ଫି’ ଛାଡ଼ କରିବା ପାଇଁ ଦାବି ତେଜିଲା, ଅଭିଭାବକ ସଂଘ ସହ ଆଲୋଚନା କଲେ ଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ବର: ଗତ ଶିକ୍ଷା ବର୍ଷରେ କରୋନା ଯୋଗୁଁ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ା ପ୍ରଭାବିତ ହେବା ସହ ଅନ୍‌ଲାଇନ୍‌ କ୍ଲାସ୍ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଭିଭାବକମାନେ ସ୍କୁଲ୍ ଫି’ କମ୍‌ କରିବା ପାଇଁ ଦାବି କରିବା ସହିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ସଂଘ ଓ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷକ ସଂଘ, ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ପୌରହିତ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏଥିରେ ବିଭିନ୍ନ ବର୍ଗର ଦେୟ ଉପରେ ରିହାତି ଦିଆଯିବା ସହ ଚୁକ୍ତିଭିତ୍ତିରେ ଚୂଡ଼ାନ୍ତ ରାୟ ପ୍ରଦାନ କରାଯାଇଥିଲା। ମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚଞ୍ଚକତା ପୂର୍ବକ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବା ସହିତ ବର୍ଦ୍ଧିତ ସ୍କୁଲ୍ ଫି’ ଓ ବସ୍ ଭଡ଼ା ଦେବାକୁ ବାଧ୍ୟ କରୁଛନ୍ତି। ସରକାର ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନ ନେଇ ଚୁପ୍ ବସୁଛନ୍ତି ବୋଲି ୟୁନାଇଟେଡ୍ ପ୍ୟାରେଣ୍ଟ୍ସ ଆସୋସିଏସନ୍ ଫୋରମ୍ ପକ୍ଷରୁ କୁହାଯାଇଛି।

ଏନେଇ ଆଜି ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ କରାଯିବା ସହ ଘରୋଇ ବିଦ୍ୟାଳୟର ମନମୁଖି କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ସଭାପତି ସଂଯୁକ୍ତ ପାଣିଗ୍ରାହୀ, ସମ୍ପାଦକ ମଧୁସୂଦନ ବିଶ୍ବାଳ, ସତୀଶ ମିଶ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶଙ୍କ ଆଲୋଚନା କରିଥିଲେ। ବିକ୍ଷୋଭ ପ୍ରଦୀପ ପ୍ରଧାନ, ରାମଚନ୍ଦ୍ର ପୁଷ୍ପାଳକ, ସୁଶାନ୍ତ ମହାପାତ୍ର, ଆଶୁତୋଷ ଦାସ, ରଞ୍ଜୁଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର