ଏମ୍ସରେ ବଢୁଛି ଡାକ୍ତର ଅସନ୍ତୋଷ, ଘୂରି ବୁଲୁଥିବା ବେନାମୀ ଚିଠି ପଠାଇଛି କିଏ?

ଜଟିଳ ହେଉଛି ପଦୋନ୍ନତି ବିବାଦ, କ୍ଷତିଗ୍ରସ୍ତ ହେବେ ରୋଗୀ

ଭୁବନେଶ୍ବର: ଏମ୍ସରେ ଏ ବିଭାଗରୁ ସେ ବିଭାଗକୁ ଘୂରି ବୁଲୁଥିବା ବେନାମୀ ଚିଠିକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି। ଏହି ଚିଠିରେ ଏମ୍ସର ଅନେକ ଗୁମର କଥା ଉଜାଗର ହୋଇଛି। ୧୧ ଡାକ୍ତର ପଦୋନ୍ନତିରୁ ବଞ୍ଚିତ ହେବା ପରେ ଏମ୍ସରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ କାବୁ କରିବା ପାଇଁ ଏଭଳି ବେନାମୀ ଚିଠି ପଠାଯାଇଥିବା ଅଭିଯୋଗ ହୋଇଛି।

ଚଳିତ ବର୍ଷ ଏମ୍ସର ସମୁଦାୟ ୩୯ ଡାକ୍ତରଙ୍କ ପଦୋନ୍ନତି ହେବାର ଥିଲା। ଏଥିରେ ଆନାଟୋମି, ଇଏନ୍‌ଟି, ଡର୍ମାଟୋଲୋଜି, ମାଇକ୍ରୋ ବାୟୋଲୋଜି ବିଭାଗର ସମୁଦାୟ ୧୧ ଜଣ ପଦୋନ୍ନତିରୁ ବଞ୍ଚିତ ହେଲେ। ଏହା ବିରୋଧରେ ଏମ୍ସ ଫାକଲ୍‌ଟି ଆସୋସିଏସନ ଲଗାତାର ସ୍ବର ଉତ୍ତୋଳନ କରି ଆସୁଛି। ବିଭିନ୍ନ ସ୍ତରରେ ଦାବିପତ୍ର ସହିତ କିଛି ଦିନ ପୂର୍ବରୁ ଏମ୍ସ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ହୋଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇଥିଲା। ଅଭିଯୋଗ ଆ‌ସିଥିଲା ଯେ ଆନାଟୋମି ବିଭାଗର ଜଣେ ପ୍ରଫେସର କ୍ରମାଗତ ତିନି ଥର ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ୯ ବର୍ଷ ହେଲା ଏହି ବରିଷ୍ଠ ଫାକଲ୍‌ଟି ଅତିରିକ୍ତ ପ୍ରଫେସର ଭାବରେ କାର୍ଯ୍ୟ କରି ଆସୁଛନ୍ତି। ପ୍ରଫେସର ପଦ ଖାଲି ଥିବା ସତ୍ତ୍ବେ ତାଙ୍କୁ ପଦୋନ୍ନତି ଦିଆଗଲା ନାହିଁ। ଆଉ ଜଣେ ଫାକଲ୍‌ଟି କ୍ରମାଗତ ଦ୍ବିତୀୟ ଥର ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ସମସ୍ତ ପ୍ରକାର ଯୋଗ୍ୟତା ଥାଇ ମଧ୍ୟ ୨ ଜଣ ଫାକଲ୍‌ଟିଙ୍କୁ ସହଯୋଗୀ ପ୍ରଫେସରରୁ ସହକାରୀ ପ୍ରଫେସର କରାଯାଉ ନାହିଁ। ବାୟୋକେମେଷ୍ଟ୍ରି ବିଭାଗର ଜଣଙ୍କ ପ୍ରତି ଅଯଥା ଅନୁଗ୍ରହ କରାଯାଇଛି; କିନ୍ତୁ ୨ ଜଣ ଯୋଗ୍ୟ ଥାଇ ମଧ୍ୟ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ପରୋକ୍ଷରେ ପଦୋନ୍ନତିରେ ବ୍ୟାପକ ଅନିୟମିତତା ହୋଇଥିବା ସଂଘ ଅଭିଯୋଗ କରିଛି। ଏଥିରେ ସେମାନେ ସିଧାସଳଖ ନିର୍ଦେଶକଙ୍କ କାର୍ଯ୍ୟଧାରାକୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ପଦୋନ୍ନତି ଏବଂ ବିଭିନ୍ନ କାରଣରୁ ନିର୍ଦେଶକଙ୍କ ଉପରେ ଅସନ୍ତୁଷ୍ଟ କିଛି ଫାକଲ୍‌ଟିଙ୍କ ନାମରେ ଘୂରି ବୁଲୁଥିବା ବେନାମି ଚିଠି ଅସନ୍ତୋଷକୁ ନିଆଁରେ ଘିଅ ଢାଳିଲା ଭଳି କାମ କରୁଛି। ଏଥିରେ ବିଭିନ୍ନ ଫାକଲ୍‌ଟିଙ୍କ ନାମ ଉଲ୍ଲେଖ କରି ଲେଖାଯାଇଛି ଯେ ଏମାନଙ୍କ ପ୍ରତି ପୂର୍ବରୁ ନିର୍ଦେଶକ ବିଭିନ୍ନ ସମୟରେ ଅନୁଗ୍ରହ କରିଛନ୍ତି। ବର୍ତ୍ତମାନ ସେମାନେ ନିର୍ଦେଶକଙ୍କ ନାମରେ ଅପପ୍ରଚାର କରୁଛନ୍ତି। ତେବେ ଏହି ଚିଠିରେ କରାଯାଇଥିବା ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ନୁହେଁ। ଏହାକୁ ନେଇ ବର୍ତ୍ତମାନ କୌଣସି ପକ୍ଷ ମୁହଁ ଖୋଲୁ ନାହାନ୍ତି। ଏମ୍ସ ଭଳି ଏକ ଜାତୀୟ ଚିକିତ୍ସା ପ୍ରତିଷ୍ଠାନକୁ ପ୍ରତିଦିନ ବହୁ ଗୁରୁତର ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି। ଏଭଳି ସ୍ଥିତିରେ ପ୍ରତିଷ୍ଠାନରେ ‌ଡାକ୍ତରମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବାବେଳେ ଏଥିରେ ରୋଗୀମାନେ ହିଁ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର