ପୁରୁଣା ଭୁବନେଶ୍ୱର: କମ୍ପୁଥିଲା ବାଜା, ଫୁଟୁଥିଲା ବାଣ, ଆଉ ରାସ୍ତା ସାରା ଅଲୋକ ସଜ୍ଜା। ଏହାରି ମଧ୍ୟରେ ବରଯାତ୍ରୀ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବା ପରେ ମଧ୍ୟରାତିରେ ଦେବବିବାହ ସମାପନ ହୋଇଛି। କେଦାରଗୌରୀ ମନ୍ଦିରରେ ପାଳିଆ ସେବାୟତମାନେ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଠାକୁରଙ୍କ ବିବାହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା।
ଆଜି ରାତି ପ୍ରାୟ ୧୧ଟା ବେଳେ ପାଳିଆ ସେବାୟତଙ୍କ ଗହଣରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା। ମନ୍ଦିରରେ ନୀତି ପରେ ଘଣ୍ଟ, କାହାଳୀ ସମେତ ବିଭିନ୍ନ ପାରମ୍ପାରିକ ବାଦ୍ୟ ବାଜି ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିର ଅଭିମୁଖେ ଯାଇଥିଲେ। ମନ୍ଦିରରୁ ବାହାରି ବରଯାତ୍ରୀ ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ, ଏକାମ୍ରବନ ଦେଇ ଯାତ୍ରା କରିଥିଲା। କେଦାରଗୌରୀ ମନ୍ଦିରଠାରେ ଉପସ୍ଥିତ ସେବାୟତ ବରଙ୍କୁ ବନ୍ଦାପନା କରିବା ପରେ ଠାକୁର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ବରଯାତ୍ରୀଙ୍କୁ ସେବାୟତମାନେ ଆପାୟିତ କରିଥିଲେ। ବିଳମ୍ୱିତ ରାତିରେ ଦେବାଦେବୀଙ୍କ ହାତଗଣ୍ଠି ପଡିଥିଲା। ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରର ସେବାୟତଙ୍କ ଦ୍ବାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ବିବାହ ସମ୍ପନ୍ନ ହୋଇଥିଲା। ଆଜି ଠାକୁର ବିବାହ ପାଇଁ ଯାତ୍ରା କରିବା ବେଳେ ବହୁ ଭକ୍ତ ସେମାନଙ୍କ ଘର ବାରଣ୍ଡା ଓ କୋଠା ଉପରୁ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ। ରାସ୍ତାରେ ବିଭିନ୍ନ ଛକରେ ଚିତା ପକାଯାଇ ଠାକୁରଙ୍କୁ ସ୍ବାଗତ କରାଯାଇଥିଲା।
ନଗର ପରିକ୍ରମା କରିବେ ଦେବଦମ୍ପତି
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଶେଷ ହେବା ପରେ ଶନିବାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନିମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ। ବିଭିନ୍ନ ଛକରେ ପିଇବା ପାଣି ଟ୍ୟାଙ୍କର ରଖାଯିବା ସହ ରାସ୍ତାକୁ ଆଲୋକୀକରଣ କରାଯାଇଛି। ଚଳିତ ବର୍ଷ ଏହି ଯାତ୍ରାକୁ ମହାଆଡ଼ମ୍ବରରେ କରାଯିବାକୁ ପ୍ରଶାସନ ଯୋଜନା ରଖିଛି। ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ପାରମ୍ପରିକ ବାଦ୍ୟ ସହ ୩୧ ପ୍ରକାର ନୃତ୍ୟ ଓ ସଂଗୀତ ପରିବେଷଣରେ ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବ। ମହାପ୍ରଭୁଙ୍କୁ ଯୌତୁକରେ ମିଳିଥିବା ଇନ୍ଦ୍ରହାତୀ ଦେବଦମ୍ପତିଙ୍କୁ ପାଛୋଟି ଆଣିବ।
ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ବିବାହ ସାରି ଶନିବାର ରାତିରେ ଦେବଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ରାସ୍ତାରେ ଠାକୁରଙ୍କୁ ନେବା ବେଳେ ପୁଲିସ ଫୋର୍ସ ଛାଉଣି ରହିବ। ଏହି ସୁରକ୍ଷା ବଳୟ ମଧ୍ୟକୁ କୌଣସି ସାଧାରଣ ଲୋକ ପ୍ରବେଶ କରିପାରିବେନି। ସୁରକ୍ଷାବ୍ୟବସ୍ଥା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ରହିବେ ବୋଲି ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ କୁହାଯାଇଛି।