ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡେଙ୍ଗୁରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପତ୍ନୀ ମୃତ୍ୟୁବରଣ କରିଛନ୍ତି। ସାଂସଦ ନିଜେ ଡେଙ୍ଗୁରେ ଗୁରୁତର ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତେଣୁ ଆଜି ଦିଲ୍ଲୀରୁ ଦୁଇଜଣିଆ କେନ୍ଦ୍ରୀୟ ପ୍ରତିନିଧି ରାଜଧାନୀର ବିଭିନ୍ନ ହସ୍ପିଟାଲ ଓ ଅଞ୍ଚଳ ବୁଲି ଡେଙ୍ଗୁ ଓ ମ୍ୟାଲେରିଆ ସ୍ଥିତି ଯାଞ୍ଚ କରିଛନ୍ତି। ଆଜି କେନ୍ଦ୍ରୀୟ ପ୍ରତିନିଧି ରିଙ୍କୁ ଶର୍ମା ଓ ଅମିତ କେୟାସ କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲର ଡେଙ୍ଗୁ ୱାର୍ଡ଼ ଓ ରାଜଧାନୀର ବିଭିନ୍ନ ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲିବା ସହିତ ସ୍ଥିତି ଯାଞ୍ଚ କରିଛନ୍ତି। ତାଙ୍କ ସହିତ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ବୁଲିଥିଲେ। ରାଜଧାନୀରେ ଏପର୍ଯ୍ୟନ୍ତ ପ୍ରାୟ ୧୫ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସେଥିରୁ ୪୩୬ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ମୋଟ ୧୯,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୯୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୩୬ଜଣ ଚିହ୍ନଟ ହୋଇଥିବା ବେଳେ ୨୬୮ ରୋଗୀଙ୍କର କୌଣସି ତଥ୍ୟ ନାହିଁ। ସେହିପରି ଅନ୍ୟ ଜିଲାରୁ ୪୫ ଓ ଖୋର୍ଦ୍ଧା ଅଞ୍ଚଳରୁ ୧୭୦ ଚିହ୍ନଟ ହୋଇଥିବା ଜଣାପଡିଛି।

Advertisment

ଅନ୍ୟପକ୍ଷରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ୱାର୍ଡରେ ରୋଗୀରେ ଭର୍ତ୍ତି ହୋଇଯାଇଛି। ଡେଙ୍ଗୁ ୱାର୍ଡରେ ୨୦ଟି ଶଯ୍ୟା‌ ରହିଥିବା ବେଳେ ଏବେ ସମସ୍ତ ଶଯ୍ୟାରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ଏହାସହ ଆଜି ୨୩୦ ଜଣ ଡେଙ୍ଗୁ ପରୀକ୍ଷା କରିଥିବା ବେଳେ ୧୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଡେଙ୍ଗୁ ୱାର୍ଡ଼ ଭର୍ତ୍ତି ହୋଇଯାଇଛି। ରୋଗୀ ଅଧିକ ହେଲେ ଆହୁରି ୫୦ ଶଯ୍ୟ‌ା ବିଭିନ୍ନ ୱାର୍ଡ‌ରେ ସଂରକ୍ଷିତ ରଖାଯାଇଛି। ଆବଶ୍ୟକ ପଡ଼ି‌‌ଲେ ଶଯ୍ୟ‌ା ସଂଖ୍ୟାରେ ବୃଦ୍ଧି କରାଯିବ। ହସ୍ପିଟାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ସମସ୍ତ ରୋଗୀ ରାଜଧାନୀର ନୁହନ୍ତି ବୋଲି ଜଣାପଡ଼ିଛି। । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି ଓ ଜାଗମରା ଅଞ୍ଚଳରୁ ଅଧିକ ଚିହ୍ନଟ ହେଉଥିବାବେଳେ ଏବେ ପଟିଆ ଏକ ନମ୍ବରରେ ରହିଛି ବୋଲି ଜଣାପଡିଛି। ସେହିପରି ସହିଦନଗର, ସାଲିଆସାହି ଅଞ୍ଚଳରେ ମଧ୍ୟ ଆକ୍ରାନ୍ତ ରହିଛନ୍ତି।