ମୀରାଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେଲା ସଂସ୍କୃତି ବିଭାଗ

ପୁରୁଣା ଭୁବନେଶ୍ୱର: ଓଡ଼ିଆ ସିନେମା ଓ ଥିଏଟର୍‌ ଜଗତରେ ନିଜ ଅଭିନୟର ଯାଦୁ ଦେଖାଇଥିବା ୮୦ ଦଶକର ହାସ୍ୟ ଅଭିନେତ୍ରୀ ମୀରା ମହାନ୍ତିଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହୟତା ପ୍ରଦାନ କରାଯାଇଛି। ବିଭାଗୀୟ ନିର୍ଦ୍ଦେଶକ ରଂଜନ ଦାସ ନବବର୍ଷ ଅବସରରେ ମୀରାଙ୍କୁ ତାଙ୍କ ବାସଭବନରେ ଭେଟି ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ମୀରାଙ୍କୁ ସରକାର କଳାକାର ଭତ୍ତା ଦେଉଥିଲେ। କିନ୍ତୁ କରୋନା ପାଇଁ ଦୀର୍ଘ ୮ ମାସ ହେଲା ତାଙ୍କୁ ଭତ୍ତା ଦିଆଯାଇ ପାରି ନଥିଲା। ପରିଣତ ବୟସରେ ମୀରାଙ୍କ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ତାଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଥିଲା। ବୃଦ୍ଧାବସ୍ଥା ସାଙ୍ଗକୁ ରୋଗଗ୍ରସ୍ତ ଶରୀର ହେତୁ ଅତ୍ୟନ୍ତ ଦୟନୀୟ ଅବସ୍ଥା‌ରେ ସେ ୱାର୍ଡ ନମ୍ବର ୫୭ରେ ଥିବା ଏକ ବସ୍ତିରେ ଜୀବନ ବିତାଉଥିଲେ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟ‌ମରେ ଖବର ପ୍ରକାଶିତ ହେବା ପରେ ମୀରାଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିଥିଲା। ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ପ୍ରତିଧ୍ବନି, ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା ଆଦି‌ରେ ଅଭିନୟ କରି ମୀରା ଦର୍ଶକଙ୍କ ମନ ଜିଣିଥିଲେ। ଏହାବ୍ୟତୀତ ସେ କଳାଶ୍ରୀ ଥିଏଟର୍‌, ଜନତା ରଙ୍ଗମଞ୍ଚ, ଏକାମ୍ର ଥିଏଟର୍‌ ଆଦିରେ ନୃତ୍ୟଶିଳ୍ପୀ ଓ ହାସ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର