ଭୁବନେଶ୍ୱର: ମଶାଙ୍କ ଉତ୍ପାତକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଗତକାଲି ଡ୍ରୋନ୍ ଜରିଆରେ ଆରମ୍ଭ ହୋଇଥିବା ମଶା ଔଷଧ ସିଞ୍ଚନ ଆଜି ଆଉ ଦୁଇ ୱାର୍ଡରେ ହୋଇଛି। ଡ୍ରୋନ୍ ଯେଉଁ ଜାଗା ମଶାଙ୍କ ଉତ୍ପତ୍ତି ସ୍ଥଳ ବୋଲି ଚିହ୍ନଟ କରୁଛି ସେଠାରେ ମଶା ଅଛନ୍ତି କି ନାହାନ୍ତି? ଔଷଧ ସ୍ପ୍ରେ ହେବା ପରେ ମଶା କେତେ ମଲେ ବା କମିଲେ? ଏ ସବୁର ହିସାବ ନଥିବା ବେଳେ ଆହୁରି ଅଧିକ ଡ୍ରୋନ୍ ଆଣିବାକୁ ବିଏମ୍ସି ଯୋଜନା କରିଛି। ଡ୍ରୋନ୍ କୌଣସି ଦୁର୍ଗମ ସ୍ଥାନରେ ଉଡ଼ୁନାହିଁ। ବରଂ ଖାଲି ଜାଗାରେ ଉଡ଼ୁଛି। ସର୍ବାଧିକ ଡ୍ରେନ୍ରେ ସ୍ଲାବ୍ ରହିଛି। ଯେଉଁଠି ସ୍ଲାବ୍ ନାହିଁ ସେଠାରେ ଶ୍ରମିକଙ୍କ ଜରିଆରେ ସ୍ପ୍ରେ ସମ୍ଭବ ହୋଇଥିଲେ ମଧ୍ୟ ବିଏମ୍ସି ଡ୍ରୋନ୍ ଉଡ଼ାଉଛି। କିନ୍ତୁ ସହରରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି ବର୍ଷ ବର୍ଷ ଧରି ପାଣି ଜମା ହୋଇରହୁଛି ଏବଂ ବ୍ୟବହାର ହେଉନାହିଁ। ଏଣୁ ମଶାଙ୍କ ବଂଶବୃଦ୍ଧି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ ହୋଇଛି। ହେଲେ ବିଏମ୍ସି ଏହାକୁ ନଜର ଦେଇନାହିଁ। ବରଂ ଆକାଶମାର୍ଗରେ ଔଷଧ ଛିଞ୍ଚି ଏହି ପ୍ରସଙ୍ଗ ଉପରୁ ନଜର ହଟାଇ ଦେବାକୁ ଷଡ଼୍ଯନ୍ତ୍ର କରିଛି।
ଆଜି ଦୁଇ ୱାର୍ଡରେ ଉଡ଼ିଲା
୧୦ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ଅଫିସର
ଦୀର୍ଘ ଦିନ ଧରି ପାଣି ଜମି ରହିଲେ ସେଠାରୁ ମଶା ସୃଷ୍ଟି ହୋଇଥାନ୍ତି। ୧୨୦ ବାଟାଲିୟନ ପରିସରରେ ଶାସ୍ତ୍ରୀନଗର ପାର୍ଶ୍ବକୁ ଏଭଳି ଏକ ଜାଗା ରହିଛି। ଯେଉଁଠି ୨୦ରୁ ୩୦ ଫୁଟ୍ ପର୍ଯ୍ୟନ୍ତ ଖାଲରେ ପାଣି ଜମିଛି। ପଡ଼ିଆର ଗୋଟିଏ ପାର୍ଶ୍ବରେ ରହିଥିବା ଏବଂ ସନ୍ତସନ୍ତିଆ ହୋଇଥିବାରୁ ଏଠାରେ ମଶାଙ୍କ ବଂଶ ବୃଦ୍ଧି ହେବା ଆଶଙ୍କା ରହିଛି। ଏହି ଅଞ୍ଚଳରେ ପ୍ରବଳ ମଶା ହେଉଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ହେଲେ ବିଏମ୍ସି ଏହାକୁ ନଜର ଦେଇନାହିଁ। ଶୁଖିଲା ଜାଗାରେ ଡ୍ରୋନ୍ ଉଡ଼ାଇ ପ୍ରହସନ କରୁଥିବା ଅଭିଯୋଗ ହୋଇଛି। ଏହି ଗୋଟିଏ ଜାଗା ନୁହେଁ, ଏଭଳି ଅନେକ ଘରୋଇ ଜାଗା ମଧ୍ୟ ରହିଛି ଯେଉଁଠି ପାଣି ଜମା ହେବାରୁ ମଶାଙ୍କ ବଂଶ ବୃଦ୍ଧି ହେଉଛି।
ଅନ୍ୟପଟେ ଗତ ଅଗଷ୍ଟ ମାସରୁ ଅର୍ଦ୍ଧାଧିକ ୱାର୍ଡରେ ଡ୍ରେନ୍ ସଫା ହୋଇନାହିଁ। ନୂଆ ପ୍ୟାକେଜ୍ ବ୍ୟବସ୍ଥାରେ ଅଗଷ୍ଟ ମାସରୁ ନୂଆ ସଂସ୍ଥା ସଫେଇ ଦାୟିତ୍ବ ନେଇଛନ୍ତି। ଏକାଧିକ ସଂସ୍ଥା ରାସ୍ତାଘାଟ ସଫେଇ କରିବାକୁ ସମର୍ଥ ହୋଇ ନଥିବାରୁ ବିଏମ୍ସି ଗାଡ଼ି ଯୋଗାଇ ସେମାନଙ୍କୁ ସହଯୋଗ କରୁଛି। ଏଣୁ ସେମାନେ ନଳା ସଫା ଓ ବୁଦା କଟା କାମ କରୁନାହାନ୍ତି। ଫଳରେ ପାଖାପାଖି ୩୮ଟି ୱାର୍ଡରେ ଏହି କାମ ହୋଇପାରୁନାହିଁ। ଏଣୁ ଏହା ମଶାଙ୍କ ବଂଶ ବଢ଼ିବା ପଛର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।
ମଶା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନ ଉଠିଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଓ ତାଙ୍କ ଅଧସ୍ତନ କର୍ମଚାରୀମାନେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାମ କରୁଛନ୍ତି। ବିଏମ୍ସି ପରିମଳ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ରିପୋର୍ଟ କରୁଛନ୍ତି। ବିଏମ୍ସି ମଶା ଦମନ ପାଇଁ ବ୍ୟବହାର କରୁଥିବା ଔଷଧ ନିଜେ କିଣୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମଶା ତେଲ ଯୋଗାଉଛି। ବିଏମ୍ସି ଓ ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ନଥିବାରୁ ଏହି ବ୍ୟବସ୍ଥାରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କଙ୍କଡ଼ାକୁ ଗୋଳି ପାଣି ଭଳି ହୋଇଛି। ଏଠାରେ ଜଣେ ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ୧୦ ବର୍ଷ ଧରି ଗାଦି ମାଡ଼ିବସିଥିବା ବେଳେ ୩୦ରୁ ୪୦ କର୍ମଚାରୀ ବର୍ଷ ବର୍ଷ ଧରି ଅଫିସ ଆସୁନାହାନ୍ତି, କିନ୍ତୁ ଦରମା ନେଉଛନ୍ତି। ଏଭଳି ବିଶୃଙ୍ଖଳା ଭିତରେ ମଶା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି।
ଆଜି ୭ ଓ ୮ ନମ୍ବର ୱାର୍ଡରେ ଔଷଧ ସ୍ପ୍ରେ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ଆହୁରି ଦୁଇଟି ୱାର୍ଡରେ ହେବ ବୋଲି ଯୋଜନା ହୋଇଛି। ଖୁବ୍ଶୀଘ୍ର ଆଉ ଗୋଟିଏ ମେସିନ୍ ଆସିବ ଓ ଗୋଟିଏ ସମୟରେ ଏକାଧିକ ସ୍ଥାନରେ ଔଷଧ ଛିଞ୍ଚିବାକୁ ବ୍ୟବସ୍ଥା କରାଯାଉଥିବା ବିଏମ୍ସି କହିଛି।
ମଶା ନିୟନ୍ତ୍ରଣ ନହେଲେ ଆନ୍ଦୋଳନ
ଭୁବନେଶ୍ୱର: ରାଜଧାନୀର ଅନ୍ୟ ଅଞ୍ଚଳ ଅପେକ୍ଷା ୱାର୍ଡ ନମ୍ବର ୪୪ରେ ମଶାଙ୍କ ସାନ୍ଦ୍ରତା ଢେର୍ ଅଧିକ। କିନ୍ତୁ ଏହାକୁ ନେଇ ବିଏମ୍ସି ଯେତିକି ତତ୍ପରତା ଦେଖାଇବା କଥା, ଦେଖାଉନାହିଁ। ତେଣୁ ଏଠାରେ ମଶା ନିୟନ୍ତ୍ରଣ ପାଇଁ ଶୀଘ୍ର ପଦକ୍ଷେପ ନିଆ ନଗଲେ, ବଡ଼ଗଡ଼ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସଂଗ୍ରାମ ମାର୍ଥାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଅତିରିକ୍ତ କମିସନର୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଦାବିପତ୍ର ଦେଇଛନ୍ତି। ମଶାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ବିଏମ୍ସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁ। ମଶାଙ୍କ ସଂଖ୍ୟା ବଢ଼ୁଥିବାରୁ ଟୁବି ଗାଡ଼ିଆ, ନୂଆସାହି ପୋଖରୀ ଓ ଗୋପାଳୁଣୀ ଗାଡ଼ିଆ ଆଦିକୁ ଦଳମୁକ୍ତ କରାଯାଉ।
ବଡ଼ଗଡ଼ ଗ୍ରାମ, ବ୍ରିଟ୍ କଲୋନି, ଇଏ କଲୋନି, ମେଘେଶ୍ବର କଲୋନି ଓ ପତିତପାବନ ନଗରରେ ଥିବା ନାଳ, ନର୍ଦ୍ଦମା ଓ ପୋଖରୀ ପରିଷ୍କାର କରି ଔଷଧ ପକାଯାଉ। ୪୪ ନମ୍ବର ୱାର୍ଡରେ ମଶାଙ୍କ ସାନ୍ଦ୍ରତା ସର୍ବାଧିକ ଥିବାରୁ ଏହି ଅଞ୍ଚଳକୁ ରାଜ୍ୟ ସରକାରଙ୍କ ଏକ ଅଭିଜ୍ଞ ଚିକିତ୍ସକ ଦଳ ଆସି ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁ ଇତ୍ୟାଦି ପାଇଁ ନମୁନା ପରୀକ୍ଷା ସହ ସ୍ବାସ୍ଥ୍ୟ ପରୀକ୍ଷା କରୁ। ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ସଫେଇ ଗାଡ଼ି ବିଭିନ୍ନ ସ୍ଥାନରେ ଆବର୍ଜନା ଜମା କରୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତେଣୁ ସେଠାରେ ପ୍ରତ୍ୟହ ଧୂଆଁ ଦିଆଯିବା ସହ ମଶା ତେଲ, ବ୍ଲିଚିଂ ପାଉଡର୍ ପକାଯାଉ। ଏହାସହ ଗାଁରେ ଥିବା ସମସ୍ତ କୂଅ ପୋଖରୀ ଏବଂ ଡ୍ରେନ୍ରେ ମଶାଲାର୍ଭା ଖାଉଥିବା ମାଛ ଛଡ଼ାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।