ପ୍ରତିଷ୍ଠା ଦିବସରେ ସୂଚନା ଦେଲେ ନିର୍ଦ୍ଦେଶକ: ଅଗଷ୍ଟରୁ ଏମ୍ସରେ କିଡ୍‌ନି ପ୍ରତିରୋପଣ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ମାସରୁ ଏମ୍‌ସରେ କିଡ୍‌ନି ପ୍ରତିରୋପଣ ସେବା ଆରମ୍ଭ ହେବ। ଡିଏମଇଟିଠାରୁ ଏଥିପାଇଁ ଆବଶ୍ୟକ ଅନୁମତି ମିଳିସାରିଛି। ଏଥିସହ ଖୁବ୍‌ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ବର୍ଣ୍ଣ ଓ ପ୍ଲାଷ୍ଟିକ ଓ୍ବାର୍ଡ, ନୂତନ ଟ୍ରମା ଓ ଜରୁରୀକାଳୀନ ଓ୍ବାର୍ଡ ଏବଂ ଧର୍ମଶାଳା କାର୍ଯ୍ୟକ୍ଷମ ହେବ। ଭୁବନେଶ୍ବର ଏମ୍‌ସର ପ୍ରତିଷ୍ଠା ଦିବସ ଅବସରରେ ନିର୍ଦ୍ଦେଶକ ପ୍ରଫେସର୍‌ ମୁକେଶ ତ୍ରିପାଠୀ ଭର୍ଚୁଆଲ‌ରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ଆଜି ଭୁବନେଶ୍ବର ଏମ୍‌ସ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଆସ୍ଥାଭାଜନ ହୋଇପାରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଦେଶର ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ରୋଗୀ ସେବା, ଗବେଷଣା, ସାମାଜିକ କଲ୍ୟାଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ଏହି ଅନୁଷ୍ଠାନ ପ୍ରଶଂସା ସାଉଁଟିଛି।

ମୁଖ୍ୟ ଅତିଥି ତଥା ଯୋଧପୁର ଏମ୍‌ସ ନିର୍ଦ୍ଦେଶକ ପ୍ରଫେସର୍‌ ସଞ୍ଜୀବ ମିଶ୍ର ସ୍ବାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା, ଗବେଷଣାରେ ଡିଜିଟାଲ ନବସୃଜନ ପାଇଁ ଟେକ୍ନୋଲୋଜିର ସହଯୋଗ ଉପରେ ଗୁରତ୍ବ ଦେଇଥିଲେ। ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଆଶୁତୋଷ ବିଶ୍ବାସ ଭର୍ଚୁଆଲରେ ଯୋଗଦେଇ କହିଥିଲେ ଯେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ସୁପରିଚାଳନା ପାଇଁ ଉନ୍ନତ ଦଳଗତ କାର୍ଯ୍ୟ ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟକ୍ରମରେ ଡିନ୍‌ (ଏକାଡେମିକ୍‌) ପ୍ରଫେସର୍‌ ଦେବାଶିଷ ହୋତା, ମେଡିକାଲ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ଡିନ (ରିସର୍ଚ) ବିନୋଦ ପାତ୍ର, ଡିନ୍‌ (ପରୀକ୍ଷା) ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଭିତରେ ରାଜ୍ୟରେ ଏସ୍‌ସିବି ପରେ ଏମ୍‌ସରେ କିଡ୍‌ନି ପ୍ରତିରୋପଣ ସେବା ଆରମ୍ଭ ହେବା ଖବର ବହୁ ରୋଗୀ ଓ ଅଭିଭାବକଙ୍କୁ ଆଶ୍ବସ୍ତ କରିଛି।

ସମ୍ବନ୍ଧିତ ଖବର