ହରପ୍ରିୟା ପୃଷ୍ଟି

Advertisment

ଖଣ୍ଡଗିରି: ପୂର୍ବରୁ ସହର ଭିତରେ ପ୍ରାକୃତିକ ପରିବେଶ ମଧ୍ୟରେ ଶାରୀରିକ ବ୍ୟାୟାମ ଏବଂ ଚିତ୍ତବିନୋଦନକୁ ଲକ୍ଷକରି ଅବସର ବିନୋଦନ ପାଇଁ ସ୍ଥାନ ନିର୍ମାଣ କରାଯାଉ ନଥିଲା। ଯେଉଁ କେତୋଟି ହାତଗଣତି ପାର୍କଥିଲା ସେଠାକାର ଗଛଗୁଡ଼ିକ ବାତ୍ୟା ମାଡ଼ରେ ଟଳି ପଡ଼ିଥିଲା। ହେଲେ ଏବେ ରାଜଧାନୀରେ ଏ ସବୁ ପାଇଁ ତିଆରି ହୋଇଛି ପ୍ରକୃଷ୍ଟ ସ୍ଥାନ। ସବୁଜ ବଳୟର ପରିଚାଳନା, ସବୁଜ ନିର୍ମାଣ ଶୈଳୀକୁ ପ୍ରାଧାନ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବୃକ୍ଷଲତାକୁ ଗୁରୁତ୍ୱ ମାଧ୍ୟମରେ ସହରକୁ ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରାଯାଇଛି।  ବିକଶିତ ରାଷ୍ଟ୍ରଗୁଡ଼ିକ ଭଳି ଗୁଣାତ୍ମକ ଜୀବନ ପ୍ରତି ଅଧିକ ସଚେତନ ହୋଇ ସହରାଞ୍ଚଳରେ ଥିବା ପାର୍କ, ଉଦ୍ୟାନ, ନଗର ବନ ଇତ୍ୟାଦି ସ୍ଥାପନ ମାଧ୍ୟମରେ ସବୁଜିମାର ପରିମାଣ ସନ୍ତୋଷଜନକ କରିବାକୁ ସମସ୍ତେ ଏକଜୁଟ ହୋଇଛନ୍ତି। ଆଗାମି ବର୍ଷମାନଙ୍କରେ ଭୁବନେଶ୍ବରରେ ଥିବା ଏଭଳି ସମସ୍ତ ସ୍ଥାନକୁ ଆହୁରି ସବୁଜିମାରେ ଆଚ୍ଛାଦିତ କରିବା ସହ ସ୍ବଚ୍ଛ, ଶୀତଳ ଏବଂ ସୁନ୍ଦର ପରିବେଶ ଗଠନ କରିବାକୁ ‌ସମସ୍ତେ ତତ୍ପର ହୋଇଛନ୍ତି। ବାତ୍ୟା‌ରେ ଭାଙ୍ଗିଯାଇଥିବା ଗଛ ସହିତ ଫାଙ୍କାସ୍ଥାନରେ ଜଙ୍ଗଲ ସୃଷ୍ଟି କରାଯିବାକୁ ଯୋଜନା ହୋଇଛି।

୨୦୧୯ ମସିହା ‘ଫନି’ ମହାବାତ୍ୟାରେ ଚିରହରିତ ଜୟଦେବ ବାଟିକା ଛାର୍‌ଖାର ହୋଇଯାଇଥିଲା। ୧୨୦ ଏକର ପରିମିତ ଅଞ୍ଚଳରେ ଥିବା ଉଦ୍ୟାନରେ ଥିବା ୧୬୨ ପ୍ରଜାତିର ପ୍ରାୟ ୫୦ ହଜାରରୁ ଅଧିକ ବଡ଼ଗଛ ଅଧାରୁ ଭାଙ୍ଗି ପଡ଼ିଥିଲା। ଔଷଧୀୟ ଉଦ୍ୟାନ ମଧ୍ୟରେ ଗଛ ପଡ଼ିବାରୁ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତେଣୁ ଏହାକୁ ଭରଣା କରିବାକୁ ୨୦୨୪ ମସିହାରେ ୧୦ହଜାରରୁ ଅଧିକ ଗଛ ଲାଗିଛି। ଯାହା ଭିତରେ ଅନେକ ସଂଖ୍ୟାରେ ପଣସ, କରଞ୍ଜ, ହରିଡ଼ା, ବାହାଡ଼ା, ଓଉ, ଆମ୍ବ ଗଛ ରହିଛି। ଗଛ ବଡ଼ ହୋଇଗଲେ ବାଟିକା ଆହୁରି ଘଞ୍ଚ ହୋଇଯିବ। ୨୦୨୫ରେ ଆହୁରି ୫ ହଜାର ଗଛ ଲଗାଯିବାକୁ ଯୋଜନା ଅଛି। ସେହିଭଳି ଏକାମ୍ରକାନନରେ ବନ ବିଭାଗ ଅନୁମତି ମିଳୁ ନ ଥିବାରୁ ବଣ ଭୋଜି ଯୋଜନାରୁ ଓହରି ସେଠାରେ ଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ପାଖାପାଖି ୧୫ ଏକର ପରିମିତ ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୫,୦୦୦ ଗଛ ଲାଗିବ। ନେଚର୍‌ ଟ୍ରେଲ୍‌ ଭାବେ ସେଠାରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବ୍ୟବସ୍ଥା ରହିବ। ପ୍ରବେଶ ପାଇଁ କିଛି ଦେୟ ବି ଦେବାକୁ ପଡ଼ିବ। ସାଲିଆସାହି-ଉତ୍କଳ ହସ୍ପିଟାଲ ୨୦୦ ଫୁଟିଆ ରାସ୍ତା ପାର୍ଶ୍ବରେ ଏହାର ପ୍ରବେଶ ପଥ ଖୋଲାଯିବ।  

ସେହିପରି ୮୯.୦୫ ଏକର ପରିମିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଆନନ୍ଦବନ ଉଦ୍‌ଘାଟନ ପରଠାରୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଆନନ୍ଦବନକୁ ଉଦ୍‌ଘାଟଠାରୁ ଡିସେମ୍ବର ୩୦ ଭିତରେ ୧ଲକ୍ଷ ୯୦ ହଜାର ପର୍ଯ୍ୟଟକ ବୁଲିଛନ୍ତି। ବର୍ଷର ଶେଷ ଦିନରେ ୮୯୮ ଜଣ ବୁଲିଛନ୍ତି। ଜଙ୍ଗଲକୁ ଆହୁରି ଘଞ୍ଚ କରିବାକୁ ମିୟାୱାକି କୌଶଳ ବ୍ୟବହାର କରି ୧୨ ହଜାର ବୃକ୍ଷରୋପଣ ହୋଇଛି। ଅର୍ବାନ ଟ୍ରି ପ୍ଲାଣ୍ଟେସନ ସ୍କିମ୍‌ରେ ୧୦ ହଜାର ଗଛ ଓ  ୪୦ ହଜାର ଔଷଧୀୟ ଗଛ ଲଗାଯାଇଛି। ନିକଟରେ ୫୦୦ ଫଳନ୍ତି ଗଛ ପୋତା ଯାଇଥିବା ବେଳେ ନୂଆବର୍ଷ ପରେ ଆହୁରି ଜଙ୍ଗଲ ସୃଷ୍ଟି କରିବାକୁ ଯୋଜନା ହୋଇଛି। 

ପରିବେଷବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା କଥା, ଚାପମୁକ୍ତ, ସୁସ୍ଥ, ନିରୋଗ, ପ୍ରଫୁଲ୍ଲିତ ଏବଂ ଦୀର୍ଘ ଜୀବନଯାପନ ଓ କାର୍ଯ୍ୟଦକ୍ଷତାର ବୃଦ୍ଧି ଘଟାଇବା ପାଇଁ ଏଭଳି ପରିବେଷ ନିତ୍ୟାନ୍ତ ଆବଶ୍ୟକ। ପ୍ରକୃତିଠାରୁ କ୍ରମଶଃ ଦୁରେଇ ଯାଉଥିବା ନୂତନ ପିଢ଼ିଙ୍କର ପ୍ରକୃତି ସହ ନିବିଡ଼ତାକୁ ସୁଦୃଢ଼ କରିବା, ପରିବେଶ ସଂରକ୍ଷଣ ସମସ୍ୟା ପ୍ରତି ସମ୍ବେଦନଶୀଳତା ଜାଗ୍ରତ କରିବା ଓ ଅନ୍ୟ ଜୀବଜାତିଙ୍କ ସହ ସହାବସ୍ଥାନର ଶିକ୍ଷା ଲାଭ ନିମନ୍ତେ ଏହା ହିଁ ପ୍ରକୃଷ୍ଟ ସ୍ଥାନ ହେବ। ଯେଉଁଠାରେ ଲୋକମାନେ ଉନ୍ନତ ମାନର ଜୀବନଯାପନ କରିପାରିବେ ଓ ବିଭିନ୍ନ ଜାତିର ପଶୁପକ୍ଷୀମାନେ ମଧ୍ୟ ସୁରକ୍ଷିତ ରହିବେ। ଏକାମ୍ରକାନନ, ଆନନ୍ଦବନ ଭଳି ଆହୁରି ନଗରବନ ସୃଷ୍ଟିକରିଲେ ସହର ଅଧିକ ସବୁଜିମାମୟ ହୋଇପାରିବ ବୋଲି ସେ କହିଛନ୍ତି।