ଭୁବନେଶ୍ବର: ପିଠିରେ ସ୍ବିଗି ବ୍ୟାଗ୍ ପକାଇ ବେଧଡ଼କ ଚଳାଇଥିଲା ଗଞ୍ଜେଇ ଚୋରା ଚାଲାଣ। ବ୍ୟାଗ୍ରେ ଖାଦ୍ୟ ପୁଡ଼ିଆ ବଦଳରେ ଥିଲା ଗଞ୍ଜେଇ ପ୍ୟାକେଟ୍। ଏମିତି ବେଶ୍ କିଛି ଦିନ ହେଲା ଛଦ୍ମବେଶରେ ସେ ରାଜଧାନୀରେ ଚଳାଇଥିଲା ଗଞ୍ଜେଇ ବେପାର। କିନ୍ତୁ ଆଜି ଅବକାରୀ ବିଭାଗ ଅଧିକାରୀଙ୍କ ଆଖିକୁ ଫାଙ୍କି ପାରିଲାନାହିଁ। ଗଞ୍ଜେଇ ଭର୍ତ୍ତି ସ୍ବିଗି ବ୍ୟାଗ୍ ସହ ଚାଲାଣକାରୀକୁ ମାଡ଼ି ବସିଲେ ଅବକାରୀ ସ୍କ୍ବାଡ୍। ଅଭିଯୁକ୍ତ ହେଉଛି ପୁରୁଣା ଭୁବନେଶ୍ବର କୁଂଜପାଟଣା ସାହିର ପ୍ରେମଚାନ୍ଦ ନାୟକ। ଜବତ ମାଲ୍ର ବଜାର ଦର ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୂଚନାନୁସାରେ ପ୍ରେମଚାନ୍ଦ ଏହି ଅଭିନବ ଉପାୟରେ କଳା କାରବାର ଚଳାଇଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା। ସ୍ବିଗି ବ୍ୟାଗ୍ରେ ଗଞ୍ଜେଇ ଭର୍ତ୍ତି କରି ସେ ଖାଦ୍ୟ ଡେଲିଭରି କରିବା ଆଳରେ ବିଭିନ୍ନ ଛୋଟ ଛୋଟ ଦୋକାନରେ ମାଲ୍ ପହଞ୍ଚାଉଥିଲା। ତେଣୁ ଭୁବନେଶ୍ବର ଅବକାରୀ ଟିମ୍ ଓ ମୋବାଇଲ୍ ୟୁନିଟ୍ ମିଳିତ ଭାବେ ଲିଙ୍ଗରାଜ ଥାନା ଅଞ୍ଚଳରେ ଛକି ରହିଥିଲେ। ପ୍ରେମଚାନ୍ଦ ଗୋସାଗରେଶ୍ବର ଛକ ନିକଟରେ ପହଞ୍ଚିବା ମାତ୍ରେ ତାକୁ ଅବକାରୀ ସ୍କ୍ବାଡ୍ ଘେରି ଯାଇଥିଲେ। ତା’ ବ୍ୟାଗ୍ ଯାଞ୍ଚ କରିବା ବେଳେ ୧୦ଟି ପ୍ୟାକେଟ୍ରେ ଗଞ୍ଜେଇ ଥିବା ଧରାପଡ଼ିଥିଲା। କରୋନା କଟକଣା ଲାଗୁ ହେବା ଠାରୁ ସେ ଏହି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ସ୍ବୀକାର କରିଛି। ଆଜିର ଚଢ଼ଉରେ ଆଇଆଇସି ସମରଜିତ୍ ଦାଶ, ଏସ୍ଆଇ ବିଶ୍ବମ୍ବର ବିଶ୍ବାଳ, ଏଏସ୍ଆଇ ସୁଜିତ୍ ମୁଦୁଲି, ଲକ୍ଷ୍ମଣ ଗଣିକ ପ୍ରମୁଖ ସାମିଲ୍ ହୋଇଥିଲେ।