ନୂଆପଲ୍ଲୀରୁ ନିଶାମାଫିଆକୁ ଉଠାଇଲା ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର : ଓଡ଼ିଶାରୁ ନୂଆଦିଲ୍ଲୀ ଯାଏ ଚୋରା ଗଞ୍ଜେଇ କାରବାରର ମଙ୍ଗ ଧରିଥିବା ଜଣେ ନିଶାମାଫିଆକୁ ଶନିବାର ଦିନ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍‌ ନୂଆପଲ୍ଲୀରୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଢେଙ୍କାନାଳ ଜିଲ୍ଲା ଭୁବନର ଅକ୍ଷୟ କୁମାର ଜେନା। ନୂଆପଲ୍ଲୀ ପୁଲିସ ସହାୟତାରେ ଶନିବାର ଦିନ ତାକୁ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଇଥିଲା ଓ ସେଠାରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଛି।

ଦିଲ୍ଲୀ କ୍ରାଇମବ୍ରାଞ୍ଚ୍‌ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ମେ ୨୫ତାରିଖରେ ନୂଆଦିଲ୍ଲୀରେ ଏକ କାର୍ ଜବତ ହୋଇଥିଲା। ସେଥିରୁ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କାର ଗଂଜେଇ ମିଳିଥିଲା। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରିବା ପରେ ଗଂଜେଇ କାରବାର ଲିଙ୍କ୍‌ରେ କାର୍‌ ମାଲିକ ଅକ୍ଷୟର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ତେଣୁ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍ ପୁଲିସ କାର୍‌ ମାଲିକାନା ତଥ୍ୟ ଅନୁସାରେ ଢେଙ୍କାନାଳ ଭୁବନରେ ଚଢ଼ଉ କରିଥିଲା। ମାତ୍ର ପେସାଦାର ନିଶାମାଫିଆ ଅକ୍ଷୟ ବାବଦରେ କୌଣସି ସୂଚନା ପାଇନଥିଲା। ଦୀର୍ଘ ବର୍ଷ ହେବ ରାଜ୍ୟ ବାହାରେ ନିଶା କାରବାରର ସିଣ୍ଡିକେଟ୍ ଚଳାଉଥିବା ଧୂର୍ତ୍ତ ଅକ୍ଷୟ ଜାଣି ଶୁଣି ନୂଆପଲ୍ଲୀରେ ରହି ବି ଭୁବନ ଠିକଣାରେ କାର୍ କିଣିଥିଲା। ତେବେ ଦିଲ୍ଲୀ ପୁଲିସ ଖୋଳତାଡ଼ କରିଥିଲା ଓ ଗିରଫ ବ୍ୟକ୍ତିଠାରୁ ପାଇଥିବା ଫୋନ୍‌ ନମ୍ବରକୁ ଟ୍ରାକ୍ କରି ନୂଆପଲ୍ଲୀ ଠିକଣା ପାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ତା’ର ଏନ୍-୫ସ୍ଥିତ ୪୫୧ନମ୍ବର ପ୍ଲଟ୍‌ରେ ଚଢ଼ଉ କରି ତାକୁ ଗିରଫ କରାଯାଇଥିଲା।

ବାପା ଏକ ନମ୍ବରୀ, ବେଟା ଦଶ ନମ୍ବରୀ
ନିଶା ମାଫିଆ ଅକ୍ଷୟ ଗିରଫ ହେବା ଖବର ପ୍ରଚାରିତ ହେବା ପରେ ତା’ ପୁଅ ଆଶିଷ କଥାକୁ ନେଇ ସ୍ଥାନୀୟ ଅଞ୍ଚଳ‌ରେ ବେଶ୍ ଚର୍ଚ୍ଚା ଚାଲିଛି। ଗତ ଏପ୍ରିଲ ମାସରେ ନୂଆପଲ୍ଲୀ ଥାନା ପୁଲିସ ଆଶିଷକୁ ଗିରଫ କରିଥିଲା ଓ ଏବେ ବି ସେ ଜେଲ୍‌ରେ ଅଛି। ଜଣେ ନାବାଳିକାକୁ ଫ୍ରେମ ଜାଲରେ ଫସାଇ ଆଶିଷ ଚତୁରତାର ସହ ମୋବାଇଲ୍‌ ଫୋନ୍‌ରେ ଏକ ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିଲା। ପରେ ଉକ୍ତ ଭିଡିଓକୁ ଭାଇରାଲ୍‌ କରିବା ଭୟ ଦେଖାଇ ନାବାଳିକାକୁ ବ୍ଲାକମେଲ୍ କରିଥିଲା ଓ ତା’ଠାରୁ ପ୍ରାୟ ୫ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଲକ୍ଷାଧିକ ଟଙ୍କା ନେଇଥିଲା। ଏହି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରିଥିଲା। ଆଜି ଦିଲ୍ଲୀ କ୍ରାଇମବ୍ରାଞ୍ଚ୍‌ ପୁଲିସ ଆଶିଷର ବାପା ଅକ୍ଷୟକୁ ଗିରଫ କରିଛି। ‌ ବାପା ଏକ ନମ୍ବରୀ, ପୁଅ ଦଶ ନମ୍ବରୀ ବୋଲି ବେଶ୍‌ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର