ଭୁଶୁଡ଼ିଲା ଦୟାୱେଷ୍ଟ୍‌ କେନାଲ ବନ୍ଧ, ନିମ୍ନମାନର କାମ ଯୋଗୁଁ ୧୦୦ ଫୁଟ୍‌ର ଘାଇ

ଚନ୍ଦ୍ରଶେଖରପୁର: ଆଜି ସକାଳେ ମଞ୍ଚେଶ୍ବର ନିକଟ କାଳିଖମା ସାଇଫନ୍ ନିକଟରେ ଦୟାୱେଷ୍ଟ କେନାଲର ଗୋଟିଏ ପାର୍ଶ୍ବର ବନ୍ଧ ଭୁଶୁଡ଼ି ଯାଇଛି। ଫଳରେ ୧୦୦ ଫୁଟ୍‌ ଲମ୍ବର ଏକ ବିଶାଳ ଘାଇ ସୃଷ୍ଟି ହୋଇଛି ଓ କେନାର ସବୁ ପାଣି ଗଙ୍ଗୁଆ ନାଳକୁ ବହୁଛି। ନିମ୍ନମାନର କାମ ପାଇଁ ବନ୍ଧ ଭୁଶୁଡ଼ି ପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖରାଦିନ ପାଇଁ କେନାଲ ପାଣିକୁ ଅପେକ୍ଷା କରାଯାଇଥିବା ବେଳେ ଏବେ ଏହି ଘାଇ ଯୋଗୁଁ ଚଳିତ ବର୍ଷ ଲୋକେ ବଡ଼ ହୀନସ୍ତା ହେବେ ବୋଲି କ୍ଷୋଭ ପ୍ରକାଶ ପାଇଛି। ଠିକାଦାରଙ୍କ ମନମାନୀ ପାଇଁ ରାଜକୋଷର ବିପୁଳ କ୍ଷତି ହୋଇଥିବା ବେଳେ ଚଳିତ ବର୍ଷ ଜଳକଷ୍ଟ ଲୋକଙ୍କୁ କଲବଲ କରିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମଞ୍ଚେଶ୍ବର ଭୋଟପଡ଼ାରୁ ପଟିଆକୁ ସଂଯୋଗ କରୁଥିବା ରୋକଟ ପାଖ ଏହି ଦୟାୱେଷ୍ଟ କେନାଲ୍ ବନ୍ଧ ରାସ୍ତାର କାଳିଖମା ସାଇପନ୍ ନିକଟରେ ଆଜି ଅତଡ଼ା ଖସି ପଡ଼ିଥିଲା। କେନାଲରେ ଭରପୁର ପାଣି ଥିବାରୁ ଦୁର୍ବଳ ବନ୍ଧ ଭାଙ୍ଗି ଯାଇଥିଲା ଓ ମାତ୍ର କେଇ ମିନିଟ୍‌ ଭିତରେ ପ୍ରାୟ ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା। କାଳିଖମା ନିକଟ ଗଙ୍ଗୁଆ ସାଇପନ୍ ମୁହାଁଣରୁ ପଥର ପ୍ୟାକିଂ ଭାଙ୍ଗି ଭୁଶୁଡ଼ି ପଡ଼ିବାରୁ ଏହି ଘାଇ ହୋଇଛି। ଫଳରେ କେନାଲ ପାଣି ସବୁ ତଳକୁ ଯିବା ବଦଳରେ ଗଙ୍ଗୁଆ ନାଳରେ ମିଶିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କେନାଲରେ ଗତ ବ‌ର୍ଷ‌େ ହେବ ପାଣି ଛଡ଼ା ଯାଇନଥିଲା। ବନ୍ଧ ମରାମତି କାର୍ଯ୍ୟ ଚାଲିଥିଲା ବୋଲି କେନାଲ ଶୁଖିଲା ପଡ଼ିଥିଲା। କେତେକ ଠିକାଦାର ଏହି କେନାଲର ବିଭନ୍ନ ସ୍ଥାନରେ ପଥର ପ୍ୟାକିଂ ଓ ମାଟି ବାହାର କରିବା କାର୍ଯ୍ୟ କରୁଥିଲେ। ସେତେବେ‌ଳେ ନିମ୍ନମାନର କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏମିତିକି ଠିକାଦାରଙ୍କ ସହ ସ୍ଥାନୀୟ ଲୋକଙ୍କ ବଚସା ହୋଇଥିଲା ଓ ମାମଲା ମଞ୍ଚେଶ୍ବର ଥାନାରେ ପହଞ୍ଚିଥିଲା। ମାତ୍ର ସେତେବେଳେ ଲୋକଙ୍କ ଅଭିଯୋଗକୁ ଅଣଦେଖା କରାଗଲା ଓ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଆଜି ବନ୍ଧ ଭାଙ୍ଗିବା ପରେ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନାନୁଯାୟୀ ଏହି କେନାଲ୍ ବନ୍ଧ ମରାମତି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ଗତ ୩ ବର୍ଷ ମଧ୍ୟରେ ଦୁଇ ଥର ପଥର ପ୍ୟାକିଂ ଭୁଶୁଡ଼ି ବନ୍ଧ ଭାଙ୍ଗିଛି। ତଥାପି ବିଭାଗୀୟ ଅଧିକାରୀମାନଙ୍କ ଚେତା ପଶୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର