ଭୁବନେଶ୍ବର: ଆହାର କେନ୍ଦ୍ରରେ ଲାଗିଥିବା ଡିସ୍ ୱାସର୍ ଅଚଳ ହୋଇ ରହିଛି। ଫଳରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଥାଳି ସବୁକୁ ହାତରେ ଧୋଉଛନ୍ତି। ଦୀର୍ଘ ୬ ମାସ ହେଲା ଏଭଳି ଅବସ୍ଥା ଲାଗି ରହିଥିଲେ ବି ଡିସ୍ ୱାସର୍ କାର୍ଯ୍ୟକ୍ଷମ କରାଇବାକୁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ହାତରେ ଧୁଆ ହେଉଥିବା ଥାଳିର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାପିଟାଲ୍ ହସ୍ପିଟାଲ୍ସ୍ଥିତ ଆହାର କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି। ଡିସ୍ ୱାସର୍ ଅଚଳ ହୋଇ ପଡ଼ିଥିବାରୁ ଥାଳି ସବୁକୁ ଭଲରେ ସଫା କରାଯାଉନଥିବା ଅଭିଯୋଗ ହେଉଛି।
ଡିସ୍ ୱାସର ବ୍ୟବସ୍ଥାରେ ଥାଳିଗୁଡ଼ିକୁ ଗରମ ପାଣିରେ ଭଲଭାବେ ଧୋଇବା କଥା। ଏହା ମଧ୍ୟ ଆହାର କେନ୍ଦ୍ର ନିୟମ। କିନ୍ତୁ ଏବେ ମହିଳା ଗୋଷ୍ଠୀର ସଦସ୍ୟାମାନେ କେବଳ ଡିଟରଜେଣ୍ଟ ବ୍ୟବହାର କରି ଧୋଉଛନ୍ତି। ଏହି ଆହାର କେନ୍ଦ୍ରକୁ ମା’ ରାମଚଣ୍ଡୀ ସ୍ବୟଂ ସହାୟକ ଗୋଷ୍ଠୀର ୫ଜଣ ମହିଳା ତଦାରଖ କରୁଛନ୍ତି। ସେମାନଙ୍କ କହିବା କଥା, ପ୍ରତିଦିନ ୯ଶହରୁ ଅଧିକ ଲୋକ ଏଠାରେ ଖାଉଛନ୍ତି। ପାଖରେ ଡାକ୍ତରଖାନା ଥିବା ହେତୁ ବହୁ ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଏହି କେନ୍ଦ୍ରରେ ଖାଉଛନ୍ତି। ତେଣୁ ଥାଳିକୁ ଭଲ ଭାବେ ନ ଧୋଇଲେ, ରୋଗ ସଂକ୍ରମଣ ହେବାର ଆଶଙ୍କା ରହୁଛି। ତେଣୁ ସେମାନେ ଯଥାସମ୍ଭବ ଡିଟରଜେଣ୍ଟ ଲଗାଇ ଥାଳିଗୁଡ଼ିକୁ ଧୋଉଛନ୍ତି। ଏଥିପାଇଁ ସେମାନଙ୍କୁ ବହୁ କଷ୍ଟ କରିବାକୁ ପଡ଼ୁଛି। ସଦସ୍ୟା ମେଘା ପ୍ରଧାନଙ୍କ କହିବା କଥା, ୫ଜଣ ୯ ଶହ ଥାଳିକୁ ଧୋଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ସେଥିପାଇଁ ଅତିରିକ୍ତ ପାରିଶ୍ରମିକ ମଧ୍ୟ ନାହିଁ। ତେବେ ଲୋକଙ୍କ ଖାଇବା କଥା ହୋଇଥିବାରୁ ସେମାନେ ଲାଗି ପଡ଼ି ଧୋଉଛନ୍ତି। ଡିସ୍ ୱାସର୍ ମେସିନ୍ ଅଚଳ ହୋଇଥିବା ନେଇ ସେମାନେ ବାରମ୍ବାର ନୋଡାଲ ଅଫିସରଙ୍କୁ ଜଣାଇଛନ୍ତି। କିନ୍ତୁ ଏହା ଭିତରେ ୬ ମାସ ବିତିଗଲାଣି।
ଜଣେ ଗ୍ରାହକ ରତିକାନ୍ତ ପରିଡ଼ା କୁହନ୍ତି ଯେ ହସ୍ପିଟାଲ ନିକଟରେ ଏଭଳି କେନ୍ଦ୍ର ଥିବାରୁ ଗରିବ ଲୋକେ ଉପକୃତ ହେଉଛନ୍ତି। ଖାଦ୍ୟର ଗୁଣବତ୍ତା ଭଲ ରହୁଛି। କିନ୍ତୁ ଖାଇବା ଥାଳି ପରିଷ୍କାର ରହୁନାହିଁ। ଫଳରେ ଖାଇବା ବେଳେ କିଛିଟା ଖରାପ ଲାଗୁଛି। ତେବେ ଦୂରରୁ ଆସୁଥିବାରୁ ଓ କମ୍ ଖର୍ଚ୍ଚରେ ଖାଇବା ମିଳୁଥିବାରୁ ବାଧ୍ୟ ହୋଇ ଖାଉଛୁ। ଅବଶ୍ୟ ପରିଚାଳନା ଦାୟିତ୍ବରେ ଥିବା ମହିଳାମାନେ ଥାଳି ସଫା କରୁଛନ୍ତି, କିନ୍ତୁ ଡିସ୍ ୱାସର୍ ଓ ଗରମ ପାଣିରେ ଥାଳି ଧୁଆ ହେଲେ, ମନ ବୁଝନ୍ତା ବୋଲି ସେ କହିଥିଲେ। ଏନେଇ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବାରେ ସେ ତୁରନ୍ତ ବିଏମ୍ସି ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/f4sh564sf56h4f56s4h56fs4h56sf.jpg)
