ଜୋର୍‌ଦାର ବିରୋଧ ସତ୍ତ୍ବେ, ଭଙ୍ଗା ହେଲା ଦୁର୍ଗାପୂଜା ମଣ୍ଡପ

ଧଉଳି: ବ୍ୟବସାୟୀ ସଂଘର ଦୃଢ଼ ପ୍ରତିବାଦ ସତ୍ତ୍ବେ ଆଜି ଧଉଳି ଥାନା ନୂଆଗାଁ ବଜାରର ଦୁର୍ଗାପୂଜା ମଣ୍ଡପକୁ ଭାଙ୍ଗି ଦିଆଯାଇଛି। ଭୁବନେଶ୍ବର ତହସିଲ୍ କର୍ତ୍ତୃପକ୍ଷ ବଜାର କମିଟିର ପ୍ରତିରୋଧ ଓ ଅନୁରୋଧକୁ କର୍ଣ୍ଣପାତ ନକରି ଜୋରଜବରଦସ୍ତ ଉକ୍ତ ପୂଜା ମଣ୍ଡପକୁ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି ମଣ୍ଡପକୁ ଭଙ୍ଗା ଯାଇଛି ବୋଲି ତହସିଲ୍ କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ବି ବ୍ୟବସାୟୀ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ବଜାର କମିଟି ଅଭିଯୋଗ ଅନୁସାରେ ଦୀର୍ଘ ୨୦ ବର୍ଷ ଧରି ଏହି ମଣ୍ଡପରେ ଦୁର୍ଗାପୂଜା ଚାଲିଥିଲା। କାଳୀପୂଜା ପାଇଁ ବଜାର କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ହଠାତ୍ ତହସିଲ୍ କର୍ତ୍ତୃପକ୍ଷ ଏହି ମଣ୍ଡପକୁ ବେଆଇନ ଦର୍ଶାଇଲେ। ଆଜି ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ସୁଜାତା ମହାରଣା ପ୍ରମୁଖ ପୁଲିସ ଫୋର୍ସ ନେଇ ସେଠାରେ ପହଞ୍ଚିଥିଲେ। ବ୍ୟବସାୟୀ କମିଟି ସହ ଆଲୋଚନା ନକରି ହଠାତ୍‌ ପୂଜାମଣ୍ଡପ ଭଙ୍ଗାଯିବା ନିଷ୍ପତ୍ତି ସଂପୂର୍ଣ୍ଣ ବେଆଇନ ବୋଲି କହି ସେମାନେ ବିରୋଧ କରିଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁବିଧା ଦୃଷ୍ଟିରୁ ଉକ୍ତ ପୂଜା ମଣ୍ଡପକୁ ଉଚ୍ଛେଦ କରିବାକୁ ଷଡ୍‌ଯନ୍ତ୍ର ହୋଇଛି ବୋଲି ବ୍ୟବସାୟୀ ସଂଘ ଅଭିଯୋଗ କରିଥିଲା। ତେବେ ଶେଷରେ ପୁଲିସ ବଳ ପ୍ରୟୋଗ କରିବାକୁ ବାହାରିବାରୁ ପୂଜାକମିଟି ସଦସ୍ୟମାନେ ହତାଶ ହୋଇ ସେଠାରୁ ଚାଲି ଯାଇଥିଲେ। ପରେ ବୁଲ୍‌ଡୋଜର ଲଗାଇ ମଣ୍ଡପକୁ ଭାଙ୍ଗି ଦିଆଯାଇଥିଲା। ଏଥିସହିତ ସେଠାରେ ଥିବା ଏକ କ୍ୟାବିନ୍‌କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ଏସଂପର୍କରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ କହିବା କଥା ସ୍ଥାନୀୟ ଲୋକମାନେ ମଣ୍ଡପ ଉଚ୍ଛେଦ ପାଇଁ ଦୀର୍ଘ ଦିନ ହେଲା ଅଭିଯୋଗ କରି ଆସୁଥିଲେ। ତେଣୁ ଜନସାଧାରଣଙ୍କ ସୁବିଧା ପାଇଁ ଏହି ବେଆଇନ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର