କ୍ୟାପିଟାଲ ହସ୍ପିଟାଲ: ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ସଫେଇ କର୍ମଚାରୀ

ସ୍ବାବ୍ ଯାଇଥିବା କର୍ମଚାରୀ ବାହାରେ ବୁଲୁଥିବା ଅଭିଯୋଗ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମୀ ଆଜି ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କେନ୍ଦ୍ରସରକାରଙ୍କ ନିୟମ ଅନୁସାରେ କରୋନା ପାଉଣା ପ୍ରଦାନ ଓ ବର୍ଧିତ ଦରମା ଲାଗୁ କରିବା ନେଇ ନିର୍ଦେଶକଙ୍କୁ ଘେରିଥିଲେ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ।

ସୂଚନା ଅନୁସାରେ, ସଫେଇ କର୍ମୀଙ୍କୁ ଦୁର୍ବ୍ୟବହାର କରାଯିବା ଓ ତିନିମାସର ରହିଥିବା ବର୍ଧିତ ବକେୟା ଦରମା ପ୍ରଦାନ ଦାବି ନେଇ ସଫେଇ କର୍ମଚାରୀମ‌ାନେ ଆନ୍ଦୋଳନ କରିଥିଲେ। ଏହାସହ ସେମାନରେ କରୋନା କାର୍ଯ୍ୟ ନିୟୋଜିତ ଥିବାରୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଏକ ମାସର ପ୍ରୋତ୍ସାହନ ରାଶି ବି ଦାବି କରିଥିଲେ। ଅପରାହ୍‌ଣ ସାଢ଼େ୧ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିଥିଲେ। ଫଳରେ ହସ୍ପିଟାଲରେ ସଫେଇ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଶେଷରେ ନିର୍ଦେଶକ ଆସି ବୁଝାସୁଝା କରିଥିଲେ। ବର୍ଧିତ ଦରମା ସେମାନଙ୍କ ଆକାଉଣ୍ଟକୁ ଯିବ ଓ ଅଗଷ୍ଟ ୧୦ ତାରିଖ ମଧ୍ୟରେ କରୋନା ପ୍ରୋତ୍ସାହନ ରାଶି ମିଳିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏବେ ହସ୍ପିଟାଲରେ ୧୩୧ରୁ ଅଧିକ ସଫେଇ କର୍ମଚାରୀ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟ କରୁଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଏଜେନ୍ସିକୁ ସମସ୍ତ ଟଙ୍କା ଦିଆଯାଇଛି। ତେଣୁ ଏଜେନ୍ସି ଠିକ୍‌ ସମୟରେ ନିଜ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ଲାଗି କୁହାଯାଇଛି।

କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରକ୍ତଭଣ୍ଡାରକୁ ସିଲ୍ କରି ଦିଆଯାଇଛି। ଏହା ଭିତରେ ୪୮ଘଣ୍ଟା ବିତି ଯାଇଥିଲେ ହେଁ, ରକ୍ତ ଭଣ୍ଡାର ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାକି ରୋଗୀମାନଙ୍କ ପାଇଁ ସମସ୍ୟା ଡାକି ଆଣିଛି। ହସ୍ପିଟାଲ କର୍ତୃପକ୍ଷ ଅଳ୍ପ କର୍ମଚାରୀରେ ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯାଇଥିବା କହୁଥିଲେ ହେଁ, ତାହା ପ୍ରକୃତରେ ରୋଗୀଙ୍କ ସମସ୍ୟାକୁ ସାମାଧାନ କରିପାରିନି। ଗତ ୨୦ତାରିଖରେ ହସ୍ପିଟାଲ ରକ୍ତ ଭଣ୍ଡାରର ଟେକ୍‌ନିସିଆନ୍ କରୋନା ସଂକ୍ରମିତ ହୋଇଥିଲେ। ସେବେଠାରୁ ହସ୍ପିଟାଲକୁ ସାନିଟାଇଜ୍ କରାଯିବା ପାଇଁ ସିଲ୍‌ କରି ଦିଆଯାଇଛି। ଏହାସହ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟ ସ୍ବାବ୍ ସଂଗ୍ରହ କରାଯାଇଛି। ତେବେ ସଂପୃକ୍ତ କର୍ମଚାରୀମାନେ ଘରେ ସଙ୍ଗରୋଧରେ ରହିବା ବଦଳରେ ହସ୍ପିଟାଲର ବିଭିନ୍ନ ସ୍ଥାନରେ ବୁଲୁଥିବା ନଜରକୁ ଆସିଛି। ଯାହାକୁ ନେଇ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅତିକମ୍‌ରେ ସ୍ବାବ୍ ନମୁନା ରିପୋର୍ଟ ଆସିବା ପର୍ଯ୍ୟନ୍ତ କର୍ମଚାରୀମାନେ ଘରେ ସଙ୍ଗରୋଧରେ ରହିବା ପାଇଁ ସେମାନେ ଦାବି କରିଛନ୍ତି।

ଅପରପକ୍ଷରେ ରକ୍ତ ଭଣ୍ଡାର ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜରୁରୀ ଭାବେ ଯେଉଁମାନଙ୍କର ରକ୍ତର ଆବଶ୍ୟକତା ରହିଛି ସେମାନଙ୍କୁ ଅନ୍ୟ ରକ୍ତ ଭଣ୍ଡାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଯଥାଶୀଘ୍ର ରକ୍ତ ଭଣ୍ଡାର ନ ଖୋଲିଲେ ଆଗକୁ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି। ହସ୍ପିଟାଲ ନିର୍ଦେଶକ ଡା. ସାହୁଙ୍କ କହିବା କଥା, ରକ୍ତ ଭଣ୍ଡାର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ କର୍ମଚାରୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେଣୁ ବହୁ କମ୍ କର୍ମଚାରୀଙ୍କୁ ନେଇ ରକ୍ତ ଭଣ୍ଡାର କାର୍ଯ୍ୟ କରୁଛି। ଯେଉଁ ରୋଗୀମାନଙ୍କ ଦିନେ କିମ୍ବା ଦୁଇଦିନ ବିଳମ୍ବ କଲେ ଚଳିବ ସେମାନଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଉଛି। ମାତ୍ର ଅତି ଜରୁରୀ ରୋଗୀଙ୍କୁ ରକ୍ତ ଦିଆଯାଉଛି। ରକ୍ତ ଭଣ୍ଡାରର ଯେଉଁ କର୍ମଚାରୀମାନଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ସେମାନଙ୍କ ଘର ଆଗରେ ଷ୍ଟିକର ଲଗାଯାଇଛି। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନେ କାର୍ଯ୍ୟରେ ଯୋଗ ଦେବେ। ପୂର୍ବାପେକ୍ଷା ଏବେ ସରକାର ଟିକେ ଢିଲା ହୋଇଥିବା ଡା.ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର