ବାଲିଅନ୍ତା: ନିଜକୁ ନାବାର୍ଡର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ୨୦୦୦ ଟଙ୍କା ଠକିନେବା ମାମଲାରେ ବାଲିଅନ୍ତା ଥାନା ପୁଲିସ ସଂପୃକ୍ତ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଠକ ଜଣକ ହେଲା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଥାନା ଅଞ୍ଚଳର ସ୍ମିଥ ସେଠୀ (୪୩)। ଏଥିସହିତ ପୁଲିସ ସ୍ମିଥ ବ୍ୟବହାର କରୁଥିବା କାର୍ଟିକୁ ମଧ୍ୟ ଜବତ କରିବା ସହ ତା’ ନିକଟରୁ ୨୦୦୦ ଟଙ୍କା ମଧ୍ୟ ଜବତ କରିଥିଲା। ଠକାମୀର ଶିକାର ହୋଇଥିବା ପ୍ରାଣୀଧନ ନିରୀକ୍ଷକ ଡମ୍ବରୁଧର ବିଶ୍ବାଳ ଗତକାଲି ଏସଂପର୍କରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡମ୍ବରୁଧରଙ୍କ ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ୧୬୪/୨୦ ରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ମୁତାବକ ଗତକାଲି ଅପରାହ୍ନରେ ସ୍ମିଥ କାର୍ ଯୋଗେ ଡମ୍ବରୁଧରଙ୍କ ଶିଶିଲୋ ଛକ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ନିଜକୁ ନାବାର୍ଡର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଅଫିସ କାଗଜପତ୍ର ଯାଞ୍ଚ କରିବାକୁ ମାଗିଥିଲେ। ହେଲେ ଡମ୍ବରୁଧର ଗତ ଜୁଲାଇ ମାସରେ ଚାକିରିରୁ ଅବସର ନେଇସାରିଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେ ଏସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀମାନେ ସ୍ମିଥକୁ ଅଟକ ରଖି ପୁଲିସକୁ ଜଣାଇଥିଲେ। ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ସ୍ମିଥକୁ ଥାନାକୁ ନେଇଯାଇଥିଲା। ପଚରାଉଚରା କରିବାରୁ ତା’ ନାମରେ ପୂର୍ବରୁ ଏକାଧିକ ଥାନାରେ ଠକେଇ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ଗତବର୍ଷ ଉମରକୋଟ ଥାନା ଅଞ୍ଚଳରେ ଜଣେ ଡାକ୍ତରଙ୍କୁ ଡ୍ରଗ୍ସ ଇନ୍ସପେକ୍ଟର ପରିଚୟ ଦେଇ ସ୍ମିଥ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିଲା। ସେହିପରି ସୁବର୍ଣ୍ଣପୁର ଥାନାରେ ମଧ୍ୟ ସ୍ମିଥ ନାମରେ ଅନୁରୂପ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ଉପରୋକ୍ତ ଦୁଇଟିଯାକ ଘଟଣାରେ ସେଠାକାର ପୁଲିସ କିନ୍ତୁ ସ୍ମିଥକୁ ଗିରଫ କରିବାରେ ସକ୍ଷମ ହୋଇନଥିଲା। ଏହାପୂର୍ବରୁ କିଛି ଦିନ ତଳେ ଉକ୍ତ ପ୍ରାଣୀଧନ ନିରୀକ୍ଷକଙ୍କୁ ସ୍ମିଥ ଓମଫେଡ୍ ନିର୍ଦ୍ଦେଶକ ପରିଚୟ ଦେଇ ୨୦୦୦ ଟଙ୍କା ଠକି ନେଇଥିବା ଏତଲାରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fdh7dh987dfh98fsfh.jpg)