ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍ ‘ଏ୧’ ଗ୍ରେଡ୍ ମାନ୍ୟତା ମିଳିବା ପରେ ରୁସା ୧ ଓ ୨ରେ ପ୍ରଚୁର ପ୍ରଚୁର ଅର୍ଥ ଆସିଛି। ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ସ୍ବପ୍ନ ଦେଖାଚାଲିଛି। ତା’ପରେ ବି ଆଖିଦୃଶିଆ ବିକାଶ ହୋଇପାରି ନାହିଁ। କେଉଁଠି କାମ ଅଧା ହୋଇପଡ଼ିଛି ତ ଆଉ କେଉଁଠି ଗବେଷଣା କୋମାରେ। ସ୍ଥିତି ଏମିତି ହେଲାଣି ଯେ ବିଶ୍ବବିଦ୍ୟାଳୟ ତାହାର ମାନ ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚୁର ଅର୍ଥ ମିଳିବା ସତ୍ତ୍ବେ ବିକାଶ ମନ୍ଥର ଗତିରେ ଚାଲିବା ନେଇ ଏକାଡେମିକ୍ ସମୀକ୍ଷା କମିଟି ଅସନ୍ତୋଷ ଝାଡ଼ିଛି। ଯେଉଁ ସବୁ ସ୍ଥାନରେ ତ୍ରୁଟି ବିଚୁତି ରହିଛି ତାହାକୁ ସମାଧାନ କରିବାକୁ କମିଟି ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯିବା ସହ ନଭେମ୍ବର ୧୦ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବାକୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ନିର୍ଦେଶ ଦିଆଯାଇଛି।
ଉତ୍କଳ ବିଶ୍ବବିଦ୍ୟାଳୟର ରୁଷା ୧ ଓ ୨ର ସମୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି) ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏକାମେଡିକ୍ ସମୀକ୍ଷା କମିଟିର ପ୍ରଥମ ବୈଠକରେ ଶିକ୍ଷାଦାନ, ଗବେଷଣା, ବିଦେଶୀ ଶିକ୍ଷାନୁଷ୍ଠାନ ସହ ରାଜିନାମା, ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ଆଦି ଉପରେ ଆଲୋଚନା ହୋଇଥିଲା। ଟିଚିଙ୍ଗ୍ ଆଣ୍ଡ ଲର୍ଣ୍ଣିଂ ପ୍ରୋସେସ୍ ଉପରେ ବକ୍ତବ୍ୟ ରଖି ପିଜି କାଉନସିଲ୍ ଅଧ୍ୟକ୍ଷ ବସନ୍ତ ମଲ୍ଲିକ ରୁସାରେ ହେଉଥିବା ବିଭିନ୍ନ ନିଯୁକ୍ତି ସହ ପାଠ୍ୟକ୍ରମ ରିଭିଜନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। ତେବେ ସମୀକ୍ଷା କମିଟି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଧ୍ୟାପକ ନିଯୁକ୍ତି ନ ହେବା ଦ୍ବାରା ପାଠପଢ଼ା ପ୍ରଭାବିତ ହୋଇଛି। ଦୁଇ ବର୍ଷ ହେଲା ରୁସା ୨.୦କୁ ଅନୁମୋଦନ ମିଳିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପିଡିଏଫ୍ (ପୋଷ୍ଟ ଡକ୍ଟ୍ରୋରାଲ ଫେଲୋ) ଓ ରିସର୍ଚ୍ଚ ସ୍କଲାର ଚୟନରେ ବିଳମ୍ବିତ ହୋଇଛି। ପାଠକ୍ରମ ରିଭିଜନ୍ ହେବା ନେଇ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହା କେବଳ ଦୋଷ ଛଡ଼ାଇବା ଲାଗି ପ୍ରଜୁର୍ଯ୍ୟ ବୋଲି କମିଟି ପକ୍ଷରୁ କୁହାଯାଇଛି। ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ପୂର୍ବରୁ ବର୍ତମାନର ସିଲାବସ୍କୁ ଠିକ୍ ଭାବେ ସମୀକ୍ଷା କରାଯାଇ ନାହିଁ। ପ୍ରସ୍ତାବିତ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଦୃଷ୍ଟିରେ ରଖି ପିଜି କାଉନସିଲ୍ ପକ୍ଷରୁ ସମସ୍ତ ସହଯୋଗୀଙ୍କୁ ନେଇ ଖୁବ୍ଶୀଘ୍ର ଏକ ବ୍ରେନ୍ଷ୍ଟ୍ରମିଙ୍ଗ୍ ସେକ୍ସନ କରିବାକୁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି।
ଗବେଷଣା, ଇନୋଭେସନ୍ ସମ୍ପର୍କରେ ବକ୍ତବ୍ୟ ରଖି ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସ୍ବପ୍ନା ଏସ୍ ପ୍ରଭୁ କହିଲେ ଜାତୀୟ ଓ ଅନ୍ତର୍ଜାତୀୟମାନର ଏକାଧିକ ବକ୍ତୃତା, ଆଲୋଚନାଚକ୍ର, ୱେବିନାର, ରାଉଣ୍ଡ ଟେବୁଲ୍ ବୈଠକ ହୋଇଛି। ବାୟୋ-ଟେକ୍ନୋଲୋଜି ବିଭାଗ ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ରିସର୍ଚ୍ଚ ସ୍କଲାର କନ୍କ୍ଲେଭ୍ରେ ୧୫୦ ଜଣ ବିଶେଷଜ୍ଞ ଭାଗନେଇଥିଲେ। ଗବେଷଣା ଲାଗି ଅନ୍ତର୍ଜାତୀୟସ୍ତରର ଏକାଧିକ ବିଶ୍ବବିଦ୍ୟାଳୟ ସହ ରାଜିନାମା ହୋଇଛି। ଫିଲୋସଫି ଅଫ୍ ଇଣ୍ଟିଗ୍ରାଲ୍ ଏଜୁକେସନ ଆଣ୍ଡ କନ୍ସିଅସ୍ନେସ୍, ଲିବେରାଲ ଆଟସ୍ ଆଣ୍ଡ୍ ଆସ୍ଥେଟିକ୍ସ, ଗାନ୍ଧୀ ଆଣ୍ଡ୍ ପିସ୍ ଷ୍ଟଡିସ୍ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ଗବେଷଣା ସମ୍ପର୍କିତ କାମଗୁଡ଼ିକ ବିଶ୍ବବିଦ୍ୟାଳୟ ବିକାଶରେ ସେତେଟା ଫଳପ୍ରଦ ହୋଇ ନଥିବା କମିଟିର ସଦସ୍ୟମାନେ ହୃଦ୍ବୋଧ କରିଥିଲେ। ରୁସା ସମୟରେ ଏକାଧିକ ରାଜିନାମା ସ୍ବାକ୍ଷରିତ ହୋଇଥିଲେ ମଧ୍ୟ କାର୍ଯ୍ୟ ମନ୍ଥରଗତିରେ ହେଉଛି। ଯେଉଁ ତଥ୍ୟ ଉପସ୍ଥାପନା କରାଯାଇଛି ତାହା କେବଳ ଅଭିଳାଷ ପୂରଣ ଲାଗି। ଅନ୍ତର୍ଜାତୀୟ ରାଜିନାମା ହୋଇଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ପଦକ୍ଷେପ ନିଆଯାଇ ପାରି ନାହିଁ। ନୂତନ ସେଣ୍ଟର ଅଫ୍ ଷ୍ଟଡିସ୍ ପ୍ରତିଷ୍ଠା କରାଯିବା ସ୍ବାଗତଯୋଗ୍ୟ। ହେଲେ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ୧୧ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ମାଧ୍ୟମରେ କିଭଳି ଅଧିକ ଗବେଷଣା ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ କମିଟି ପରାମର୍ଶ ଦେଇଛି।
ସିଓଇକୁ ସୁଦୃଢ଼ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଥିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବୈଠକରେ କୁହାଯାଇଥିଲା। ତେବେ କମିଟି ସଦସ୍ୟମାନେ କହିଥିଲେ ଯେ ୮ଟି ସିଓଇର ପୋଷ୍ଟ ଡକ୍ଟ୍ରୋରାଲ ଫେଲୋ(ପିଡିଏଫ୍) ନିଯୁକ୍ତିରେ ବିଳମ୍ବ ହୋଇଛି। ଆଗକୁ ଯେଉଁମାନେ ଭିଜିଟିଙ୍ଗ୍ ପ୍ରଫେସର ଆସିବେ ସେମାନଙ୍କ ତଥ୍ୟ ରଖିବା ସହ ଅନ୍ୟାନ୍ୟ ପିଜି ବିଭାଗର ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ, ଅନ୍ତର୍ଜାତୀୟସ୍ତରର ପ୍ରକାଶନ, ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାର୍ଟିଫିକେଟ୍ କୋର୍ସ ପ୍ରଦାନ, ସେମିନାର/ୱେବିନାର ଓ ଅଧ୍ୟାପକ ଅଦଳବଦଳ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି କରିବାକୁ କୁହାଯାଇଛି। ସିଓଇ ପାଇଁ ସେଣ୍ଟ୍ରାଲ ଫଣ୍ଡିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି। ସିଓଇ କାର୍ଯ୍ୟର ଅଗ୍ରଗତି ନେଇ ସିଣ୍ଡିକେଟ୍ ପକ୍ଷରୁ ଏକ ମନିଟିରିଂ କମିଟି ଗଠନ କରାଯିବା ସହ ପ୍ରତି ବୈଠକରେ ଅଗ୍ରଗତି ନେଇ ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।