ଭୁବନେଶ୍ବର: ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ପାଇଁ ରାଜ୍ୟ ସରକାର ଅର୍ଥ ଅଜାଡ଼ି ଦେଉଛନ୍ତି। କେନ୍ଦ୍ର ସରକାର ବି ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କା ଦେଉଛନ୍ତି। ଏତେ ସବୁ ପରେ ବି ଉଚ୍ଚଶିକ୍ଷା ସ୍ଥିତିରେ କୌଣସି ପରିବର୍ତନ ହେଉନି। ନୂଆ କରି ପ୍ରତିଷ୍ଠା ହୋଇଥିବା ଘରୋଇ ଶିକ୍ଷାନୁଷ୍ଠାନ ଜାତୀୟସ୍ତରରେ ସଫଳତା ହାସଲ କରୁଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଦୟନୀୟ ସ୍ଥିତି ଲାଗି ରହିଛି। ଶିକ୍ଷା ହବ୍ ଭାବେ ପରିଚିତ ଭୁବନେଶ୍ବରରେ ସରକାରୀ ଶିକ୍ଷାନୁଷ୍ଠାନର ସ୍ଥିତି ଦୟନୀୟ ହୋଇପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଆଇଆଇଟି ବ୍ୟତୀତ ଆଉ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଏନ୍ଆଇଆର୍ଏଫ୍ ତାଲିକା ଭିତରକୁ ଆସି ପାରିନାହାନ୍ତି। ଯେତେବେଳେ କି ସୋଆ, କିଟ୍ ପରି ଶିକ୍ଷାନୁଷ୍ଠାନ ଲଗାତାର ଭାବେ ଭଲ ପ୍ରଦର୍ଶନ କରିଚାଲିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ଗ୍ରହଣ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଲଗାତାର ତୃତୀୟ ବର୍ଷ ପାଇଁ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ମାତ୍ର ୨୦୨୧ ତୁଳନାରେ ୨୦୨୨ରେ ରୢାଙ୍କ୍ ଖସିଛି। ୨୦୨୧ରେ ୮୭ତମ ସ୍ଥାନରେ ଥିବା ବେଳେ ଏଥର ଗୋଟିଏ ରୢାଙ୍କ୍ ତଳକୁ ଖସି ୮୮ତମ ସ୍ଥାନରେ ରହିଛି। ୨୦୧୬ରେ ନାକ୍ ‘ଏ+’ ଗ୍ରେଡ୍ ସହ କେନ୍ଦ୍ର ସରକାରଙ୍କ କାଟାଗୋରି-୧ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ରାଜ୍ୟର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଶିକ୍ଷା, ଗବେଷଣାକୁ ନେଇ ଡିଣ୍ତିମ ପିଟୁଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପାରିବାପଣିଆ ନେଇ ଏବେ ପ୍ରଶ୍ନ ଉଠିଛି। ଉପରକୁ ବଢ଼ିବା ବଦଳରେ କ’ଣ ପାଇଁ ତଳକୁ ଖସିଲା ତାହାକୁ ନେଇ ସମୀକ୍ଷା କରିବାର ଆବଶ୍ୟକତା ରହିଥିବା ଶିକ୍ଷାବିତ୍ମାନେ ମତପୋଷଣ କରିଛନ୍ତି। ମାତ୍ର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଯୁକ୍ତି ହେଉଛି ଯେ ରୢାଙ୍କ୍ କମିଛି ସତ। ମାତ୍ର ଏନ୍ଆଇଆର୍ଏଫ୍ ସ୍କୋର ବଢ଼ିଛି। ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ କ’ଣ କରି ଆଗରେ ରହୁଛନ୍ତି ସେମାନେ ଜାଣିଥିବେ। ଆମେ କିଛି ଦୋ ନମ୍ବରୀ କାମ କରୁନାହୁଁ।
ଆଶ୍ଚର୍ଯ୍ୟ କରିବା ପରି ଘଟଣା ହେଉଛି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈପଦୀ ମୁର୍ମୁ ପଢ଼ୁଥିବା ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ଏନ୍ଆଇଆର୍ଏଫ୍ ତାଲିକାରେ ଚଢ଼ିପାରିନାହିଁ। ଦୈତ୍ୟନଗରୀର ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ତାଲିକାରେ ନାହିଁ। କଟକ-ଭୁବନେଶ୍ବରରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ରାଜଧାନୀ କଲେଜ, ବେସିକ୍ ସାଇନ୍ସ ପରି କଲେଜ ରହିଥିଲେ ମଧ୍ୟ ଦେଶର ଶ୍ରେଷ୍ଠ ୩୦୦ କଲେଜ ଭିତରେ ନାହାନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍, କ୍ୟାମ୍ପସ ସମ୍ପ୍ରସାରଣ ପରି ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି। ବିଶ୍ବବ୍ୟାଙ୍କରୁ ବି ଋଣ ଆଣି ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ଲାଗି ଅଣ୍ଟା ଭିଡ଼ୁଛନ୍ତି। ଏତେ ସବୁ ପରେ ବି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର୍ କରୁଛି। ବୈଷୟିକ ଶିକ୍ଷାରେ ବି ସମାନ ସ୍ଥିତି ଲାଗିରହିଛି।
ଉତ୍କଳ ରୢାଙ୍କ୍କୁ ନେଇ ଦ୍ବନ୍ଦ୍ବ
ବିଶ୍ବବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ଶହେ ତାଲିକାରେ ସମାନ ସ୍କୋର୍ ପାଇଥିବାରୁ ୮୮ତମ ସ୍ଥାନରେ ତିନୋଟି ବିଶ୍ବବିଦ୍ୟାଳୟ ରହିଛି। କ୍ରମାନୟ ଅନୁଯାୟୀ ହରିୟାଣାର ଅଶୋକା ୟୁନିଭର୍ସିଟି, କର୍ଣ୍ଣାଟକର କେଏଲ୍ଏଫ୍ ଏକାଡେମି ଅଫ୍ ହାୟର ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଓ ଉତ୍କଳ ବିଶ୍ବବିଦ୍ୟାଳୟ ୮୮ତମ ରୢାଙ୍କ୍ରେ ରହିଥିବା ଉଲ୍ଲେଖ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଠିକ୍ ତଳକୁ ୯୧ତମ ରୢାଙ୍କ୍ରେ ହରିୟାଣାର ମହର୍ଷି ମାର୍କଣ୍ଡେଶ୍ବର ଶିକ୍ଷାନୁଷ୍ଠାନ ରହିଛି। ଏବେ ପ୍ରଶ୍ନ ଉଠୁଛି ଉତ୍କଳ ବିଶ୍ବବିଦ୍ୟାଳୟ ରୢାଙ୍କ କେତେ? ୮୮ ନା ୯୦? ଯଦି ୮୮ ରୢାଙ୍କ ତେବେ ୮୯ ଓ ୯୦ ରୢାଙ୍କ୍ ପାଇଥିବା ଶିକ୍ଷାନୁଷ୍ଠାନ କୁଆଡ଼େ ଗଲେ? ଏହାକୁ ନେଇ ଆଜି ଦିନତମାମ ତର୍କ ବିତର୍କ ଲାଗି ରହିଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରେଷ୍ଠ ଶହେ ତାଲିକା ବାହାରିଛି। ଗୋଟିଏ ସ୍କୋରରେ ତିନୋଟି ଶିକ୍ଷାନୁଷ୍ଠାନ ଥିବାରୁ କାହାକୁ ଆଗପଛ କରିହେବ ନାହିଁ। ୮୮ ରୢାଙ୍କରେ ସମସ୍ତଙ୍କୁ ରଖାଯାଇଛି। ଯଦି ରୢାଙ୍କ୍ ଅନୁଯାୟୀ ଶ୍ରେଷ୍ଠ ଶହେ ନିଆଯିବ ତେବେ ବିଶ୍ବବିଦ୍ୟାଳୟ ସଂଖ୍ୟା ଶହେ ପାର୍ ହୋଇଯିବ। ତେଣୁ ବାଧ୍ୟ ହୋଇ ଏଭଳି କରାଯାଇଛି। କିଛି ରୢାଙ୍କ୍କୁ ବାଦ୍ ଦିଆଯାଇଛି।
ଓଡ଼ିଶାରେ ଏକ ନମ୍ବର ‘ସୋଆ’
ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଏଥିସହ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣିଥରେ ପ୍ରତିପାଦିତ କରିଛି। ୪ଟି ବର୍ଗରେ ନିଜର ସ୍ଥାନକୁ ଉନ୍ନୀତ କରିଛି। ସୋଆର ଦୁଇଟି ଅନୁଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ ଓ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ ହୋଇଛି। ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନିତ କରିଛି ସୋଆ। ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଛି। ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି, କର୍ମଚାରୀଙ୍କୁ ସେମାନଙ୍କ ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।
ମେଡିକାଲ ବର୍ଗରେ ଉଠିଲା ‘ଏମ୍ସ’
/sambad/media/post_attachments/wp-content/uploads/2022/04/aiims-balesore.jpg)
ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୨୬ତମ ସ୍ଥାନରେ ରହିଛି। ୨୦୨୧ରେ ଏହି ଜାତୀୟ ଅନୁଷ୍ଠାନ ୩୧ତମ ସ୍ଥାନରେ ଥିଲା। ଏଭଳି ସଫଳତା ନେଇ ଏମ୍ସ ଭୁବନେଶ୍ୱରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମଧ୍ୟ ଏହି ସଫଳତା ନିମନ୍ତେ ଏମ୍ସ ପରିବାରକୁ ଅଭିନନ୍ଦନ ଜଣାଇବା ସହ ରୋଗୀ ସେବା ତଥା ଡାକ୍ତରୀ ଛାତ୍ରଙ୍କ ଗବେଷଣା ଓ ସାମଗ୍ରିକ ବିକାଶ ଦିଗରେ ଆଭିମୁଖ୍ୟକୁ ଦୋହରାଇଛନ୍ତି।
ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ୨୦ତମ ସ୍ଥାନରେ ‘କିଟ୍’
ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ପ୍ରସ୍ତୁତ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍ ଗତବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗୋଟିଏ ସ୍ଥାନ ଉପରକୁ ଉଠି ୨୦ତମ ସ୍ଥାନରେ ରହିଛି। ଏହାବ୍ୟତୀତ କିଟ୍ର ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏହି ସଫଳତା ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ କିଟ୍ ପ୍ରତିବର୍ଷ ବିଭିନ୍ନ ବିଭାଗରେ ପ୍ରଦର୍ଶନରେ ଉନ୍ନତି ଆଣୁଛି। ତେଣୁ ରୢାଙ୍କିଙ୍ଗ୍ରେ କିଟ୍ର ସ୍ଥାନ ଉପରକୁ ଉଠୁଛି। ଛାତ୍ରଛାତ୍ରୀ ଓ କର୍ମଚାରୀ ଖୁସି ବ୍ୟକ୍ତ କରିବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଦୂରଦୃଷ୍ଟି ଯୋଗୁଁ କିଟ୍ ଗୋଟିଏ ପରେ ଗୋଟିଏ ପାହାଚ ଉଠି ଚାଲିଛି ବୋଲି କହିଛନ୍ତି।
ଇଞ୍ଜିନିୟରିଂ ବର୍ଗର ୯୮ତମ ସ୍ଥାନରେ ‘ସିଭି ରମଣ’
/sambad/media/post_attachments/wp-content/uploads/2022/07/49-1.jpg)
ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୪ଟି ବର୍ଗରେ ନିଜର ସ୍ଥିତି ଜାହିର କରିଛି। ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାର ୧୦୫୧ରୁ ୨୦୦ ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍ର ୧୦୧ରୁ ୧୫୦ତମ ରୢାଙ୍କ ମଧ୍ୟରେ ରହିଛି। ଇଞ୍ଜିନିୟରିଂ ବର୍ଗର ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ହାସଲ କରି ରେକର୍ଡ ସୃଷ୍ଟି କରିଛି। ୯୮ତମ ସ୍ଥାନରେ ରହି ଏହି ବର୍ଗରେ ରାଜ୍ୟର ୫ମ ଶିକ୍ଷାନୁଷ୍ଠାନ ହୋଇଛି। ଶିକ୍ଷାନୁଷ୍ଠାନର ଏଭଳି ସଫଳତା ନେଇ କର୍ତୃପକ୍ଷ, ଛାତ୍ରଛାତ୍ରୀ, ଅଧ୍ୟାପକମାନେ ଖୁସିବ୍ୟକ୍ତ କରିଛନ୍ତି।
୨୫୧-୩୦୦ ରୢାଙ୍କ ମଧ୍ୟରେ ଜିଆଇଇଟି ବିଶ୍ବବିଦ୍ୟାଳୟ
/sambad/media/post_attachments/wp-content/uploads/2022/07/50-1.jpg)
ଗୁଣୁପୁରସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଜିଆଇଇଟି) ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ ବର୍ଗର ୨୫୧ରୁ ୩୦୦ ରୢାଙ୍କ ମଧ୍ୟରେ ରହିଛି। ଶିକ୍ଷା, ଗବେଷଣା, ଗ୍ରାଜୁଏସନ୍ ଆଉଟ୍କମ୍, ଆଉଟ୍ରିଚ୍ କାର୍ଯ୍ୟକ୍ରମ ପରି ବିଭିନ୍ନ ମାନଦଣ୍ଡ ଆଧାରରେ ଶିକ୍ଷାନୁଷ୍ଠାନକୁ ଏହି ରୢାଙ୍କ୍ ମିଳିଛି। ଏଭଳି ସଫଳତା ନେଇ ଜିଆଇଇଟି ସଭାପତି ସତ୍ୟପ୍ରକାଶ ପଣ୍ଡା, ଉପ ସଭାପତି ଚନ୍ଦ୍ରଧ୍ବଜ ପଣ୍ଡା, ଡାଇକ୍ଟେର ଜେନେରାଲ ଜଗଦୀଶ ପଣ୍ଡା, କୁଳପତି ଗୌତମ ଘୋଷ, କୁଳସଚିବ ଏନ୍ ଭି ଜଗନ୍ନାଥ ରାଓ ପ୍ରମୁଖ ଛାତ୍ରଛାତ୍ରୀ, କର୍ମଚାରୀ, ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।