କୁକୁରକୁ ପିଟିପିଟି ମାରିଦେଲେ, ଥାନାରେ ମାମଲା

ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କଲା ପୁଲିସ, ୨୦ ଦିନରେ ତୃତୀୟ ଘଟଣା

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି ବୁଲା ଜୀବଜନ୍ତୁ। ଏହି ଲକ୍‌ଡାଉନ୍ ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବୁଲା କୁକୁର। ରାଜଧାନୀରେ ଗତ ୨୦ ଦିନ ଭିତରେ ତିନି ତିନୋଟି ବୁଲା କୁକୁରଙ୍କୁ ପିଟି ପିଟି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହିଦନଗର ଅଞ୍ଚଳରେ ଏକ ବୁଲା କୁକୁରକୁ କେହି ହତ୍ୟା କରିଥିବା ନେଇ ଆଜି ସହିଦନଗର ଥାନାରେ ପିପୁଲ୍ସ ଫର୍ ଆନିମଲର ଭୁବନେଶ୍ବର ଶାଖାର ସମ୍ପାଦକ ଜୀବନ ବଲ୍ଲଭ ଦାସ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ସହିଦନଗର ଅଞ୍ଚଳରେ କୁକୁର ‘କାଳୁ’ ବୁଲାବୁଲି କରେ। ପିପୁଲ୍‌ ଫର୍‌ ଆନିମଲ୍ସର ଜଣେ ମହି​ଳା ସଦସ୍ୟ କୁକୁରକୁ ନିୟମିତ ଖାଦ୍ୟ ଦିଅନ୍ତି। କିନ୍ତୁ ଆଜି ସକାଳେ କୁକୁର ଏକ ମାର୍ବଲ୍ସ ଦୋକାନ ଆଗରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ମହିଳାଜଣଙ୍କ ଦେଖିବାକୁ ପାଇଥିଲେ। କୁକୁର ପାଟିରୁ ରକ୍ତ ବାହାରୁଥିବା ବେଳେ ଗୋଡ଼ ପ୍ଲାଷ୍ଟିକ୍‌ ରଶିରେ ବନ୍ଧା ଯାଇଥିଲା। କୁକୁରକୁ କେହି ହତ୍ୟା କରିବା ପରେ ଗୋଡ଼କୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। କୁକୁରଟି ସୁସ୍ଥ ସବଳ ଥିବା ବେଳେ ତାର ସ୍ବାଭାବିକ ମୃତ୍ୟୁ ହୋଇ ନପାରେ ବୋଲି ପ୍ରଶ୍ନ ଉଠାଇଛନ୍ତି ସଦସ୍ୟ। ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ ଆଇପିସି ଦଫା-୪୨୯ରେ ମାମଲା ରୁଜୁ କରିଛି। କୁକୁରର ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ପୁରୁଣା ଭୁବନେଶ୍ବର ଶ୍ରୀରାମନଗର ଅଞ୍ଚଳରେ ଏକ ଗର୍ଭବତୀ କୁକୁରକୁ ଜଣେ ମହିଳା ପିଟିପିଟି ଦରମରା କରିଦେଇଥିଲେ। ଏହା ପରେ କୁକୁରଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇଟି ଛୁଆଙ୍କୁ ଜନ୍ମ ଦେଇଥିଲା କୁକୁର। ଏହାପରେ ଗୋଟିଏ ଛୁଆ ଆଖି ବୁଜି ଦେଇଥିଲା। ମା’ କୁକୁରର ମୃତ୍ୟୁ ଘଟିଥିଲା। ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ କୁକୁରକୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର