ନଗର ଉନ୍ନୟନ-ପରିବହନ ବିଭାଗ ବୁଝାମଣା ନାହିଁ, ବିଫଳ କରିଦେଲେ ସିଟି ବସ୍‌ ଯୋଜନା

ବାଧକ ସାଜୁଛି ରୁଟ୍‌ ପରମିଟ୍‌ , ୭ଏସ୍‌ପିଭି ଅବସ୍ଥା ଦୟନୀୟ, ୫୪ ବସ୍‌ ଖତ ଖାଉଛି, ବରବାଦ୍ କରିଦେଲେ କୋଟି କୋଟି ଟଙ୍କା

ବିଶ୍ବଜିତ୍ ଦାଶ
ଭୁବନେଶ୍ବର: ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା କମାଇବା ସହ ଅଧିକରୁ ଅଧିକ ଲୋକ ଯେପରି ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟାତ କରିବେ, ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ସହରାଞ୍ଚଳରେ ସିଟି ବସ୍‌ ଯୋଜନା ଆରମ୍ଭ କରିଛନ୍ତି। ଭୁବନେଶ୍ବରରେ ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଲୋକାଦୃତ ହେବା ପରେ ଏହା ୧୨ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଥିଲା। ଭୁବନେଶ୍ବର-କଟକ-ପୁରୀ-ଖୋର୍ଦ୍ଧାରେ ଯେପରି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ‘ମୋ ବସ୍‌’ ଚାଲୁଛି, ୨୦ରୁ ଅଧିକ ସହରରେ ଏହିପରି ସିଟି ବସ୍‌ ଚାଲୁଛି। କିନ୍ତୁ ଏହି ଯୋଜନା ଏବେ ଫେଲ୍ ମାରିବାକୁ ଯାଉଛି।

ଲୋକ ଯେତେବେଳେ ଚାହୁଛନ୍ତି, ସେତେବେଳେ ବସ୍‌ ଆସୁନି ନଚେତ୍‌ ଯେଉଁ ଅଞ୍ଚଳରେ ଲୋକ ସିଟି ବସ୍‌ ଚାହୁଛନ୍ତି, ସେହି ଅଞ୍ଚଳକୁ ବସ୍‌ ଗଡ଼ିପାରୁନି। ଫଳରେ ଅଧିକାଂଶ ଜିଲ୍ଲାରେ ଏହି ଯୋଜନା ମୂଳ ଲକ୍ଷ୍ୟକୁ ସାଧିତ କରିପାରୁନାହିଁ। ସବୁଠୁ ଅଧିକ ସଫଳତା ହାସଲ କରିଥିବା ‘ମୋ ବସ୍‌’ ବି ଲକ୍ଷଚ୍ୟୁତ ହେବାକୁ ବସିଲାଣି। ସହରାଞ୍ଚଳବାସୀଙ୍କୁ ସହର ଭିତରେ ସୁବିଧାରେ ଯାତାୟାତ ସୁବିଧା ଯୋଗାଇଦେବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୮ଟି ଏସ୍‌ପିଭି (ସ୍ପେସାଲ ପରପୋଜ୍ ଭେହିକିଲ୍‌) ଗଠନ ହୋଇଛି। ହେଲେ ଏବେ ଅଧିକାଂଶଙ୍କ ଅବସ୍ଥା ଶୋଚନୀୟ। କୌଣସି ଗୋଟିଏ ବି ଲାଭରେ ଚାଲୁ ନାହାନ୍ତି। କିଣା ହୋଇଥିବା ବସ୍‌ ମଧ୍ୟରୁ ୫୪ଟି ସିଟି ବସ୍‌ ଏବେ ବିଭିନ୍ନ ଜିଲ୍ଲାରେ ଖତ ଖାଉଛି। ଅବ୍ୟବହୃତ ହୋଇ ବର୍ଷବର୍ଷ ଧରି ବସ୍‌ ପଡ଼ିଥିବାରୁ ଅଧିକାଂଶ ବସ୍‌ର ଯନ୍ତ୍ରାଂଶ ଚୋରି ହୋଇଗଲାଣି ନଚେତ୍‌ ନଷ୍ଟ ହୋଇଗଲାଣି। ଗୋଟିଏ ବସ୍‌ କିଣିବାକୁ ସରକାର ପ୍ରାୟ ୩୦ରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କିଛି ଅଧିକାରୀଙ୍କ ମନମାନି ଯୋଗୁଁ ଏବେ ପ୍ରାୟ ୨୦କୋଟି ଟଙ୍କାର ବସ୍‌ ଖତ ଖାଉଛି। ଘରୋଇ ବସ୍‌ ମାଲିକମାନେ ବସ୍‌ ଚଲାଇ ଲାଭ କରୁଥିବାବେଳେ ସରକାରୀ ସଂସ୍ଥା କାହିଁକି କ୍ଷତି ସହୁଛନ୍ତି, ତାହା ଏବେ ସବୁ ମହଲକୁ ଆନ୍ଦୋଳିତ କରୁଛି। ଏବେ ଯୋ‌ଜନା ବିଫଳ ହେବା ପଛରେ ମୁଖ୍ୟ କାରଣ ହେଉଛି ରୁଟ୍‌ ପରମିଟ୍‌ ମିଳୁନାହିଁ। ଏସ୍‌ପିଭିଗୁଡ଼ିକ ଏଭଳି ଅଭିଯୋଗ କରୁଛନ୍ତି। ନଗର ଉନ୍ନୟନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସ୍‌ କିଣିଦେଇଛନ୍ତି। ହେଲେ ବସ୍‌ ଗଡ଼ିବା ପାଇଁ ରୁଟ୍‌ ପରମିଟ୍‌ ଆବଶ୍ୟକ ଥିବାରୁ ଯେତେବେଳେ ପରିବହନ ବିଭାଗକୁ ଫାଇଲ୍‌ ଗଲା ପରମିଟ୍‌ ମିଳିଲାନି। ଯେଉଁ ରୁଟ୍‌ରେ ଯେଉଁ ସମୟ ସୂଚୀ ମିଳିଲା, ସେତେବେଳେ ଅଧିକ ଲୋକ ଯାତାୟାତ କରୁନାହାନ୍ତି। ନଚେତ୍‌ ଏସ୍‌ପିଭି ଯେଉଁ ରୁଟ୍‌ ଚାହିଲା ସେହି ରୁଟ୍‌ ମିଳିଲାନି। ସ୍ଥିତି ଏପରି ହୋଇଛି ଯେ ଡିପୋରେ ବସ୍‌ ଖତ ଖାଉଛି ପଛେ ଥରଟିଏ ବି ଗଡ଼ିଲାନି। ଯେଉଁଠି ବସ୍‌ ଗଡ଼ୁଛି ସେଥିରୁ ଅଧିକାଂଶ ରୁଟ୍‌ରେ ତେଲ ଖର୍ଚ୍ଚ ବି ଉଠୁନି।

ସିଟି ବସ୍‌ଗୁଡ଼ିକୁ ରୁଟ୍‌ ପରମିଟ୍‌ ନମିଳିବା ନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଘରୋଇ ବସ୍‌ଗୁଡ଼ିକ ବିଭିନ୍ନ ରୁଟ୍‌ରେ ପରମିଟ୍‌ ନେଇ ବସ୍‌ ଚଳାଉଛନ୍ତି। ତେଣୁ ‌ଏସ୍‌ପିଭିଗୁଡ଼ିକୁ ସେହି ସମୟରେ ସମୟ ଦେବା ସମ୍ଭବ ହେଉନାହିଁ। ଏହାବାଦ୍‌ ସିଟି ବସ୍‌ ଯୋଜନା ଗୋଟିଏ ସିଟି ଭିତରେ ଚଲାଇବାକୁ ହୋଇଥିଲା। କିନ୍ତୁ ଏସ୍‌ପିଭିଗୁଡ଼ିକ ଅନ୍ୟ ଜିଲ୍ଲା ଓ ଅନ୍ୟ ସହରକୁ ବସ୍‌ ଚଲାଇବାକୁ ପରମିଟ୍‌ ମାଗୁଛନ୍ତି। ସିଟି ବସ୍‌ଗୁଡ଼ିକୁ ଜିଲ୍ଲା ବାହାରକୁ ପରମିଟ୍‌ ଦେବା ସମ୍ଭବ ନୁହେଁ। ତେଣୁ ଆମେ ଦେଉନୁ। ଯେଉଁ ରୁଟ୍‌ରେ ଯେଉଁ ସମୟରେ ଘରୋଇ ବସ୍‌ ପରମିଟ୍‌ ନେଇକି ଚଳାଉ ନଥିବେ, ସେହି ଅନୁଯାୟୀ ଆବେଦନ କଲେ ଆମେ ପରମିଟ୍‌ ଦେବୁ। ଏବେ ପରମିଟ୍‌ ଖାଲି ନଥିବାରୁ ସିଟି ବସ୍‌ ଚଲାଇବାକୁ ପରମିଟ୍‌ ଦିଆଯାଉନି। ଏବେ ପ୍ରଶ୍ନ ଉଠୁଛି, ସରକାରୀସ୍ତରରେ ଯୋଜନା କରାଯିବା ବେଳେ ଏକଥା କ’ଣ ଆଲୋଚନା ହୋଇନଥିଲା? ନଗର ଉନ୍ନୟନ ବିଭାଗ କ’ଣ ସିଟି ବସ୍‌ କିଣିଲା ବେଳେ ଏସବୁ ଉପରେ ଦୃଷ୍ଟି ଦେଇନଥିଲା? ସରକାରଙ୍କ ଗୋଟିଏ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସ୍‌ କିଣୁଥିବା ବେଳେ ଆଉ ଏକ ବିଭାଗ ଏଥିରେ କଣ୍ଟା ସାଜୁଛି। ଫଳ ହେଉଛି ସରକାରଙ୍କ ସମ୍ପତ୍ତି ଖତ ଖାଉଛି, ଲୋକ ସିଟି ବସ୍‌ ସେବା ପାଉନାହାନ୍ତି।

ରାଜ୍ୟର ସବୁଠୁ ସଫଳ ଏସ୍‌ପିଭି ଭାବେ କ୍ରୁଟ୍‌ ଗଣା ହେଉଛି। ଏହା ମଧ୍ୟ ପ୍ରଭାବିତ ହେଲାଣି। କ୍ରୁଟ୍‌ ମଧ୍ୟ ପରମିଟ୍‌ ଅଡ଼ୁଆରେ ଫସିଯାଇଛି। ଏପରିକି ପୁରୀ, କୋଣାର୍କ, ଜଟଣୀ, ଖୋର୍ଦ୍ଧା, କଟକ, ଚୌଦ୍ବାରକୁ ‘ମୋ ବସ୍‌’ ଚଲାଇବା ପାଇଁ ୨୦୧୮ ମସିହାରେ ଗଠନ ହୋଇଥିବା କ୍ରୁଟ୍‌ ଏବେ ମୁଖ୍ୟତଃ ଭୁବନେଶ୍ବର ମଧ୍ୟରେ ସୀମିତ ରହିଛି। କଟକ, ଖୋର୍ଦ୍ଧାକୁ ବସ୍‌ ଯାଉଥିଲେ ବି କଟକବାସୀ ଅଧିକ ଉପକୃତ ହେଉନାହାନ୍ତି। ଚୌଦ୍ବାରକୁ ବସ୍‌ ଗଡ଼ିପାରିଲାନି। ଜଟଣୀକୁ ଗୋଟିଏ ମାତ୍ର ବସ୍‌ ଯାଉଛି। ପୁରୀ, କୋଣାର୍କକୁ ମାତ୍ର ତିନିଟି ଲେଖାଏଁ ବସ୍ ଯାଉଛି। ଏହା ସ୍ଥାନୀୟ ଲୋକ ଓ ପୁରୀ-କୋଣାର୍କ ବୁଲିବାକୁ ଯାଉଥିବା ଲୋକଙ୍କ ଦ୍ବାରା ଅଧିକ ଆଦୃତ ହେଉଥିଲେ ବି ପରମିଟ୍‌ ମିଳୁନି। ଫଳରେ ୨୦୨୦ ଶେଷ ସୁଦ୍ଧା ୪୦୦ ବସ୍‌, ୨୦୨୫ ସୁଦ୍ଧା ୧୨୦୦ ବସ୍‌ ଚଲାଇବାକୁ ଯୋଜନା କରିଥିବା କ୍ରୁଟ୍‌ ଏବେ ୨୦୦ ବସ୍‌ରେ ସୀମିତ ରହିଯାଇଛି। ଅଧିକ ରୁଟ୍‌ରେ ଅଧିକ ବସ୍‌ ଚାଲିଲେ ହିଁ କ୍ରୁଟ୍‌ ଉଦ୍ଦେଶ୍ୟ ସଫଳ ହେବ, ଅଧିକ ଲୋକ ଉପକୃତ ହେବେ, ସେ କଥା କିଏ କାହାକୁ ବୁଝାଇବ। ସେହିପରି ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ହିଞ୍ଜିଳିକାଟୁରେ ସିଟି ବସ୍‌ ଚଲାଇବା ପାଇଁ ୨୦୧୪ରେ ଗଞ୍ଜାମ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ଜିୟୁଟିଏସ୍‌ଏଲ୍‌) ଏସ୍‌ପିଭି ଗଠନ ହୋଇଥିଲା। ଏଥିପାଇଁ ୪୨ଟି ବସ୍‌ କିଣାଯାଇଥିଲା। ହେଲେ ୧୦ଟି ବସ୍‌ ତିନି ବର୍ଷ ହେଲା ଖତ ଖାଉଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଡ଼ଗଡ଼ରେ ସିଟି ବସ୍‌ ସେବା ପାଇଁ ୱେଷ୍ଟର୍ଣ୍ଣ ଓଡ଼ିଶା ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ଡବ୍ଲ୍ୟୁଓୟୁଟିଏସ୍‌ଏଲ୍‌) ଗଠନ ହୋଇଥିଲା। ଏଥିପାଇଁ ୪୪ଟି ବସ୍‌ କିଣାଯାଇଥିଲା। ହେଲେ ୧୨ଟି ବସ୍‌ ତିନି ବର୍ଷ ହେଲା ଖତ ଖାଉଛି। କଟକ, ଚୌଦ୍ବାର ଓ ବାଙ୍କି ପାଇଁ ୨୦୧୫-୧୬ରେ କଟକ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ସିୟୁଟିଏସ୍‌ଏଲ୍‌) ଗଠନ ହୋଇଥିଲା। ଏଥିପାଇଁ ୩୦ଟି ସିଟି ବସ୍‌ କିଣାଯାଇଥିଲା। ହେଲେ ବସ୍‌ ଗଡ଼ିଲାନି। ବସ୍‌ ନଷ୍ଟ ହେବାରୁ ଏହାକୁ ଏବେ କ୍ରୁଟ୍‌କୁ ହସ୍ତାନ୍ତର କରାଯାଇଛି। ଅଧିକାଂଶ ବସ୍‌ରେ ଯନ୍ତ୍ରାଂଶ ନଥିବାରୁ ଏହାର ମରାମତି ପାଇଁ କୋଟିଏରୁ ଅଧିକ ଟଙ୍କା ଦରକାର।

ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର ପାଇଁ ୨୦୧୫ରେ ସୁନ୍ଦରଗଡ଼ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ଏସ୍‌ୟୁଟିଟି) ଗଠନ ହୋଇଥିଲା। ୩୦ଟି ବସ୍‌ କିଣାଯାଇଥିଲା। ଏବେ ଦୁଇଟି ବସ୍‌ ଖତ ଖାଉଛି। ରୁଟ୍‌ ପରମିଟ୍‌ ସମସ୍ୟା ଯୋଗୁଁ ଅଧିକାଂଶ ବସ୍‌ରେ ଲୋକ ହେଉନାହାନ୍ତି। ଜୟପୁର, କୋରାପୁଟ ଓ ‌ସୁନାବେଡ଼ା ପାଇଁ ଜୟପୁର କୋରାପୁଟ ସୁନାବେଡ଼ା ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ଜେକେଏସ୍‌ୟୁଟିଟି) ଗଠନ ହୋଇଥିଲା। ୨୦ଟି ବସ୍‌ ବି କିଣା ହୋଇଥିଲା। କିନ୍ତୁ ବସ୍‌ ସବୁ ଡିପୋରେ ଖତ ଖାଉଛି। ବାଲେଶ୍ବର, ଭଦ୍ରକ, ସୋର, ନୀଳଗିରି, ବାସୁଦେବପୁର ପାଇଁ ୨୦୧୭ରେ ବାଲେଶ୍ବର ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ବିବିୟୁଟିଟି) ଗଠନ ହୋଇଥିଲା। ବସ୍‌ ପିଛା ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୦ଟି ବସ୍‌ କିଣାଯାଇଥିଲା। କିନ୍ତୁ ବସ୍‌ ଗଡ଼ୁନି। ଏହାକୁ ଏବେ କ୍ରୁଟ୍‌କୁ ହସ୍ତାନ୍ତର କରି ଛୋଟ ବସ୍‌ କିଣିବାକୁ ଯୋଜନା ହୋଇଛି। ହେଲେ ରୁଟ୍‌ ପରମିଟ୍‌ ନଥିବାରୁ ଏସବୁ ବସ୍‌ ବି ଖତ ହେବା ଆଶଙ୍କାକୁ ଏଡ଼ାଇ ହେବନି। ସେହିପରି ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, କେସିଙ୍ଗାରେ ସିଟି ବସ୍ ଚଲାଇବା ପାଇଁ କଳାହାଣ୍ଡି ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଟ୍ରଷ୍ଟ ଏସ୍‌ପିଭି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଦୁଇ ବର୍ଷ ହେଲା ବସ୍‌ କିଣାଯାଇପାରୁନି କି ଏନେଇ କିଛି ପଦକ୍ଷେପ ନିଆଯାଇପାରୁନି।

ସମ୍ବନ୍ଧିତ ଖବର