ହଂସପାଳ ଫ୍ଲାଏଓଭର୍ ନିର୍ମାଣ ପ୍ରସଙ୍ଗ: କଣ୍ଟ ସାଜିଛି କଣ୍ଟା

ଭୁବନେଶ୍ବର: ପ୍ରଥମେ ୧୮ ମାସରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ପାଇଁ କଣ୍ଟ ଗଡ଼ିଗଲା। ୧୮ ମାସ ବଦଳରେ ୨୭ ମାସ ଲାଗିବ ବୋଲି କୁହାଗଲା। ଏବେ ପୁଣି କଣ୍ଟ ଗଡ଼ିଲାଣି। ୨୭ ମାସ ବଦଳରେ ୩୦ ମାସ ଲାଗିବ ବୋଲି କୁହାଗଲାଣି। ତେଣୁ ବାରମ୍ବାର କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିବାରୁ ଏହି ୩୦ ମାସ ଯେ ଠିକ୍‌ ବୋଲି ଲୋକେ ବିଶ୍ବାସ କରିପାରୁନାହାନ୍ତି। ଏହା ହେଉଛି ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣ ହେଉଥିବା ହଂସପାଳ ଫ୍ଲାଏଓଭର ବ୍ରିଜ୍‌ର କଥା। ଚଳିତ ବର୍ଷ ସେପ୍ଟେମ୍ବରରେ କାମ ସରିବ ବୋଲି କର୍ତ୍ତୃପକ୍ଷ କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୫ ପ୍ରତିଶତ କାମ ସରିଛି। ତେଣୁ ବାକି କାମତକ ଚଳିତ ବର୍ଷ ଶେଷ ସୁଦ୍ଧା କିଭଳି ସରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ପିଲାର୍ ଓ ଆବେଟ୍‌ମେଣ୍ଟଗୁଡ଼ିକ ନିର୍ମାଣ କରାଯାଇଛି ଓ ଗୋଟିଏ ପାର୍ଶ୍ବର ସର୍ଭିସ୍‌ ରୋଡ୍‌ କାମ ଶେଷ ହୋଇଛି। ବର୍ଷା ଜଳ ନିଷ୍କାସନ ପାଇଁ ଗୋଟିଏ ପାର୍ଶ୍ବର ଡ୍ରେନ୍ ନିର୍ମାଣ ମଧ୍ୟ ସରିଛି। ତେବେ ଆହୁରି ୩ଟି ସ୍ପାନ୍, ୭.୫ ମିଟର ଏକ ରାମ୍ପ, ୭.୫ ମିଟର ଚଉଡ଼ାର ଗୋଟିଏ ପାର୍ଶ୍ବ ସର୍ଭିସ୍ ରୋଡ‌୍ ଏବଂ ସେହି ପାର୍ଶ୍ବର ଡ୍ରେନ୍ ନିର୍ମାଣ ବାକି ରହିଛି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଏସବୁ କାମ ଆଗାମୀ ୬ମାସ ଭିତରେ କେମିତି ସରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ଫ୍ଲାଏଓଭର୍ ବ୍ରିଜ୍‌ କାମ ଶେଷ ହେବ ବୋଲି ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଥିଲେ। ହେଲେ ଅଦ୍ୟାବଧି ଯେତିକି କାମ ବାକି ଅଛି, ସେତକ ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ଭଳି ଦେଖାଯାଉନାହିଁ। କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି ଓ ଡିସେମ୍ବର ସୁଦ୍ଧା ସାରିବେ ବୋଲି ପୁଣି କଣ୍ଟ ଦେଇଛନ୍ତି।

ଏନେଇ କର୍ତ୍ତୃପକ୍ଷଙ୍କ କହିବା କଥା, ଯେଉଁ ସ୍ଥାନରେ ସର୍ଭିସ୍‌ ରୋଡ୍‌ ନିର୍ମାଣ କରାଯାଉଛି, ସେଠି ପ୍ରାୟ ୪୫୦ରୁ ଊର୍ଦ୍ଧ୍ବ ଗଛ କାଟିବାକୁ ପଡ଼ିଲା। ବନ ବିଭାଗର ଅନୁମତି ପାଇବାରେ ବିଳମ୍ବ ହେଲା। ତେଣୁ ସେପ୍ଟେମ୍ବର ସୁଦ୍ଧା ସରିବାକୁ ଥିବା କାମ ଆହୁରି ତିନି ମାସ ବିଳମ୍ବ ହେବ। ଏ ସଂପର୍କରେ ଏନ୍ଏଚ୍ଆଇ ପ୍ରୋଜେକ୍ଟ ଡାଇରେକ୍ଟର ପ୍ରଭାତ କୁମାର ସିଂହ କହିଛନ୍ତି ଯେ ସର୍ଭିସ୍ ରୋଡ୍‌ରେ ଗଛ କଟାକୁ ନେଇ ଯେଉଁ ବିଳମ୍ବ ହେଲା, ତାହାକୁ ଭରଣା କରିବାକୁ ଉଦ୍ୟମ କରାଯାଉଛି। ବର୍ଷାକୁ ଦୃଷ୍ଟିରେ ରଖି କାମ କରାଯାଉଛି। ଯଦି ବର୍ଷା ବେଶି ବାଧକ ନହୁଏ, ତେବେ ଡିସେମ୍ବର ପୂର୍ବରୁ କାମ ଶେଷ ହୋଇଯିବ।

ତେବେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷଙ୍କ ଏଭଳି ବାହାନା ସ୍ଥାନୀୟ ଲୋକଙ୍କୁ ବହୁ ସମସ୍ୟାରେ ପକାଉଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ଛକରେ ସବୁବେଳେ ଟ୍ରାଫିକ୍‌ ଜାମ୍ ରହୁଛି। ଏଥିସହିତ ଖରା ଦିନରେ ପ୍ରବଳ ଧୂଳି ଉଡୁଥିଲେ ବି ଠିକା ସଂସ୍ଥା ପାଣି ସିଞ୍ଚନ କରିବା ବ୍ୟବସ୍ଥା କରିନଥିଲେ। ଏବେ ବର୍ଷା ପାଇଁ ଛକର ବିଭିନ୍ନ ସ୍ଥାନରେ ଥିବା ଖାଲଖମାରେ ପାଣି ଜମି ରହିଲେ ଅଧିକ ସମସ୍ୟା ହେବ। ତେଣୁ ଠିକା ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର