ଏମ୍‌ସରେ ଖତ ଖାଉଛି ଡେକ୍ସାସ୍କାନ ମେସିନ

ସୁବିଧା ଥାଇବି ହୋଇ ପାରୁନି ପରୀକ୍ଷା

ଭୁବନେଶ୍ବର: ଏମ୍‌ସକୁ କିଣା ହୋଇ ଆସିଲା କିନ୍ତୁ ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା ସଂଯୋଗ ହୋଇ ପାରୁନି ଡେକ୍ସାସ୍କାନ ମେସିନ। ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରରୁ ପ୍ରତିନିଧି ଦଳ ଆସି ଏହାର କାର୍ଯ୍ୟକ୍ଷମ ବ୍ୟବସ୍ଥା କରିବା ଉଚିତ। ମାତ୍ର ଏହା ହେଉନଥିବାରୁ ଏହି ମେସିନ କାର୍ଯ୍ୟକ୍ଷମ ହୋଇ ପାରୁନି। ଲକ୍ଷାଧିକ ଟଙ୍କା ଖର୍ଚ କରି ଯେଉଁ ମୂଲ୍ୟବାନ ମେସିନ କିଣିଲେ ତାକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏମ୍‌ସ ନିର୍ଦେଶକ ଏବଂ ଅଧୀକ୍ଷକ କାହିଁକି ଗୁରୁତ୍ବ ଦେଉ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୌଣସି ବୟସ୍କ ବ୍ୟକ୍ତି ହାଡ଼ ଦୁର୍ବଳ ହୋଇଯାଇଥିଲେ କିମ୍ବା ହାଡ଼ ଭାଙ୍ଗି ଯାଇଥିଲେ, ଏଥିରେ କେତେ ପରିମାଣରେ କ୍ୟାଲସିୟମ ଏବଂ ମିନେରାଲ ରହିଛି ତାହା ଜାଣିବା ପାଇଁ ଡେକ୍ସାସ୍କାନ ମେସିନ ଜରିଆରେ ପରୀକ୍ଷଣ କରାଯାଏ। ଏଣ୍ଡୋକ୍ରାଇନ ବିଭାଗ ପକ୍ଷରୁ ଏହାର ପରୀକ୍ଷଣ ହୁଏ। ଅଷ୍ଟିଓପୋରୋସିସ ରୋଗୀଙ୍କ ପାଇଁ ଏହି ମେସିନ ଉପଯୋଗୀ ହୋଇଥାଏ। ଓଡ଼ିଶାରେ ସରକାରୀ ଭାବରେ ସମ୍ଭବତଃ କେବଳ ଏମ୍‌ସରେ ଏହାର ପରୀକ୍ଷଣ ପାଇଁ ମେସିନ ରହିଛି। କିଛି ଘରୋଇ ଡାକ୍ତଖାନାରେ ଏହି ପରୀକ୍ଷଣ ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଏମ୍‌ସରେ ମାଗଣା କିମ୍ବା ସ୍ବଳ୍ପମୂଲ୍ୟରେ ଏହାର ଉପଯୋଗ ହୋଇ ପାରନ୍ତା। ଖତ ଖାଉଥିବା ଏହି ମେସିନ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆନଗଲେ ଲକ୍ଷାଧିକ ଟଙ୍କା ବରବାଦ ହେବା ନେଇ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର