ଭୁବନେଶ୍ୱର: ବିଭିନ୍ନ ଅନୁଷ୍ଠାନମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଞ୍ଚ’ ପକ୍ଷରୁ ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନ ଜୋର ଧରିଛି । ବିଭିନ୍ନ ମୁରବି ଓ ଅନୁଷ୍ଠାନର ସହଯୋଗରେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ଦୁଇଟି ସ୍ଥାନରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଲିଙ୍ଗରାଜ ସାହୁଙ୍କ ଅବାହକତ୍ୱରେ ରାମେଶ୍ୱର ପାଟଣାରେ ହରିଓଁ କ୍ଲବର ବରିଷ୍ଠ ମୁରବିମାନେ ସାମିଲ ହୋଇଥିବା ବେଳେ ଗଙ୍ଗୋତ୍ରୀ ନଗର ଅଞ୍ଚଳରେ ଧଉଳି ସାହିତ୍ୟ ସଂସଦର ବହୁ ସଦସ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ହରିଓଁ କ୍ଲବର ସଦସ୍ୟ ରମାକାନ୍ତ ମହାନ୍ତି, ଉଲ୍ଲାସ ଚନ୍ଦ୍ର ପଟ୍ଟନାୟକ, ବିଷ୍ଣୁପ୍ରସାଦ ମୁଦୁଲି, ରମେଶ ଚନ୍ଦ୍ର ଦାଶ, ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର, ସୁଧୀର ରଞ୍ଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଧଉଳି ସାହିତ୍ୟ ସଂସଦର ଅକ୍ଷୟ କୁମାର ସ୍ୱାଇଁ, ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ, ପ୍ରଧାନ ଶିକ୍ଷକ ଅନାଥ ବନ୍ଧୁ ସାମନ୍ତରାୟ, ସନ୍ତୋଷ ଦାଶ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ ଓ ବହୁ ସଦସ୍ୟ ସାମିଲ ହୋଇ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ଦାବି କରିଥିଲେ।
ସେମାନେ ଦାବି କରି କହିଛନ୍ତି ଯେ, ୧୯୯୨ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ ବେଳେ ଏହାର ଲୋକ ସଂଖ୍ୟା ୧୧ଲକ୍ଷ ଥିବା ବେଳେ ଏବେ ଏହା ୨୨ଲକ୍ଷରେ ପହଞ୍ଚିଲାଣି। ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ୩ ନିର୍ବାଚନମଣ୍ଡଳୀରେ ଲୋକ ସଂଖ୍ୟା ୧୨ଲକ୍ଷରେ ପହଞ୍ଚିଲାଣି। ୧୩ ଜିଲ୍ଲା ପୁନର୍ଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍ ଦାସ କମିସନ ତାଙ୍କ ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଗଠନ ପାଇଁ ସୁପାରିଶ କରିଥିଲେ। ଭୁବନେଶ୍ୱରକୁ ଜିଲ୍ଲା ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତାବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ।