ଭୁବନେଶ୍ୱର: ଫେବ୍ରୁଆରି ଶେଷରୁ ମେ’ ମାସ ଖରା। ମୁଣ୍ଡଫଟା ଖରାକୁ ଅସହ୍ୟ ଗରମରେ ମନ ଖୋଜୁଛି ଥଣ୍ଡା ପାଣି। ଏଣୁ ବେପାରୀ ବି ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ରାସ୍ତାକଡ଼ରେ ପସରା ମେଲିଛନ୍ତି। କେଉଁଠି ମାଟିହାଣ୍ଡିରେ ଲସି ମିଳୁଛି ତ ଆଉ କେଉଁଠି ଗୁଡ଼ ବେଲ ପଣା, ଆଖୁରସ, ଲେମ୍ବୁ ମିଶ୍ରି ପାଣି, ପୁଦିନା ପାଣି, ଆମ୍ବ ସର୍ବତ ଓ ନାଣ୍ଡି ବଗୁଲି ବିକ୍ରି ହେଉଛି। ଖରାଦିନିଆ ଫଳର ବି ଚାହିଦା ବଢ଼ିଛି। ତରଭୁଜ, ଅଙ୍ଗୁର, ସପୁରି ଆଦି ରାସ୍ତାକଡ଼ରେ ଛାଇଯାଇଛି। ଏହି ସମୟରେ ଆମ୍ୱ ଆସିନଥାଏ। କିନ୍ତୁ କିଛି ଜାଗାରେ ଆମ୍ୱ ସର୍ବତ ବିକ୍ରି ଆରମ୍ଭ ହେଲାଣି। ପଇଡ଼ ଓ ଆଖୁରସ ବେପାର ମଧ୍ୟ ଜମୁଛି।
ଖରାକୁ ନଜରରେ ରଖି ସହରରେ ତରଭୁଜ ବିକ୍ରି ବଢ଼ିଛି। ଦୋକାନଗୁଡ଼ିକରେ ତରଭୁଜ କେଜି ୨୫ଟଙ୍କା ଥିବାବେଳେ ଖଣ୍ଡକୁ ୧୦ଟଙ୍କାରେ ବିକ୍ରି ହେଉଛି। ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଗୋପ ଆଦି ଅଞ୍ଚଳରୁ ଏହା ଆସୁଛି। ଦିନକୁ ପ୍ରାୟ ୧ କ୍ବିଣ୍ଟାଲ୍ ଭିତରେ ତରଭୁଜ ବିକ୍ରି ହୋଇଯାଉଛି। ତେବେ ଏନେଇ ୟୁନିଟ୍ ୪ର ବ୍ୟବସାୟୀ ରାମନାଥ ସାହୁଙ୍କ କହିବା ଅନୁଯାୟୀ ଯଦିଓ ଖରା ଯୋଗୁବେପାର ଭଲ ହେଉଛି। ହେଲେ ଏତେ ଖରାରେ କିଛି ପଚି ଯାଇ ନଷ୍ଟ ମଧ୍ୟ ହୋଇଯାଉଛି। ଆଗକୁ ଆହୁରି ବେପାର ବଢ଼ିବ ବୋଲି ଆଶା ରହିଛି।
ଓଡ଼ିଆ ଘରମାନଙ୍କରେ ଲେମ୍ବୁ ସରବତ ବେଶ୍ ଜଣାଶୁଣା। ତେବେ ଏହି ସର୍ବତକୁ ଅଧିକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ହିତକର କରିବାକୁ ଏଥିରେ ନଣ୍ଡାବଗୁଲିର ମିଶ୍ରଣ ଦେଖିବାକୁ ମିଳୁଛି। ଫଳସ୍ୱରୁପ ଲୋକମାନେ ଅନ୍ୟ ଥଣ୍ଡା ପାନୀୟ ବଦଳରେ ଏହାକୁ ପିଇବାକୁ ବେଶି ଚାହୁଛନ୍ତି। ଏହାବ୍ୟତୀତ ଲେମ୍ବୁ ସହିତ ପୁଦିନା ପତ୍ର, ଆମ୍ବଅଦା, କଞ୍ଚାଲଙ୍କା, ଜଲ୍ଜିରା, ପାନମଧୁରୀ ମିଶ୍ରିତ ପାନୀୟର ମଧ୍ୟ ବେଶ ଚାହିଦା ରହିଛି। ୟୁନିଟ୍ ୩ର ବ୍ୟବସାୟୀ ରବୀନ୍ଦ୍ର କୁମାର ପଣ୍ଡାଙ୍କ କହିବା ଅନୁଯାୟୀ ସେ ଦୀର୍ଘ ୩୫ ବର୍ଷ ହେଲାଣି ଖରାଦିନେ ଏହି ବେପାର କରୁଛନ୍ତି। ପ୍ରଥମେ ଏକ ଟଙ୍କାର ରସନା ପାଣିରୁ ତାଙ୍କର ବେପାର ଆରମ୍ଭ ହୋଇଥିଲା। ଏହା ପରେ ଲେମ୍ୱ ଓ ପୋଦିନା ମିଶା ସର୍ବତର ଚାହିଦା ବଢ଼ିଲା। ହେଲେ ବର୍ତ୍ତମାନ ନଣ୍ଡାବଗୁଲି ସର୍ବତକୁ ସମସ୍ତେ ପସନ୍ଦ କରୁଛନ୍ତି। ପ୍ରତିଦିନ ତାଙ୍କର ପାଖାପାଖି ୨୦୦ ଗ୍ଲାସ୍ ସର୍ବତ ବିକ୍ରି ହେଉଛି। ଗ୍ଲାସ୍ର ଦାମ୍ ୧୦ ଟଙ୍କା ହୋଇଥିବାରୁ ଲୋକଙ୍କ ପକେଟ୍କୁ ଏହା ସୁହାଉଛି। ଏବେ ଖରା ଶୀଘ୍ର ଆସିଯାଇଥିବାରୁ ଯଥେଷ୍ଟ ପୂର୍ବରୁ ବେପାର ହେଉଛି।