ଖଣ୍ଡଗିରି: ଵାର୍ଡର ସମସ୍ତ ସାହି, ବସ୍ତି, ଆବାସିକ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ।  ଯିଏ ଆସିଲେ ସେଇ ଗୋଟିଏ କଥା। ‌ଡ୍ରେନ୍‌ ସଫା ‌ହେଉନି। ଘରୁ ଅଳିଆ ଉଠୁନି। ରାସ୍ତା ସଫା କରିବାକୁ ଆସୁଥିବା ଲୋକେ ବର୍ଷ‌ରେ ଥରେ ଆସି ବକ୍ସିସ ମାଗୁଛନ୍ତି। ଅଭିଯୋଗ କରିଲେ ଶୁଣୁ ନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ଦକ୍ଷିଣ-ପଶ୍ଚିମ ଜୋନ୍‌ ଅନ୍ତର୍ଗତ ୪୯ ନମ୍ବର ଵାର୍ଡରେ ଵାର୍ଡସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଅଞ୍ଚଳବାସୀ। କୋଳଥିଆ କମ୍ୟୁନିଟ୍ ସେଣ୍ଟରରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ଅଭିଯୋଗ ଶୁଣାଣି ଶିବିରରେ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଵାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀଧର ବେହେରା, ଗ୍ରିଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ବିନୟିନୀ ଜେନା, ସ୍ଲମ୍‌ ସେଟଲ୍‌ମେଣ୍ଟ୍‌ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ସମାଜସେବୀ ଅଶ୍ୱନୀ ସୁନ୍ଦରାୟ, ଦକ୍ଷିଣ-ପଶ୍ଚିମ ଜୋନାଲ କମିସନର ରାକେଶ କୁମାର ପାତ୍ର,  ଵାର୍ଡ ଅଫିସର, କନିଷ୍ଠ ଯନ୍ତ୍ରୀ, କମ୍ୟୁନିଟ୍ ଅର୍ଗାନାଇଜର, ସାନିଟାରି ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥୀ ଆଦି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ଡ୍ରେନ୍‌ ସଫେଇ, ଡ୍ରେନ୍‌ ଉପରେ ସ୍ଲାବ୍‌, ରାସ୍ତା ମରାମତି, ନୂତନ ରାସ୍ତା ନିର୍ମାଣ, ସ୍ୱେରେଜ୍ ପାଣି ଲିକ୍, ଜବରଦଖଲ ଉଚ୍ଛେଦ ଆଦି ସମ୍ପର୍କରେ ସ୍ଥାନୀୟ ଲୋକେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେୟର ଲୋକଙ୍କ ଅଭିଯୋଗ ଶୁଣିବା ସହ ଉପବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୂତନ ରାସ୍ତା ନିର୍ମାଣ, ରାସ୍ତା ମରାମତି ଓ ନୂତନ ଡ୍ରେନ୍‌ କାମ ପାଇଁ ଆସିଥିବା ଅଭିଯୋଗ ମଧ୍ୟରୁ କେତେକ ଟେଣ୍ଡର ହୋଇସାରିଥିବା ବେଳେ ଆଉ କେତେକ କାମ ଆରମ୍ଭ ହେବାକୁ ଯାଉଛି ବୋଲି ଉପସ୍ଥିତ ଉପବିଭାଗୀୟ ଅଧିକାରୀମାନେ ଅଭିଯୋଗକାରୀମାନଙ୍କୁ ଅବଗତ କରାଇଥିଲେ। ଆଜି ସମୁଦାୟ ୨୪ ଅଭିଯୋଗର ଶୁଣାଣି ହୋଇଥିଲା।  ଲୋକଙ୍କ ସୁବିଧା ଅସୁବିଧା ତାଙ୍କ ପାଖକୁ ଯାଇ ଶୁଣିବା ସହ ସେମାନଙ୍କ ସମସ୍ୟା ସମାଧାନର ସୂତ୍ର ବାହାର କରିବା ଏହି ଅଭିଯୋଗ ଶୁଣାଣି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତୀ ଦାସ କହିଥିଲେ। ସେହିପରି ୱାର୍ଡରେ ବିଦ୍ୟୁତ୍‌ ବ୍ୟବସ୍ଥା ଠିକ୍‌ କରିବା ପାଇଁ ୧୦ ଲକ୍ଷ୍ ଟଙ୍କାର କାମ ହେବ ବୋଲି ସେ ସୂଚନା ଦେଇଥିଲେ।

