ଗରିବ ରୋଗୀଙ୍କ ଅପରେସନ୍ କରି ନୂଆ ଜୀବନ ଦେଲେ ଡାକ୍ତର, ସଞ୍ଜୁଙ୍କ ପରେ ସସ୍ମିତା

ଭୁବନେଶ୍ବର: ଘର ଛପର କଲାବେଳେ ଚାଳ ଉପରୁ ପଡ଼ି ଅକର୍ମଣ୍ୟ ହୋଇଯାଇଥିବା ପୁରୀର ସଞ୍ଜୁଙ୍କୁ ନୂଆ ଜୀବନ ଦେବା ପରେ ଡାକ୍ତର ସୁବ୍ରତ ମହାନ୍ତି ଏବେ ଆଉ ଜଣେ ଗରିବ ‌ରୋଗୀଙ୍କ ଅପରେସନ୍ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ସେ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ବିଶ୍ବନାଥପୁର ଗ୍ରାମର ସୁଶାନ୍ତ ସେଠୀଙ୍କ ପତ୍ନୀ ସସ୍ମିତା ସେଠୀ। ସସ୍ମିତାଙ୍କ ଜଂଘର ହାଡ଼ ଭାଙ୍ଗି ଯିବା ପରେ ୮ ମାସ ହେବ ଘରେ ପଡ଼ି ରହିଥିଲେ। ତାଙ୍କ କାହାଣୀକୁ ସୋସିଆଲ ମିଡିଆରେ ପଢ଼ିବା ପରେ ଡା. ଶ୍ରୀ ମହାନ୍ତି ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ ଆଣିଥିଲେ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ନିକଟରେ ତାଙ୍କର ଅପରେସନ ସଫଳତାର ସମ୍ପନ୍ନ ହୋଇଛି। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇ ଚାଲିବେ ବୋଲି କହିଛନ୍ତି ଡା. ମହାନ୍ତି।

ସସ୍ମିତାଙ୍କ ପରିବାର କହିଲେ ସ୍ବାମୀ, ଦୁଇ ଛୋଟଛୋଟ ପିଲା ଓ ବିଧବା ଶାଶୂ। ଅତ୍ୟନ୍ତ ଗରିବ ଶ୍ରେଣୀର ସସ୍ମିତାଙ୍କ ପରିବାରରେ ଏକମାତ୍ର ରୋଜଗାରିଆ ହେଉଛନ୍ତି ସ୍ବାମୀ ସୁଶାନ୍ତ। ଦିନେ ନ ଖଟିଲେ ଓପାସ ରହିବାକୁ ପଡ଼େ। ତେବେ ଯେମିତି ବି ହେଉ ପରିବାର ଚଳି ଯାଉଥିଲା। ଗତ ଫେବ୍ରୁ୍ଆରି ମାସରେ ଖସଡ଼ା ରାସ୍ତାରେ ପଡ଼ିଯିବାରୁ ସସ୍ମିତାଙ୍କ ଜଂଘ ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ମଧ୍ୟ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ଜାଣିବା ପରେ ସେ କାଳୁପଡ଼ା ସେକ ଆରମ୍ଭ କରିଥିଲେ। ହେଲେ ଜଂଘ ହାଡ଼ ଯୋଡ଼ିବା ପରିବର୍ତ୍ତେ ଆହୁରି ଖରାପ ଆଡ଼କୁ ଗତି କରିଥିଲା। ଏଣୁ ସେ ଘରେ ଅକର୍ମଣ୍ୟ ହୋଇ ପଡ଼ି ରହିଥିଲେ। ବର୍ଷକର ଛୋଟ ପୁଅ ଓ ୬ ବର୍ଷର ଶିଶୁକନ୍ୟାଙ୍କ ଯତ୍ନ ନେଇ ପାରୁନଥିଲେ। ବିଧବା ବୃଦ୍ଧା ଶାଶୂ ସବୁ କାମ କରୁଥିଲେ। ସସ୍ମିତାଙ୍କର ସେବା ମଧ୍ୟ କରୁଥିଲେ। ତାଙ୍କର ଏଭଳି ସ୍ଥିତିକୁ ସୁଶୀଲ ସାହୁ ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଏହା ଉପ‌ରେ ଡା. ମହାନ୍ତିଙ୍କର ନଜର ପଡ଼ିବା ପରେ ସେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ଆଣିବାକୁ କହିଥିଲେ। ସୁଶୀଲଙ୍କ ସହଯୋଗରେ ପରିବାର ସଦସ୍ୟ ସସ୍ମିତାଙ୍କୁ ଆଣି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲେ। ଆଉ ଡା.ମହାନ୍ତି ବିନା ଖର୍ଚ୍ଚରେ ତାଙ୍କ ଜଂଘ ହାଡ଼ର ଅପରେସନ୍ କରିଥିଲେ।

ସମ୍ବନ୍ଧିତ ଖବର