ଇଓଡବ୍ଲୁର ଦ୍ବାରସ୍ଥ ହେଲେ ଜମାକାରୀ

ସାହାରା ଇଣ୍ଡିଆ ସହଯୋଗୀ ସଂସ୍ଥା ବିରୋଧରେ ପ୍ରତାରଣା ଅଭିଯୋଗ, ବଣ୍ଡ୍ ଅବଧି ଶେଷ ପରେ ବି ମିଳୁନି ଟଙ୍କା

ଭୁବନେଶ୍ବର: ଜମା ଟଙ୍କା ବଣ୍ଡ୍‌ ମ୍ୟାଚୁରିଟି ଶେଷ ହେବା ପରେ ବି ବର୍ଷ ବର୍ଷ ଧରି ମିଳୁନି ଟଙ୍କା। ଏମିତି କୋଟି କୋଟି ଟଙ୍କା ସଂସ୍ଥା ପାଖରେ ପଡ଼ି ରହିଛି। ଏହା ପଛରେ ଠକେଇର ଗନ୍ଧ ବାରି ହୋଇ ପଡ଼ୁଛି ବୋଲି ଜମାକାରୀମାନେ ଅଭିଯୋଗ କରିଛନ୍ତି। ସାହାରା ଇଣ୍ଡିଆର ସହଯୋଗୀ ସଂସ୍ଥା ବିରୋଧରେ ଆଜି ବ୍ରହ୍ମପୁରର ପ୍ରାୟ ୧୦ଜଣ ଜମାକାରୀ ଇଓଡବ୍ଲୁର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁ ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି ସେଗୁଡ଼ିକ ହେଲା ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରିଆନ୍ ୟୁନିଭର୍ସାଲ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍ ଓ ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲମିଟେଡ୍।

ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ବିଜୟ ପାଢ଼ୀଙ୍କ ଅଭିଯୋଗ ଅନୁସାରେ, ସେ ୨୦୧୭ ଡିସେମ୍ବର ୧୪ ତାରିଖରେ ସାହାରିଆନ୍ ୟୁନିଭର୍ସାଲ ମଲ୍ଟିପର୍ପୋଜ୍ ଲିମିଟେଡର ଗଞ୍ଜାମ ଶାଖାରେ ୭ଲକ୍ଷ ୨ ହଜାର ୬ ଶହ ଟଙ୍କା ଜମା ରଖିଥିଲେ। ତାଙ୍କ ଝିଅ ୨୦୧୭ ନଭେମ୍ବର ୧୩ ତାରିଖରେ ୫୪ ହଜାର ୭୭୦ଟଙ୍କା ଜମା ରଖିଥିଲେ। ଦୁଇ ବର୍ଷ ତଳୁ ଏହି ବଣ୍ଡ୍ ମ୍ୟାଚୁରିଟି ହୋଇସାରିଲାଣି। ମ୍ୟାଚୁରିଟି ହେବା ପରେ ଟଙ୍କା ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ପାଇ ପାରୁନାହାନ୍ତି। ସଞ୍ଚିତ ଅର୍ଥ ମିଳୁ ନ ଥିବାରୁ ଜମାକାରୀମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା କହିଛନ୍ତି। ଏଜେଣ୍ଟମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ନେଇ ସେମାନେ ଶାଖା ମ୍ୟାନେଜର ଓ କମ୍ପାନିର ଉଚ୍ଚ ପଦାଧିକାରୀଙ୍କୁ ଭେଟି ସାରିଲେଣି। ଏସ୍‌ପି, ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହେଲାଣି। କିନ୍ତୁ କିଛି ଲାଭ ହେଉ ନାହିଁ। ଏ ସମ୍ପର୍କରେ ସାହାରା ଇଣ୍ଡିଆର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର