ଖଣ୍ଡଗିରି: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍ଏଚ୍ବି) ପକ୍ଷରୁ ଡୁମଡୁମା ଫେଜ୍-୭ରେ ନିର୍ମିତ ହେଉଥିବା ଆପାର୍ଟମେଣ୍ଟ ଗ୍ରାହକଙ୍କ ଦୁଃଖ ସରୁନି। ନିର୍ଧାରିତ ସମୟରେ ସବୁ ଟଙ୍କା ପୈଠ ପରେ ବି ସେମାନଙ୍କୁ ଘର ହସ୍ତାନ୍ତର ହେଉନାହିଁ। ଥରେ କି ଦୁଇଥର ନୁହେଁ, ଚାରି ଚାରିଥର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଓଏସ୍ଏଚ୍ବି ସେମାନଙ୍କୁ ଘର ହସ୍ତାନ୍ତର କରୁନାହିଁ। ଓଲଟି, ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଉଥିବା ଆଳ ଦେଖାଇ ଆହୁରି ଟଙ୍କା ପୈଠ ପାଇଁ ଦାବି କରୁଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗ୍ରାହକମାନେ ପୁଣିଥରେ ହାଉସିଂବୋର୍ଡ ଅଫିସ୍ ଘେରାଉ କିରବା ସହ ବଡ଼ଧରଣର ବିକ୍ଷୋଭ କରିବାକୁ ସଜବାଜ ହେଉଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆୟ ଅନୁଯାୟୀ ୩ଟି ବର୍ଗରେ ଫ୍ଲାଟ୍ ଯଥା ଏମ୍ଆଇଜି, ଏଲ୍ଆଇଜି ଓ ଇଡବ୍ଲୁଏସ୍ ଘର ଯୋଗାଇଦେବା ପାଇଁ ଡୁମୁଡୁମା ଫେଜ୍-୭ରେ ଓଏସ୍ଏଚ୍ବି ଏକ ହାଉସିଂ ପ୍ରକଳ୍ପ କରିଥିଲା। ୨୦୧୫ ଡିସେମ୍ବରରେ ଏନେଇ ଓଏସ୍ଏଚ୍ବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଲ୍ଆଇଜି ପାଇଁ ୧୬ଲକ୍ଷ, ଏମ୍ଆଇଜି ପାଇଁ ୩୪ଲକ୍ଷ ଏବଂ ଇଡବ୍ଲ୍ୟୁଏସ୍ ପାଇଁ ସାଢ଼େ ୭ଲକ୍ଷ ଟଙ୍କା ଗ୍ରାହକମାନେ ଦେଇଥିଲେ। ୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ସେମାନଙ୍କୁ ଫ୍ଲାଟ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ୨୦୨୨ ଫେବ୍ରୁଆରି ଅଧା ହୋଇଥିଲେ ହେଁ ସେମାନଙ୍କୁ ଘର ଦିଆଗଲା ନାହିଁ।
ଏନେଇ ଗ୍ରାହକମାନେ କେତେଥର ଯେ ହାଉସିଂବୋର୍ଡ ପାଖରେ ଅନୁରୋଧ, ଆନ୍ଦୋଳନ ଏବଂ ହଙ୍ଗାମା କରିଛନ୍ତି ତା’ର ଠିକଣା ନାହିଁ। କିନ୍ତୁ ପ୍ରତିଥର ହାଉସିଂବୋର୍ଡ କର୍ତ୍ତୃପକ୍ଷ ସେମାନଙ୍କୁ ଫ୍ଲାଟ୍ ଦେବା ପାଇଁ ଗୋଟିଏ ନୂତନ ତାରିଖ ଦେଇ ଭଣ୍ଡେଇ ଚାଲିଛନ୍ତି। ଶେଷଥର ୨୦୨୧ ମସିହା ଡିସେମ୍ବର ୨୫ ତାରିଖ ସୁଦ୍ଧା ଫ୍ଲାଟ୍ ଦିଆଯିବା ପାଇଁ କୁହାଯାଇଥିଲା। ତାହା ତ ହେଲା ନାହିଁ, କିନ୍ତୁ କରୋନା ଯୋଗୁଁ ଫ୍ଲାଟ୍ ନିର୍ମାଣ ଖର୍ଚ ବଢ଼ି ଯାଇଥିବାରୁ ଏଲଆଇଜି ଗ୍ରାହକଙ୍କୁ ୩୪ ହଜାର ଏବଂ ଏମ୍ଆଇଜିଙ୍କୁ ୬୦ ହଜାର ଟଙ୍କା ସହିତ ପାର୍କିଂ ବାବଦରେ ଆହୁରି ଟଙ୍କା ଦାଖଲ ପାଇଁ କୁହାଯାଇଛି। ଶୀଘ୍ର ଘର ମିଳିଯିବା ଆଶାରେ କିଛି ଗ୍ରାହକ ଆଗପଛ ବିଚାର ନ କରି ଟଙ୍କା ପୈଠ କରିଦେଇଥିବା ବେଳେ ଆଉ କିଛି ଗ୍ରାହକ ଏଥିରେ ରାଜି ହେଉନାହାନ୍ତି କି ଟଙ୍କା ଦେବେ ନାହିଁ ବୋଲି ରୋକଠୋକ୍ ମନା କରୁଛନ୍ତି। ହାଉସିଂବୋର୍ଡର ଖାମଖିଆଲି ପାଇଁ ଆମେ କାହିଁକି ଟଙ୍କା ଦେବୁ ବୋଲି କହିଛନ୍ତି।
ପ୍ରଥମତଃ କରୋନା ପୂର୍ବରୁ ଅର୍ଥାତ୍ ୨୦୧୯ ମସିହାରୁ ସେମାନଙ୍କୁ ଫ୍ଲାଟ ହସ୍ତାନ୍ତରିତ କରାଯିବା ପାଇଁ କୁହାଯାଇଥିଲା। ଆରମ୍ଭରୁ ହିଁ ହାଉସିଂବୋର୍ଡ ନିର୍ମାଣରେ ବିଳମ୍ବ କରିଛି, ତେଣୁ ହାଉସିଂବୋର୍ଡର ଭୁଲ ପାଇଁ ଗ୍ରାହକ କାହିଁକି ଜରିମାନା ଦେବେ ବୋଲି କହିଛନ୍ତି। ଦ୍ବିତୀୟରେ ବର୍ତ୍ତମାନ ସୁଦ୍ଧା ଏଲ୍ଆଇଜି ଏବଂ ଏମ୍ଆଇଜି ଫ୍ଲାଟ୍ ପାଇଁ ରାସ୍ତାନିର୍ମାଣ, ଲିଫ୍ଟ ବ୍ୟବସ୍ଥା ହୋଇପାରିନାହିଁ। ଟ୍ରାନ୍ସଫର୍ମର୍ ପାଇଁ ଡିଜି ସେଣ୍ଟର୍ ମଧ୍ୟ କ୍ରୟ ହୋଇନାହିଁ। ଯେଉଁଭଳି ଭାବେ ଆଜି ପର୍ଯ୍ୟନ୍ତ ହାଉସିଂବୋର୍ଡ ସେମାନଙ୍କୁ ଭୁଆଁ ବୁଲାଇ ଚାଲିଛି, ଆଗାମୀ ଦିନରେ ଟଙ୍କା ଦେବା ପରେ ମଧ୍ୟ ଫ୍ଲାଟ୍ ନ ମିଳିଲେ ସେମାନଙ୍କ କ୍ଷତି ଆହୁରି ବଢ଼ିବ। ଅନ୍ୟପକ୍ଷରେ ଇଡବ୍ଲୁଏସ୍ ପାଇଁ ନିର୍ମାଣ ହେବାକୁ ଥିବା ୪ଟି କୋଠାରୁ କେବଳ ଗୋଟିଏ କୋଠା ହିଁ ନିର୍ମାଣ ହୋଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଛି। ଗ୍ରାହକଙ୍କ ପ୍ରତି ହାଉସିଂବୋର୍ଡର ଏଭଳି ଲାଭଖୋର୍ ମନୋବୃତ୍ତି ଯୋଗୁଁ ତା’ର ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।