ପାଠପଢ଼ା, ପରୀକ୍ଷା ନେଇ ସ୍ପଷ୍ଟ କରୁନି ବୈଷୟିକ ଶିକ୍ଷା ବିଭାଗ

ଚିନ୍ତାରେ ଭିସୁଟ୍‌ ଛାତ୍ରଛାତ୍ରୀ, ଅଭିଭାବକ

ଭୁବନେଶ୍ବର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଚାଲିଛି ଅଜବ ନୀତି। କେତେବେଳେ କେଉଁ ନିଷ୍ପତ୍ତି ହେଉଛି ଓ ବିଜ୍ଞପ୍ତି ପ୍ରକାଶ ପାଉଛି, ସେନେଇ କାହା ପାଖରେ ଖବର ରହୁନି। କରୋନା କାଳରେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସମୟରେ ପଦକ୍ଷେପ ‌ନେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଅବଗତ କରାଉଛନ୍ତି। ତେବେ ବୈଷୟିକ ଶିକ୍ଷା ବିଭାଗ ଏକପ୍ରକାର ସ୍ଥାଣୁ ପାଲଟିଛି। ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ କେହି ବି ସ୍ପଷ୍ଟ ସୂଚନା ଦେଉନାହାନ୍ତି, ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଡିସେମ୍ବର ଲାଗି ଏସ୍‌ଆରସିଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଶିକ୍ଷାନୁଷ୍ଠାନ ଖୋଲିବା, ପରୀକ୍ଷା ପରିଚାଳନା ଆଦି ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନିଷ୍ପତ୍ତି ନେଇପାରିବେ।

ତାହାକୁ ଆଧାର କରି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ଘୋଷଣା କରିଥିବା ବେଳେ ବୈଷୟିକ ଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ଚୁପ୍‌ ବସିଛି। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କୁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଇତି ମଧ୍ୟରେ ଅଡ୍‌ ସେମିଷ୍ଟର(୩ୟ, ୫ମ ଓ ୭ମ) ପରୀକ୍ଷା ଦିଗରେ ପଦକ୍ଷେପ ନେଇଛି। ଡିସେମ୍ବର ୨୮ରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି। ସ୍ବୟଂଶାସିତ ବୈଷୟିକ କଲେଜଗୁଡ଼ିକ ବି ଇତି ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କଲେଣି। ଥିଓରି ପରୀକ୍ଷା କରିବା ଦିଗରେ ବି ପଦକ୍ଷେପ ନେଇଛନ୍ତି। ହେଲେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜି(ଭିସୁଟ୍‌) ଏପର୍ଯ୍ୟନ୍ତ ଚୁପ୍‌ ବସିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ କୌଣସି ସୂଚନା ଦେଉନାହାନ୍ତି। ପରୀକ୍ଷା‌ ହେବ କି ନାହିଁ, ଉଚ୍ଚଶିକ୍ଷା ବିଭାଗ ପରି କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା କରାଯିବ; ଆଦି ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିଛି ବି କହୁନାହାନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। କ’ଣ କରିବେ, କିଛି ବି ଜାଣିପାରୁ ନାହାନ୍ତି। ଗୋଟିଏ ପଟେ କରୋନା ଯୋଗୁଁ ପିଲାମା‌ନେ ମାନସିକ ଅଶାନ୍ତିରେ ଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଏଭଳି ହେୟଜ୍ଞାନ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି। ଏମିତିକି ଭବିଷ୍ୟତ ଅନ୍ଧକାର ଆଡ଼କୁ ଯିବାର ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଭିଭାବକମାନେ ବୈଷୟିକ ଶିକ୍ଷା ମନ୍ତ୍ରୀ, ସଚିବଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର