ଅବସରପ୍ରାପ୍ତ ରାଷ୍ଟ୍ରଦୂତଙ୍କ ଘରୁ ଚୋରି କରି ଡ୍ରାଇଭର ଗିରଫ

ଠାକୁରଙ୍କ ଫଟୋରେ ଲାଗିଥିବା ୨୨ ସୁନାଚେନ୍ ଲୁଟିଥିଲା

ଭୁବନେଶ୍ବର: ଠାକୁରଙ୍କ ଫଟୋରେ ଭଳିକି ଭଳି ୨୨ଟି ସୁନାଚେନ୍ ଲାଗିଥିଲା। ଏକାଥରକେ ଏତେ ସୁନାଚେନ୍ ଦେଖି ଲୋଭ ସମ୍ଭାଳି ପାରିଲାନି ଡ୍ରାଇଭର। ଶେଷରେ ଠାକୁରଙ୍କ ଫଟୋରୁ ସବୁତକ ସୁନାଚେନ୍ ଗାଏବ୍ କରିଦେଲା। କିନ୍ତୁ ଚୋରି ଲୁଚି ପାରିଲା ନାହିଁ। ମାତ୍ର ଅଳ୍ପ କେତେ ଘଣ୍ଟା ଭିତରେ ଚୋରିର ପର୍ଦ୍ଦାଫାସ୍ କରିଛି ସହିଦନଗର ଥାନା ପୁଲିସ। ଚୋରି ହୋଇଥିବା ୨୨ଟି ଯାକ ସୁନା ଚେନ୍ ଉଦ୍ଧାର କରିବା ସହ ଅଭିଯୁକ୍ତ ଡ୍ରାଇଭର ଗଞ୍ଜାମର ସୁମନ ପ୍ରଧାନକୁ ପୁଲିସ ଗିରଫ କରିଛି। ସହିଦନଗରରେ ରହୁଥିବା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରେ ଘଟିଥିବା ଏହି ଚୋରି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଜବତ ହୋଇଥିବା ସୁନାଚେନ୍‌ଗୁଡ଼ିକର ଓଜନ ପ୍ରାୟ ୧୪୦ ଗ୍ରାମ ହେବ ବୋଲି ଜଣାପଡ଼ିଛି।

ତଦନ୍ତରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ଧନତେରାସରେ ଶ୍ରୀ ବେଉରିଆଙ୍କ ପତ୍ନୀ ନୂଆ ସୁନାଚେନ୍ କିଣି ଠାକୁରଙ୍କ ଫଟୋରେ ଲଗାଉଥିଲେ। ତେବେ ସୁନାଚେନ୍‌ଗୁଡ଼ିକୁ ସେ ଫଟୋରୁ କାଢ଼ୁ ନ ଥିଲେ। ଗତକାଲି ସକାଳ ସାଢ଼େ ୫ଟାରେ ଶ୍ରୀ ବେଉରିଆଙ୍କ ଠାକୁର ଘର ଖୋଲାଥିବା ନେଇ ତାଙ୍କ ପୂଜକ ତଥା ମାଳି କାମ କରୁଥିବା ପ୍ରମୋଦ ପ୍ରଧାନ ଦେଖିଥିଲେ। ଏ ସଂକ୍ରାନ୍ତରେ ସେ ତୁରନ୍ତ ଶ୍ରୀ ବେଉରିଆଙ୍କ ପତ୍ନୀଙ୍କୁ ଜଣାଇଥିଲେ। ସେ ଠାକୁର ଘରକୁ ଯାଇ ଦେଖିବା ପରେ ସେଠାରେ ୪/୫ଟି ଠାକୁରଙ୍କ ଫଟୋ ଓ ସୁନାଚେନ୍ ନ ଥିବା ଦେଖିବାକୁ ମିଳିଥିଲା। ଶ୍ରୀ ବେଉରିଆ ଏହା ଜାଣିବା ପରେ ଏ ନେଇ ପୁଲିସ କମିସନରଙ୍କୁ ଜଣାଇଥିଲେ। ପୁଲିସ କମିସନରଙ୍କଠାରୁ ନିର୍ଦ୍ଦେଶ ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, ପ୍ରମୋଦ ୧୪ ବର୍ଷ ହେଲା ସେଠାରେ କାମ କରୁଥିଲେ। କିନ୍ତୁ ଡ୍ରାଇଭର ସୁମନ ମାତ୍ର ୮ ମାସ ହେଲା ଚାକିରିରେ ଯୋଗ ଦେଇଥିଲା।

ସେହିପରି ଘରର ମୁଖ୍ୟ ଗ୍ରିଲର ୩ଟି ଚାବିରୁ ଗୋଟିଏ ଶ୍ରୀ ବେଉରିଆଙ୍କ ପାଖରେ ଏବଂ ଅନ୍ୟ ଦୁଇଟି ମାଳି ପ୍ରମୋଦ ଓ ଡ୍ରାଇଭର ସୁମନ ପାଖରେ ରହେ। ତେଣୁ ପୁଲିସ ଉଭୟଙ୍କୁ ବସାଇ ମାରାଥନ୍ ଜେରା କରିଥିଲା। ତେବେ ପ୍ରମୋଦ ପୁରୁଣା ଓ ବୟସ୍କ କର୍ମଚାରୀ ହୋଇଥିବାରୁ ପୁଲିସର ସନ୍ଦେହ ସୁମନ ଉପରେ ରହିଥିଲା। ସୁମନକୁ ଜେରା କରିବା ପରେ ସେ ସବୁ ସତକଥା ମାନି ଯାଇଥିଲା। ‌ଶେଷରେ ସେହି କ୍ୟାମ୍ପସର ଆଉଟ୍‌ହାଉସ୍‌ରେ ରହୁଥିବା ସୁମନ ଘରୁ ଏକ ପୁଡ଼ିଆରେ ବନ୍ଧା ଯାଇଥିବା ଠାକୁରଙ୍କ ଫଟୋ ଓ ସେଥିରେ ଥିବା ଚୋରି ୨୨ଟି ସୁନାଚେନକୁ ପୁଲିସ ଜବତ କରିଥିଲା। ଏହାକୁ ଶ୍ରୀ ବେଉରିଆଙ୍କୁ ହସ୍ତାନ୍ତର କରାଯାଇଥିବା ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର