ସ୍ବପ୍ନରେ ରହିଯିବ ସୁନ୍ଦରପଦା-ଜଟଣୀ ରାସ୍ତା ପ୍ରଶସ୍ତୀକରଣ!

ପୁରୁଣା ଭୁବନେଶ୍ବର: ରାଜଧାନୀର କଳେବର ବଢ଼ୁଛି। ଉପକଣ୍ଠ ଗାଁ ସବୁକୁ ମାଡ଼ିଗଲାଣି ସହର। କିନ୍ତୁ ପୁରୁଣା ରାସ୍ତାଘାଟ ସେହି ଅନୁପାତରେ ନବୀକରଣ ହେଉନାହିଁ। ଫଳରେ ପୁରୁଣା ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଲାଗି ରହୁଛି ଓ ଲୋକେ ଯାତାୟାତରେ ବହୁ ହନ୍ତସନ୍ତ ହେଉଛନ୍ତି। ସୁନ୍ଦରପଦା-ଜଟଣୀ ରାସ୍ତା ଏହି ସମସ୍ୟାର ଏକ ନିଛକ ଉଦାହରଣ। ସୁନ୍ଦରପଦାରୁ ହରିରାଜପୁର ଦେଇ ଜଟଣୀ ପର୍ଯ୍ୟନ୍ତ ସହରର ପରିସୀମା ସମ୍ପ୍ରସାରଣ ହୋଇ ସାରିଥିଲେ ମଧ୍ୟ ବ୍ରିଟିଶ ଅମଳର ଏହି ପୁରୁଣା ରାସ୍ତା ସେମିତି ଅବସ୍ଥାରେ ଅଛି। କେବଳ ରାସ୍ତା ଉପରେ ମଝିରେ ମଝିରେ ପିଚୁ ପଡ଼ୁଛି ସିନା ଆବଶ୍ୟକତା ଅନୁସାରେ ପ୍ରଶସ୍ତୀକରଣ କରାଯାଉନାହିଁ। ୧୦ ବର୍ଷରୁ ଅଧିକ କାଳ ହେଲାଣି ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଲୋକଙ୍କୁ ସ୍ବପ୍ନ ଦେଖାଯାଉଛି। ରାଜନୈତିକ ଇଛା ଶକ୍ତି ଅଭାବରୁ ରାଜ୍ୟ ସରକାର ଏହି ରାସ୍ତାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି।

କପିଳପ୍ରସାଦରୁ ଜଟଣୀକୁ ଲମ୍ବିଥିବା ଏହିର ଦୈର୍ଘ୍ୟ ୧୪ କିଲୋମିଟର। ଏହି ରାସ୍ତା ଉପ‌ରେ ଜଟଣୀ ଓ ପିପିଲି ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି। ୨୦୧୨ ମସିହାରେ ଏହି ରାସ୍ତାର ନବୀକରଣ ପାଇଁ ପ୍ରସ୍ତାବ ଆସିଥିଲା। ଆର୍‌ ଆଣ୍ଡ ବି ଅଧୀନସ୍ଥ ଏହି ରାସ୍ତାକୁ ଦୋହରୀକରଣ କରାଯିବ ଓ ମଝିରେ ମେଡିଆନ୍‌ ଥାଇ ଦୁଇ ପାର୍ଶ୍ବରେ ୩୦ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାସ୍ତା ରହିବ ବୋଲି କୁହାଯାଇଥିଲା। ଏନେଇ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେ ମଧ୍ୟ କରାଯାଇଥିଲା। ଏହା ଭିତରେ ୧୦ ବର୍ଷ ବିତିବାକୁ ବସିଲାଣି। ମଝିରେ ମଝିରେ ପିଚୁ ପକାଇ ମରାମତି କରାଯାଉଛି ସିନା ନବୀକରଣ ନାଁ ଧରାଯାଉନାହିଁ। ଏବେ ଏହି ରାସ୍ତାର ଦୁଇ ପାର୍ଶ୍ବରେ ନୂଆ ନୂଆ କଲୋନି, ଜାଭିୟର୍‌ ବିଶ୍ବବିଦ୍ୟାଳୟ ଭଳି ବଡ଼ବଡ଼ ଶିକ୍ଷାନୁଷ୍ଠାନ ଗଢ଼ିଉଠିଲାଣି। ନୂଆ ନୂଆ ଜନବସତି ଗଢ଼ିଉଠିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗୋଦାମ ଭଳି ବ୍ୟବସାୟିକ ସଂସ୍ଥା ମଧ୍ୟ ବଢ଼ିଗଲାଣି। ଫଳରେ ଏହି ରାସ୍ତା ଏବେ ରାଜଧାନୀର ଏକ ଅନ୍ୟତମ ଜନଗହଳିପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି। ୨୦୦୯ ମସିହାରୁ ଏହାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା। ଫଳରେ କେବଳ ପିଚୁ ପକାଇ ମରାମତି ହେଲା ସିନା ପ୍ରଶସ୍ତୀକରଣ ହେଲା ନାହିଁ। ତେଣୁ ଦିନକୁ ଦିନ ସେହି ଅଞ୍ଚଳରେ ଜନବସତି ବଢ଼ିବାରୁ ରାସ୍ତାରେ ଟ୍ରାଫିକ୍ ବଢ଼ିଲା। ଅଣଓସାରିଆ ରାସ୍ତାରେ ଟ୍ରାଫିକ୍ ଜାମ୍‌ ଏକ ନିତିଦିନିଆ ସମସ୍ୟା ହୋଇ ଉଭା ହୋଇଛି।

ବଡ଼ କଥା ହେଉଛି ରାସ୍ତା କଡ଼ରେ ବ୍ୟବସାୟିକ ସଂସ୍ଥା ବଢ଼ିବା ଦ୍ବାରା ରାସ୍ତାର ପ୍ରସ୍ଥ ସଂକୁଚିତ ହେବାରେ ଲାଗିଛି। ବହୁ ବଜାରରେ ଲୋକେ ରାସ୍ତାକୁ ମଡ଼ାଇ ଦୋକାନ କରିବା ଦ୍ବାରା ବଜାର ଅଞ୍ଚଳରେ ରାସ୍ତା ସଂକୁଚିତ ହୋଇପଡ଼ିଛି। ଫଳରେ ମାତ୍ର ୧୪ କିମି ଏହି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏ ଲାଗୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏଥିସହିତ ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନଥିବାରୁ ରାତିରେ ଅସାମାଜିକତତ୍ତ୍ବଙ୍କ ଆଡ଼ା ଜମୁଛି। ଚୋରି, ଡକାୟତି, ଛିନ୍‌ତାଇ ଓ ରାହାଜାନୀ ଏହି ଅଞ୍ଚଳରେ ନିତିଦିନିଆ ଘଟଣା ପାଲଟିଯାଇଛି। ଏନେଇ ଆର୍‌ ଆଣ୍ଡ ବି ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରାସ୍ତା ପ୍ରଶସ୍ତୀକରଣ ଉପରେ କିଛି କହିନଥିଲେ। ତେଣୁ ଏହି ରାସ୍ତାର ଦୋହରୀକରଣ ସେମିତି ସ୍ବପ୍ନରେ ରହିଯିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଭୁବନେଶ୍ବର ଏକାମ୍ର, ଜଟଣୀ ଓ ପିପିଲି ବିଧାୟକ ନଜର ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର