁଁ କ୍ଲାସ୍‌ ସବୁ ବନ୍ଦ ରହିଛି। ଟଙ୍କାଟିଏ ବି ହାତ ଖର୍ଚ୍ଚ ଆସୁନି। କଳାକାର ହିସାବରେ କାହା ଆଗରେ ତ’ ଆଉ ଆମେ ହାତ ପତେଇ ପାରିବୁନି। ଏଥିପାଇଁ ନିଜ ଖର୍ଚ୍ଚ ବହନ କରିବାକୁ ଟେକ୍‌ନୋଲୋଜିର ସାହାରା ନେଇଛି। ଅନ୍‌ଲାଇନ୍‌ରେ ପିଲାମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେଉଛି। ଏହାର ୩ଟି ଲ‌ାଭ ରହିଛି। ଏହାଦ୍ବାରା ଲକ୍‌ଡାଉନ୍‌ ସମୟରେ କିଛି ରୋଜଗାର ତ’ ହେଉଛି, ପିଲାଙ୍କ ଦକ୍ଷତା ବୃଦ୍ଧିରେ ବି ଏହା ସହାୟ ହେଉଛି। ଏହାସହ ସାମାଜିକ ଦୂରତ୍ବ ରକ୍ଷା ହୋଇପାରିଛି। ଅନ୍‌ଲାଇନ୍‌ କ୍ଲାସ୍‌ ଭବିଷ୍ୟତ ପାଇଁ ଏକ ନୂଆ ପ୍ଲାଟ୍‌ଫର୍ମ ତିଆରି କରୁଛି। ଘରେ ବସି ସମୟ ନଷ୍ଟ ନ କରି ନୃତ୍ୟ ବା ଅନ୍ୟ କିଛି ଶିଖି ହେଉଛି। ଭବିଷ୍ୟତରେ ଏଭଳି ଅନ୍‌ଲାଇନ୍‌ କ୍ଲାସ ଦ୍ବାରା ପ୍ରଶିକ୍ଷକ ଓ ଶିକ୍ଷାର୍ଥୀ ଉପକୃତ ହୋଇପାରିବେ ବୋଲି ମୋର ଆଶା।
ଅମିତ କୁମାର ପାତ୍ର
ପଜ୍‌ ଆଣ୍ଡ୍‌ ଏକ୍ସପ୍ରେସନ୍‌ ଡ୍ୟାନ୍ସ ଟ୍ୟୁଟୋରିଆଲ୍‌

ସମ୍ବନ୍ଧିତ ଖବର