ଚନ୍ଦ୍ରଶେଖରପୁର: ଭୁବନେଶ୍ବର ରେଳ ଷ୍ଟେସନର ପୁନଃନିର୍ମାଣ ଚାଲିଛି। ୪୯୨ କୋଟି ଟଙ୍କା ଖର୍ଚ୍ଚରେ ଷ୍ଟେସନର ଉଭୟ ପାର୍ଶ୍ବ ନବକଳେବଳ ହେଉଛି। ମୁଖ୍ୟ ପ୍ରବେଶ ପଥ ତଥା ମାଷ୍ଟରକ୍ୟାଣ୍ଟିନ୍ ଛକ ପାର୍ଶ୍ବର ୪ ମହଲା କୋଠା ଏବଂ କଟକ ରୋଡ୍ ପାର୍ଶ୍ବ ଦୁଇ ମହଲା କୋଠା କାମ ଯୁଦ୍ଧକାଳୀନ ଭିତ୍ତିରେ ହେଉଛି। କାମ ଚାଲିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଷ୍ଟେସନରେ କୌଣସି ଟ୍ରେନ୍ ସେବା ପ୍ରଭାବିତ ହୋଇନାହିଁ। ୨୦୨୪ ଶେଷ ସୁଦ୍ଧା ଭୁବନେଶ୍ବର ରେଳ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ। ୨୦୨୫ ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ସମ୍ପର୍କରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଏଭଳି ତଥ୍ୟ ରଖିଛନ୍ତି।
ଏଥିସହ ଅମୃତ ଷ୍ଟେସନ ଯୋଜନାରେ ଭୁବନେଶ୍ବରର ମଞ୍ଚେଶ୍ବର ଓ ଶ୍ରୀଲିଙ୍ଗରାଜ ଟେମ୍ପୁଲ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମାତ୍ର ୫ ବର୍ଷ ତଳେ ନିର୍ମାଣ ହୋଇଥିବା ଭୁବନେଶ୍ବର ନୂଆ ରେଳ ଷ୍ଟେସନ୍ କେବେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ, ସେନେଇ କାହା ପାଖରେ ଉତ୍ତର ନାହିଁ। ଯାତ୍ରୀ ପ୍ରତୀକ୍ଷାଳୟର ଉନ୍ନତୀକରଣ ହୋଇ ନାହିଁ। ପ୍ଲାଟଫର୍ମରେ ପାନୀୟ ଜଳ ମିଳୁନି। ବସିବାକୁ ଭଲ ଚେୟାର ନାହିଁ। ନାହିଁ ନାହିଁରେ ଚାଲିଥିବା ଏହି ରେଳ ଷ୍ଟେସନ କେବେ ଯାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ କରିବ, ତାହାକୁ ରାଜଧାନୀବାସୀ ଚାହିଁ ରହିଛନ୍ତି। ଏଭଳି ସମୟରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମା ଆଜି କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ଏହି ଷ୍ଟେସନର ବିକାଶ କରାଯାଉଛି। ଏବେ ପୁରୁଣା ରେଳ ଷ୍ଟେସନ କଥା ବିଚାରକୁ ନିଆଯାଇ କାମ ଚାଲିଛି। ମାତ୍ର ଭୁବନେଶ୍ବର ନୂଆ ରେଳ ଷ୍ଟେସନରେ ସଂଯୋଗୀକରଣ ସମସ୍ୟା ରହିଥିବାରୁ ଷ୍ଟେସନର ବିକାଶ ହୋଇପାରୁ ନାହିଁ। ଷ୍ଟେସନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାତ୍ରୀଙ୍କ ଚଳପ୍ରଚଳ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଏଠାକୁ ଏବେ ସେଭଳି ଯାତ୍ରୀଙ୍କ ଚଳପ୍ରଚଳ ହେଉନାହିଁ। ତେଣୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗିବ।
ସଂଯୋଗୀକରଣରେ ସମସ୍ୟା ରହିଛି: ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଭୁବନେଶ୍ବର ଷ୍ଟେସନ ପୁନଃନିର୍ମାଣ ପାଇଁ ଟ୍ରେନ୍ ବାତିଲ୍ ହୋଇନି
ଗୋଟିଏ ପଟେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପୁରୁଣା ରେଳ ଷ୍ଟେସନଗୁଡ଼ିକର ପୁନଃନିର୍ମାଣ କରୁଥିବା ବେଳେ ଅନ୍ୟପଟେ ନୂଆ ରେଳ ଷ୍ଟେସନ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଭୁବନେଶ୍ବର ନୂଆ ରେଳ ଷ୍ଟେସନରେ ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ୍ ରହିଛି। ଦୁଇଟି ରେଲୱେ ଫୁଟଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହୋଇଛି। ମାତ୍ର ଏହି ଭିତ୍ତିଭୂମି ଏବେ କୌଣସି କାମରେ ଆସୁନାହିଁ। ରେଳ ଅଧିକାରୀମାନେ ବିଭିନ୍ନ ସମୟରେ ଗସ୍ତ କରି ଷ୍ଟେସନ୍ର ନୂତନ କୋଠାରେ ଉଚ୍ଚସ୍ତରୀୟ ପ୍ଲାଟଫର୍ମ, ଏଫ୍ଓବି, ପ୍ଲାଟଫର୍ମ ସେଲ୍ଟର, ୱାଟର ହାଇଡ୍ରାଣ୍ଟ, ଅପର୍ କ୍ଲାସ ୱେଟିଂ ରୁମ୍, ସେକେଣ୍ଡ କ୍ଲାସ ୱେଟିଂ ରୁମ୍, ଆରଆର, ଡିଆର୍, ଭିଆପି ଲାଉଞ୍ଜ୍, ସିଆଇବି, ଟିଆଇବି, ଅଟୋ ପିଏ ସିଷ୍ଟମ୍, ସାଇନ୍ଏଜ୍ ଆଦି ସ୍ବପ୍ନ ଦେଖାଇ ଫେରିଛନ୍ତି। ଷ୍ଟେସନରେ ଷ୍ଟିଲ୍ ବେଞ୍ଚ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସବୁ କିଛି ସ୍ବପ୍ନରେ ରହିଛି। ଏବେ ଯେଉଁ ସିମେଣ୍ଟ ଚେୟାର ରହିଛି ସେଥିରୁ ପ୍ଲାଷ୍ଟର ଛାଡ଼ିଗଲାଣି। ପ୍ଲାଟଫର୍ମ ଚଟାଣରୁ ଗୋଡ଼ି, ବାଲି, ସିମେଣ୍ଟ ଉଠିଗଲାଣି। ରେଲୱେ ଫୁଟଓଭର ବ୍ରିଜ୍ ନିକଟରେ ଅଳିଆ ଗଦାର ପାହାଡ଼ ସୃଷ୍ଟି ହୋଇଛି। ଯାତ୍ରୀ ଅପେକ୍ଷା ଗୃହରେ ଫ୍ୟାନ୍ ଚାଲୁ ନ ଥିବା ବେଳେ ଶୌଚାଳୟରେ ତାଲା ପଡ଼ିଛି।