ଭୁବନେଶ୍ୱର: ପୂର୍ବରୁ ଖରାଛୁଟି ପଡ଼ିଲେ ମାମୁ, ମାଉସୀ, ପିଉସୀ ଘରୁ ଡାକରା ଆସୁଥିଲା। ଗାଁରେ କଞ୍ଚା ଆମ୍ବ ଖାଇବା, ଖରାବେଳେ ପାଣିରେ ବୁଡ଼ିବା ପୁଣି ଯାତ୍ରାରେ ସମୟ ଅତିବାହିତ ହେଉଥିଲା। ସବୁଠୁ ବଡ଼ କଥା ପାଠ ପଢ଼ିବାର ଚାପ ନଥିଲା। ହେଲେ ବର୍ତ୍ତମାନ ଖରାଛୁଟିର ପରିଭାଷା ବଦଳିଛି। ବିଭିନ୍ନ ପ୍ରତିଯୋଗିତାରେ ପିଲାଟି କାଳେ ଅନ୍ୟ ପିଲାଙ୍କ ସହ ସମକକ୍ଷ ହୋଇନପାରିବ ଏମିତି ଭାବନାରେ ପିଲାଙ୍କୁ ଅଧିକ ଦକ୍ଷ ଓ ପ୍ରତିଭାସମ୍ପନ୍ନ କରିବା ନିଶାରେ ଅଭିଭାବକମାନେ ସତର୍କ ହୋଇପଡ଼ିଲେଣି। ଚିରାଚରିତ ପାଠ୍ୟକ୍ରମ ବ୍ୟତୀତ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ସନ୍ତରଣ, ଫିଟ୍‌ନେସ୍‌, ହସ୍ତକଳା ଆଦି ବିଭିନ୍ନ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଆଗ୍ରହ ଦେଖି ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିରମାନ ଚାଲିଛି।

Advertisment

ଅତ୍ୟାଧୁନିକ ଜ୍ଞାନକୌଶଳ ଶିକ୍ଷା ପାଇଁ ବଢ଼ୁଛି ଆଗ୍ରହ
ବିଜ୍ଞାନର ବିଭିନ୍ନ ପରୀକ୍ଷଣ ବିଶେଷ କରି ମହାକାଶ ସମ୍ୱନ୍ଧୀୟ ତଥ୍ୟ ସବୁବେଳେ ପିଲାଙ୍କୁ ଆକର୍ଷିତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ବିଜ୍ଞାନ ପ୍ରତି ଆହୁରି ଆକର୍ଷିତ କରାଇବା ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ସମର ସାଇନ୍ସ କ୍ୟାମ୍ପ ୨୦୨୫’ ଗତ ୫ ତାରିଖରୁ ଆରମ୍ଭ ହୋଇଛି। ଏଥିରେ ୯ଟି ବିଷୟବସ୍ତୁରେ ଦ୍ୱିତୀୟ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ବିଭିନ୍ନ ଗାଣିତିକ ସୂତ୍ର, ପଦାର୍ଥ, ରାସାୟନିକ ଓ ଜୀବ ବିଜ୍ଞାନର ବିଭିନ୍ନ ପରୀକ୍ଷଣଗୁଡ଼ିକୁ ସିଧାସଳଖ ପ୍ରଦର୍ଶିତ କରାଯିବା ସହିତ ପିଲାମାନେ ମଧ୍ୟ କିଭଳି ସହଜରେ ଏଗୁଡ଼ିକୁ କରିପାରିବେ ସେଥିପାଇଁ  ପ୍ରଶିକ୍ଷଣ ଦିଆଯାଉଛି। ବିଷୟବସ୍ତୁ ଓ ବୟସ ଅନୁସାରେ କ୍ୟାମ୍ପ୍‌ର ମୂଲ୍ୟ ୧୦୦୦ ଓ ୨୦୦୦ଟଙ୍କା ରହିଛି। ଆଗକୁ ଟେଲିସ୍କୋପ ନିର୍ମାଣ ଶୈଳୀ, ଏହାର ବିଭିନ୍ନ ପ୍ରକାର ଭେଦ, ରୋବୋଟିକ୍ସ ଓ ମହାକାଶ ସମ୍ୱନ୍ଧୀୟ ବିଭିନ୍ନ ତଥ୍ୟ ମଧ୍ୟ ସରଳ ଭାବରେ ବୁଝାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କପିଲ ଜୈନ କହିଛନ୍ତି। ଏହି କ୍ୟାମ୍ପ୍‌ ଜୁନ୍‌ ୬ତାରିଖ ପର୍ଯ୍ୟନ୍ତ ଚାଲିବ।  

ହକି, ଜୁଡ଼ୋ, ଆଥ୍‌ଲେଟିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଭିଡ଼
ବିଗତ କିଛି ବର୍ଷ ମଧ୍ୟରେ ରାଜଧାନୀର କ୍ରୀଡ଼ାର କ୍ରେଜ୍‌ ଦେଖିବାକୁ ମିଳିଛି। ଅଭିଭାବକମାନେ ପିଲାଙ୍କୁ ଫିଟ୍‌ ରଖିବା ସହିତ ଏଥିରେ ମଧ୍ୟ କ୍ୟାରିୟର କରିହେବ ଭାବି ପ୍ରୋତ୍ସାହିତ କରୁଛନ୍ତି। ତେବେ ଏନେଇ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆଥ୍‌ଲେଟିକ୍ସ, ସନ୍ତରଣ, ଜୁଡ଼ୋ, ଭଲିବଲ, ହକି, କବାଡ଼ି, ବାସ୍କେଟବଲ, ଫେନ୍‌ସିଂ, ଭଲିବଲ ଆଦି ଶିକ୍ଷା ପ୍ରଦାନ କରାଯାଉଛି। ଗତ ଏପ୍ରିଲ ମାସରୁ ଦୁଇଟି ପର୍ଯ୍ୟାୟରେ ଏହି ଶିକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୬ରୁ ସାଢ଼େ ୮ଟା ଓ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ମଧ୍ୟରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଏଥିପାଇଁ ପଞ୍ଜୀକରଣ କରିସାରିଲେଣି।