ଘର ସାମ୍ନାରେ କୁକୁର ବୁଲେଇଲେ ବୋଲି… ସରକାରୀ କର୍ମଚାରୀଙ୍କୁ ଆଇଏଏସ୍‌ ଅଫିସରଙ୍କ ଆକ୍ରମଣ ଅଭିଯୋଗ

ପତ୍ନୀ ଓ ରୋଷେୟା ପିଟିଲେ, ପଛରେ କୁକୁର ଲଗେଇଦେଲେ, ଦୁର୍ବ୍ୟବହାର ଓ ଆକ୍ରମଣ ନେଇ ଆଇଏଏସ୍‌ଙ୍କ ପାଲଟା ଅଭିଯୋଗ

ଭୁବନେଶ୍ବର: ଘର ସାମ୍ନାରେ କୁକୁର ବୁଲେଇଲେ ବୋଲି ବରିଷ୍ଠ ଆଇଏଏସ୍‌ ଅଫିସର ବୀରବିକ୍ରମ ଯାଦବ ଜଣେ ସରକା‌ରୀ କର୍ମଚାରୀଙ୍କୁ ନିସ୍ତୁକ ପିଟି ଗୋଡ଼ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମାଡ଼ ଖାଇ ଲହୁଲୁହାଣ ହୋଇଥିବା ଦର୍ଶାଇ ସରକାରୀ କର୍ମଚାରୀ କାଳୁଚରଣ ପରିଡ଼ା ସହିଦନଗର ଥାନାରେ ଅଭିଯୋଗ କରିବା ପରେ ଆଜି ଏହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଶ୍ରୀ ଯାଦବ କାଳୁଚରଣ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସହିଦନଗର ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଘରସାମ୍ନାରେ କୁକୁରକୁ ଝାଡ଼ା ପରିସ୍ରା କରାଉଥିବା ନେଇ ପ୍ରଶ୍ନ କରିବାରୁ କାଳୁଚରଣ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କାଳୁଚରଣ ଜନସ୍ୱାସ୍ଥ୍ୟ ବିଜ୍ଞାନ ପରୀକ୍ଷାଗାରରେ ଜଣେ କର୍ମଚାରୀ। ସେ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛପଟେ ରହନ୍ତି। ତାଙ୍କ ଘର ରାସ୍ତାରେ ଆଇଏଏସ୍‌ ଅଫିସର ବୀରବିକ୍ରମ ଯାଦବଙ୍କ ସରକାରୀ ବାସଭବନ ରହିଛି। ସବୁଦିନ କାଳୁଚରଣ ସକାଳେ କୁକୁର ଧରି ପ୍ରାତଃଭ୍ରମଣରେ ଯାଆନ୍ତି। କାଳୁଚରଣଙ୍କ ପୁଅ ଚନ୍ଦ୍ରକାନ୍ତ ପରିଡ଼ାଙ୍କ ଅଭିଯୋଗ ମୁତାବକ, ତାଙ୍କ ବାପା ଆଜି ମଧ୍ୟ ସେ ପ୍ରାତଃ ଭ୍ରମଣରେ ଯାଉଥିଲେ। ନିଜ ସରକାରୀ ବାସଭବନ ସାମ୍ନାରେ ଆଇଏଏସ ବୀର ବିକ୍ରମ ଯାଦବ ଛିଡ଼ା ହୋଇଥିଲେ। ତାଙ୍କ କ୍ବାର୍ଟର ଆଗରେ କୁକୁର ବୁଲାଉଥିବାରୁ ସେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ କାଳୁଚରଣଙ୍କୁ ଗାଳିଗୁଲଜ କରିଥିଲେ। ସେ ‘ଚାକର’ ବୋଲି କହି ଗାଳି କରିଥିବାବେଳେ ତାଙ୍କ ପତ୍ନୀ ଓ ସୁରକ୍ଷାକର୍ମୀ ଆକ୍ରମଣ କରିଥିଲେ। ଏମାନଙ୍କ ମାଡ଼ରେ ସେ ତଳେ ପଡ଼ି ଯିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। କାଳୁଚରଣ ପଡ଼ିଯିବା ପରେ ଆଇଏଏସ୍‌ ଅଫିସର ନିଜ ପୋଷା କୁକୁରକୁ ତାଙ୍କ ଉପରକୁ ଛାଡ଼ି ଦେଇଥିଲେ। ତେବେ ଏ ନେଇ ବୀରବିକ୍ରମ ଯାଦବ କହିଛନ୍ତି, ପୁଲିସ ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରୁ। ପୁଲିସକୁ ମୁଁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି।

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଯେ କାଳୁଚରଣ କୁକୁରକୁ ଚେନ୍‌ ନ ବାନ୍ଧି ଖୋଲାରେ ବୁଲାନ୍ତି। ଏଣୁ ଅନ୍ୟମାନଙ୍କୁ କାମୁଡ଼ିବା ନେଇ ଭୟ ଥିବାରୁ ସମ୍ପୃକ୍ତ ଆଇଏଏସ୍‌ ଅଫିସର ତାଗିଦ୍‌ କରିଥିଲେ। ଆଜି ଆଇଏଏସ୍‌ ଅଫିସରଙ୍କ ଗେଟ୍‌ ଖୋଲା ଥିବାରୁ ତାଙ୍କ କୁକୁର ବାହାରକୁ ଚାଲି ଆସିବାରୁ ଉଭୟ କୁକୁର ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ କାଳୁଚରଣ ଓ ସମ୍ପୃକ୍ତ ଆଇଏଏସ୍‌ ଅଫିସରଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି। ଏ ନେଇ ଡିସିପି ଉମା ଶଙ୍କର ଦାଶ କହିଛନ୍ତି, ଉଭୟ ପକ୍ଷରୁ ଏଭଳି ଏକ ଅଭିଯୋଗ ଆସିଛି। ସହିଦନଗର ଥାନା ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର