ଶିଶୁବିହାର ପାର୍କର ଶୋଚନୀୟ ସ୍ଥିତି

ଭୁବନେଶ୍ୱର: ଵାର୍ଡ ଅଧିବାସୀଙ୍କୁ ଆଉ ଆମୋଦପ୍ରମୋଦ, ଖେଳ ତଥା ବ୍ୟାୟାମ କରିବାକୁ ଦୂରକୁ ଯିବାକୁ ପଡ଼ିବ ନାହିଁ। ସବୁ ଵାର୍ଡରେ ହେବ ପାର୍କ। ଏଭଳି କିଛି ଲକ୍ଷ୍ୟ ନେଇ ବିଏମ୍‌ସି ପକ୍ଷରୁ ଅନେକ ଵାର୍ଡରେ ପାର୍କ ତିଆରି ହୋଇଛି। ସେଥିରେ ଶିଶୁମାନଙ୍କ ପାଇଁ ଖେଳ ସରଞ୍ଜାମ ଠାରୁ ଆରମ୍ଭ କରି ଓପନ୍ ଜିମ୍‌, ବସିବା ପାଇଁ ଆସନ ମଧ୍ୟ ତିଆରି ହୋଇଛି। କିନ୍ତୁ ପରିଚାଳନା ଅଭାବରୁ ଅଧିକାଂଶ ପାର୍କରେ ଥିବା ସରଞ୍ଜାମ ନଷ୍ଟ ହୋଇଗଲାଣି। ଉଦାହରଣ ଭାବରେ ୟୁନିଟ-୨ରେ ଥିବା ଶିଶୁବିହାର ପାର୍କକୁ ନିଆଯାଇପାରେ। ଏହି ପାର୍କର ନାମରେ ହିଁ ‘ଶିଶୁ’ ରହିଥିଲେ ମଧ୍ୟ ଏଠାରେ ଶିଶୁମାନଙ୍କ ପାଇଁ ଥିବା ସବୁ ଖେଳ ସରଞ୍ଜାମ ନଷ୍ଟ ହୋଇଯାଇଛି। ଫଳରେ ଏଠାକୁ ଆଉ ଶିଶୁମାନେ ଆସୁନାହାନ୍ତି। ପାର୍କରେ ବିଛା ଯାଇଥିବା ପେଭର ବ୍ଲକ ମଧ୍ୟ ଦବି ଗଲାଣି। ଫଳରେ ଲୋକମାନେ ଝୁଣ୍ଟି ଆହତ ହେଉଛନ୍ତି। କେବଳ ସେତିକି ନୁହେଁ, ଆବର୍ଜନା ନପୋଡ଼ିବା ପାଇଁ ନିୟମ ରହିଥିଲେ ମଧ୍ୟ ଏହି ପାର୍କ ଭିତରେ ଆବର୍ଜନା ପୋଡ଼ା ହେଉଛି। ସବୁଠୁ ସାଂଘାତିକ କଥା ହେଉଛି, ପାର୍କ ଦିନସାରା ଖୋଲା ରହୁଥିବାରୁ ଭିତରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ବହୁ ନିଶାଖୋର ଏଠାକୁ ଆସି ନିଶା ସେବନ କରୁଛନ୍ତି ଓ ପାଟିତୁଣ୍ଡ କରୁଛନ୍ତି। ଫଳରେ ସାଧାରଣ ଲୋକ ପରିବାର ନେଇ ସେଠାକୁ ଯିବାକୁ ପସନ୍ଦ କରୁନାହାନ୍ତି। ତେବେ ଏ ନେଇ ଵାର୍ଡର କର୍ପୋରେଟର ଆସିଆ ବେଗମଙ୍କ କହିବା କଥା ହେଉଛି, ଶିଶୁମାନଙ୍କ ଖେଳନା ପାଇଁ ପ୍ରସ୍ତାବ ଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର