ଟ୍ରେନ୍‌ ଧକ୍କାରେ ହାତୀକୁ ବଞ୍ଚାଇବ ଡିଭାଇସ୍‌, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଅଭିନବ ପ୍ରକଳ୍ପ

ପେଟେଣ୍ଟ କରିବ ଆଇଆଇଟି ବମ୍ବେ

ଭୁବନେଶ୍ବର: ହାତୀ ଚଲାପଥରେ ରେଳ ପଥ, ଟ୍ରେନ ନେଉଛି ହାତୀଙ୍କ ଜୀବନ। ଟ୍ରେନ ଦୁର୍ଘଟଣାରୁ ହାତୀକୁ ବଞ୍ଚାଇବା ପାଇଁ ଭୁବନେଶ୍ବର ସ୍ଥିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ୩ ବିଦ୍ୟାର୍ଥୀ ପାୟଲ ଭଦ୍ରା, ଅଭିଜିତ ବଲବନ୍ତରାୟ, ସୁଜିତ ସାହୁ ଏହି ସ୍ବତନ୍ତ୍ର ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଗାଇଡ କରିଛନ୍ତି ପ୍ରାଧ୍ୟାପିକା ସୁଜାତା ଚକ୍ରବର୍ତ୍ତୀ। ଏଥିରେ ୩୦୦ ମିଟର ଦୂରରୁ ହାତୀ ଯାଉଥିବା ସମ୍ପର୍କରେ ଟ୍ରେନ ପାଇଲଟ ଅବଗତ ହୋଇ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ। ଆଇଆଇଟି ବମ୍ବେ ପକ୍ଷରୁ ଏହାକୁ ପେଟେଣ୍ଟ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୨୦୧୯ ମସିହା ଡିସେମ୍ବର ମାସରୁ ଏହା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ମସିହା ମାର୍ଚ ମାସ ୧୬ ତାରିଖରେ ଆଇଆଇଟି ବମ୍ବେ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲା।

ଛାତ୍ର ଅଭିଜିତ ବଳବନ୍ତରାୟ କହିଛନ୍ତି, ହାତୀଙ୍କ ପ୍ରକୃତି ହେଲା, ଖାଦ୍ୟ କିମ୍ବା ଯାତାୟାତ କାରଣ ଯାହାବି ହେଉ ସେମାନେ ଯେଉଁ ପଥ ଦେଇ ଯାଆନ୍ତି ସହଜରେ ତାର ପରିବର୍ତ୍ତନ କରନ୍ତି ନାହିଁ। ହାତୀ ଚଲାପଥମାନଙ୍କରେ ରେଳ ଧାରଣ ନିର୍ମାଣ ସତ୍ତ୍ବେ ମଧ୍ୟ ସେମାନେ ପୂର୍ବ ଭଳି ତାଙ୍କ ଯାତାୟାତ ଜାରି ରଖନ୍ତି। ଏଥିଯୋଗୁଁ ହାତୀ ଚଲାପଥ ନିର୍ମାଣ ହୋଇଥିବା ରେଳ ଧାରଣାରେ ଧୀର ଗତିରେ ଟ୍ରେନ ଚଳାଇବା ପାଇଁ ନିର୍ଦେଶ ରହିଛି। ଜଙ୍ଗଲର ଖରାପ ନେଟ ୱାର୍କ ଯୋଗୁଁ ହାତୀ କିମ୍ବା ବନ୍ୟ ଜନ୍ତୁ ଆସିବା ନେଇ ୱାକିଟକିରେ ପାଇଲଟ ପାଖକୁ ସୂଚନା ପହଞ୍ଚି ପାରେ ନାହିଁ। ଅନେକ ସମୟରେ ହାତୀ ଯାଉଥିବା ସମୟରେ ପାଇଲଟମାନେ ଅବଗତ ହେଲେ ସୁଦ୍ଧା ଟ୍ରେନ ଅଟକାଇବା ବେଳକୁ ଅନେକ ଦୂରକୁ ଆଗକୁ ଚାଲି ଯାଏ। କିଛି ବର୍ଷ ପୂର୍ବରୁ ପଶ୍ଚିମବଙ୍ଗରେ ଟ୍ରେନ ଧକ୍କାରେ ଏହିଭଳି ସ୍ଥିତିରେ ଛଟପଟ ହୋଇ ହାତୀର ମୃତ୍ୟୁ ହୋଇଥିଲା।

ଏହା କେବଳ ଉଦାହରଣ ମାତ୍ର। ୪ ବର୍ଷ ମଧ୍ୟରେ ଟ୍ରେନ ଧକ୍କାରେ ଦେଶରେ ୪୯ ହାତୀଙ୍କ ଜୀବନ ଯାଇଛି। ପଶ୍ଚିମବଙ୍ଗର ଏହି ହାତୀ ମୃତ୍ୟୁ ଏହି ଡିଭାଇସ ପ୍ରସ୍ତୁତ ପାଇଁ ପ୍ରେରଣା ଯୋଗାଇ ଥିବା କହିଛନ୍ତି ଅଭିଜିତ। ସେମାନେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ଅନୁସାରେ, ରେଲୱେ କ୍ରସିଂ ଜୋନରେ ୧୦୦ ମିଟର ଦୂରରେ ୩ଟି ସୁରକ୍ଷା ଜୋନରେ ତିନୋଟି ସେନ୍‌ସର୍‌ ରହିବ। ତୃତୀୟ ଜୋନ୍‌ ଅର୍ଥାତ ୩୦୦ ମିଟର ଦୂରରେ ସେମାନେ ପ୍ରସ୍ତୁତ କରିଥିବା ଏକ ଏଆଇ ସେନ୍‌ସର ଲାଗିବ। ଏହି ସେନ୍‌ସର ହାତୀକୁ ଚିହ୍ନଟ କରିବା ସହିତ ସେହି ଅନୁସାରେ ଲାଇଟ ଜଳିବ। ଦ୍ବିତୀୟ ଜୋନ୍‌ ଅର୍ଥାତ୍‌ ୨୦୦ ମିଟର ଜୋନ୍‌ରେ ଆଉ ଏକ ପ୍ରକାର ଅର୍ଥାତ୍‌ ଆଇଆର୍‌ ସେନ୍‌ସର, ୧୦୦ ମିଟର ଦୂରରେ ଭିନ୍ନ ପ୍ରକାର ରେଡ୍‌ ଲାଇଟ୍‌ ଲାଗିବା ସହିତ ଏକ ପ୍ରକାର ବଜର୍‌ ରହିବ। ଏହି ବଜର୍‌ ମଧ୍ୟ ଏଭଳି ଯେ କେବଳ ଏହା ହାତୀ ଶୁଣିପାରି ନିଜେ ମଧ୍ୟ ସତର୍କ ହୋଇ ପାରିବ। ରେଲୱେ ଟ୍ରାକ୍‌ର ଉଭୟ ପାର୍ଶ୍ବରେ ପେଜୋ ଇଲେକ୍ଟ୍ରି ସେନ୍‌ସର୍‌ ଲାଗିବ। ୨୦୦ ମିଟର ପୂର୍ବରୁ ପାଇଲଟ ଅବଗତ ହୋଇପାରିଲେ ଦୁର୍ଘଟଣା ରୋକିପାରିବେ। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌(ଆଇଓପି), ଏଆଇ ବ୍ୟବହାର କରିବେ। ଏଆଇ ଜରିଆରେ ବନ୍ୟପ୍ରାଣୀଟି ହାତୀ କି ଅନ୍ୟ କଣ ତାହା ଚିହ୍ନଟ ହୋଇ ପାରିବ। ବନ ବିଭାଗ ପକ୍ଷରୁ ଏହାକୁ ବାସ୍ତବିକ ରୂପ ଦିଆଗଲେ ହାତୀ ମୃତ୍ୟୁ ରୋକାଯିବା ନେଇ ଆଶା ରହିଛି।

ସମ୍ବନ୍ଧିତ ଖବର