୪୯ ନମ୍ବର ୱାର୍ଡବାସୀଙ୍କ ଅଭିଯୋଗ ଶୁଣିଲେ ମେୟର

Advertisment

ପୋଖରୀକୁ ବାଟ ନାହିଁ ଉନ୍ନତୀକରଣ କାହା ପାଇଁ? ହଳଦୀ ପୋଖରୀ ଖୋଳାରେ ଖର୍ଚ୍ଚ ୧୭ଲକ୍ଷ
ବିଏମ୍‌ସିର ଜଳାଶୟ ପୁନରୁଦ୍ଧାର ଦୁର୍ନୀତି ପାଇଁ ନୂଆ ବାଟ ‌ଖୋଲିଛି। କେବଳ କେମିତି ଟଙ୍କା ଖର୍ଚ୍ଚ ହେବ ସେଥିରେ ମନ ଦେଉଛନ୍ତି। କେଉଁଠି ପୋଖରୀକୁ ଯିବାକୁ ପାଟ ନାହିଁ, ପୁନରୁଦ୍ଧାର ହୋଇଛି। ଆଉ କେଉଁଠି ନବୀକରଣର ଅଳ୍ପ କେଇଦିନ ଭିତରେ କୋଠା ଭୁଶୁଡ଼ି ପୋଖରୀ ଭିତରେ ପଡ଼ିଛି। ଆଇଗିଣିଆ ପୋଖରୀ ଓ ଫୁଲେଶ୍ବରୀର ହଳଦୀପୋଖରୀରେ ଏଭଳି ବିଚିତ୍ର ଅବସ୍ଥା। ଆଇଗିଣିଆ ପୋଖରୀ ୪୦ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର କରାଯାଇଥିଲା। ଗତ ବର୍ଷା ଦିନେ ପୁ‌ଷ୍କରିଣୀକୁ ଲାଗି ହୋଇଥିବା ଗାଧୁଆଘର ସମ୍ପୂର୍ଣ୍ଣ ପା‌ଣି ଭିତରେ ଧସିଗଲା। ଆଜି ଜନଶୁଣାଣିରେ ଆଇଗିଣିଆ ଗ୍ରାମର ସୁମନ ଛୁଆଳସିଂହ ଏଭଳି କହି ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ରେ ପ୍ରକାଶ ପାଇଥିବା‌ ଖବରକୁ ଦେଖାଇ ଏହା କାହା ସ୍ବାର୍ଥ ପାଇଁ ବୋଲି ପ୍ରଶ୍ନ କରିଥିଲେ। ୨୦୨୧ ଅଗଷ୍ଟ ମାସରେ ଉଦ୍‌ଘାଟିତ ହୋଇଥିବା ଆଇଗିଣିଆ ପୋଖରୀର ନବ‌କଳେବର ୩ବର୍ଷରେ ନଷ୍ଟ ହୋଇଯାଇଛି। ହଲଦୀପୋଖରୀକୁ ବାଟ ନାହିଁ। ଏହାର ଉନ୍ନତୀକରଣ ପା‌ଇଁ ୨୦୨୩ ମସିହା ୧୭ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।‌ ପୋଖରୀର ଚାରିପା‌ଖରେ ବେସରକାରୀ ଜମି ଥିବାରୁ ପୋଖରୀକୁ ଯିବାକୁ ବାଟ ନାହିଁ। ପୋଖରୀକୁ ଯିବା ପାଇଁ ବାଟ ନଥିବାବେଳେ ପୋଖରୀକୁ ଖୋଳିବାକୁ ବିଏମ୍‌ସି କାହିଁକି ନିଷ୍ପତ୍ତି ନେଲା ତାହା ବୁଝା ପଡ଼ୁନାହିଁ। କେବଳ ପିସି ଖାଇବା ପାଇଁ ପୋଖରୀ ଖୋଳା ହୋଇଛି ‌ବୋଲି ସେ ଅଭିଯୋଗ କରିଥିଲେ। ଏହାର ଜବାବରେ ମେୟର ପୋଖରୀ ସଫା କରାଯିବ। ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।