ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ ନୀତି ଚିଠା ପ୍ରସ୍ତାବ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏସ୍‌ଏସ୍‌ଇପିଡିର ଯୁଗ୍ମ ସଚିବ ସନ୍ନ୍ୟାସୀ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ କହିଲେ, ଦିବ୍ୟାଙ୍ଗମାନେ ନିଜେ ନିଜକୁ ସଶକ୍ତ କରିବାକୁ ପଡ଼ିବ। ତେବେ ଯାଇ ସେମାନେ ସମୃଦ୍ଧ ହୋଇପାରିବେ।

Advertisment

‘ନିଶ୍ବାସ’ର ନିର୍ଦ୍ଦେଶିକା ସସ୍ମି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି କ୍ଷେତ୍ରରେ ସରକାର ଅଧିକ ନୀତି ଆପଣାଇବାର ଆବଶ୍ୟକତା ରହିଛି। କୁଳପତି ପ୍ରଫେସର ଚୌଧୁରୀ କହିଲେ, ଅନ୍ୟ ଛାତ୍ରୀଙ୍କ ଅପେକ୍ଷା ଦିବ୍ୟାଙ୍ଗ ଛାତ୍ରୀମାନେ ଅଧିକ ସମୃଦ୍ଧ। ସେମାନଙ୍କ ପ୍ରତି ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଅଧିକ ଯତ୍ନବାନ ହେବା ଜରୁରୀ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ସଦସ୍ୟା କଳ୍ପନା ଦାସ, ଅଧ୍ୟାପକ ବସନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ସସ୍ମିତା ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଓଆଇସି ସାୟନ୍ତନୀ ବେହୁରା ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ମାନସ ବେହେରା, ସସ୍ମିତା କର, ରେବତୀକାନ୍ତ ମହାରଣା, ନରସିଂହ ମାଝି, ସରିତା ମିଶ୍ର, ସୁଦାମ ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।