୩ବର୍ଷର ଶିଶୁକନ୍ୟା ନିଖୋଜ ଘଟଣା: ୩ବର୍ଷର ଶିଶୁକନ୍ୟା ନିଖୋଜ ଘଟଣା ୩୬ ଘଣ୍ଟା ପରେ ‌କେନାଲରୁ ମିଳିଲା ଶବ

କାନ୍ଦବୋବାଳିରେ ଫାଟି ପଡ଼ିଲା ମୁଣ୍ଡହଣାପାଟଣା

ବାଲିପାଟଣା: ଦୀପାବଳି ସଂଧ୍ୟାରୁ ଅପ୍ରତ୍ୟାଶିତ ଭାବେ ନିଖୋଜ ହୋଇଯାଇଥିବା ମୁଣ୍ଡହଣାପାଟଣା ଗ୍ରାମର ୩ ବର୍ଷର ଝିଅ ରଶ୍ମିତା ଓରଫ୍‌ ଅନୁର ଦୁଃଖଦ ମୃତ୍ୟୁ ଘଟିଛି। ଆଜି ତା’ ଶବକୁ ମାର୍ଥାପୁର ମଳିକସାହି ବ୍ରିଜ୍ ନିକଟ କେନାଲରୁ ଉଦ୍ଧାର କରାଯାଇଛି। ଫଳରେ ୩୬ ଘଣ୍ଟା ଧରି କୁନି ଝିଅ ଚିନ୍ତା‌ରେ ଅଖିଆ ଅପିଆ, ଅନିଦ୍ରା ଥିବା ଅଜୟ ମୁଦୁଲିଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ଆଖି ଆଗରେ କୁନି ଝିଅର ଶବ ଦେଖି ପରିବାରଲୋକଙ୍କ କୋହ ସମ୍ଭାଳ ପଡ଼ି ନଥିଲା। କାନ୍ଦବୋବାଳିରେ ପୂରା ମୁଣ୍ଡହଣାପାଟଣା ଗାଁ ଫାଟି ପଡ଼ିଥିଲା।

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ବାଲିପାଟଣା ଥାନା ପିସିଆର୍‌ ହାବିଲଦାର ସୌମେନ୍ଦ୍ର ପାତ୍ର ଘରୁ ଡ୍ୟୁଟିକୁ ଯାଉଥିବା ବେଳେ ମାର୍ଥାପୁର ବ୍ରିଜ୍‌ ନିକଟ କେନାଲରେ ଛୋଟ ପିଲାର ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେ ଥାନାକୁ ସୂଚନା ଦେବା ପରେ ଘରଲୋକ ଏବଂ ସମ୍ପର୍କୀୟ ଖବର ପାଇ ସେଠାକୁ ଧାଇଁଥିଲେ। ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଘଟଣାସ୍ଥଳରେ ପହଞ୍ଚିବା ପରେ କେନାଲରୁ ଶିଶୁକୁ ଉଦ୍ଧାର କରାଯାଇଥିଲା ଏବଂ ତାହା ଅନୁର ବୋଲି ସ୍ପଷ୍ଟ ହୋଇଥିଲା। ବହୁ ସମୟ ପାଣିରେ ବୁଡ଼ି ରହିବା ଫଳରେ ଶରୀରରେ କ୍ଷତ ହୋଇଛି। ପିନ୍ଧା ଡ୍ରେସ୍‌, ପାଉଁଜି ସେମିତି ଦେହରେ ଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ଅପରାହ୍‌ଣରେ ଏକ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଅନୁକୁ ଗାତ ଖୋଳି ପୋତା ଯାଇଥିଲା। ଏହି ଘଟଣା ଆଜି ମୁଣ୍ଡହଣାପାଟଣା ସମେତ ପୂରା ବାଲିପାଟଣା ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନାଯୋଗ୍ୟ, ଗତ ଦୀପାବଳି ସଂଧ୍ୟାରେ ଅନୁ ହଠାତ୍‌ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ପତ୍ତା ମିଳି ନଥିଲା। ଫଳରେ ପରିବାରଲୋକଙ୍କ ମନରେ ନାନା ଆଶଙ୍କା ଜାଗ୍ରତ ହୋଇଥିଲା। ଗାଁର ଯୁବକମାନେ ବଳି ସନ୍ଦେହରେ ମଶାଣିରେ ବି ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ଘର ପାଖ କେନାଲରେ ୨ ଦିନ ଧରି ଖୋଜାଖୋଜି କରିଥିଲେ ହେଁ କିଛି ସୁଫଳ ମିଳିନଥିଲା।

ସମ୍ବନ୍ଧିତ ଖବର