ଦୂତିଙ୍କ ଚରିତ୍ର ସଂହାର ଘଟଣା: ମନ୍ତ୍ରୀ ଓ ବିଧାୟଙ୍କ ନାଁରେ ଜାଲିଆତିର ଗୁମର ଖୋଲୁଛି

ସରିଲା ରିମାଣ୍ଡ, ଜେଲ୍‌ ଗଲେ ସୁଧାଂଶୁ

ଭୁବନେଶ୍ବର: କେତେବେଳେ ମନ୍ତ୍ରୀଙ୍କ ପ୍ୟାଡ୍‌ ତ କେତେବେଳେ ବିଧାୟକଙ୍କ ଜାଲ୍‌ ଦସ୍ତଖତ। ଏମିତି ଠକାମି କରି ରୋଜଗାର କରୁଥିଲା ଲକ୍ଷ ଲକ୍ଷ ଟଙ୍କା। ଲୋକମାନଙ୍କ ମନରେ ବିଶ୍ବାସ ସୃଷ୍ଟି ପାଇଁ ମନ୍ତ୍ରୀ, ବିଧାୟକ ଏବଂ ରାଜନେତାଙ୍କ ସହ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ଛାଡ଼ୁଥିଲା। ଆଉ ବିସ୍ତାର କରିଥିଲା ନିଜର ଠକାମିର ସାମ୍ରାଜ୍ୟ। ୱେବ୍‌ ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରି ଗିରଫ ହୋଇଥିବା ୱେବ୍‌ ଚ୍ୟାନେଲ୍‌ ସମ୍ପାଦକ ସୁଧାଂଶୁ ରାଉତଙ୍କ ଠକାମିର ଗୋଟିଏ ପରେ ‌ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଅନ୍ୟପଟେ ସୋମବାର ସୁଧାଂଶୁଙ୍କୁ କମିସନରେଟ୍‌ ପୁଲିସ ରିମାଣ୍ଡରେ ଆଣିଥିବା ବେଳେ ଆଜି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଜେରା ବେଳେ ତାଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ଛାଡ଼ିନଥିଲା ସୁଧାଂଶୁ। ଆଇଓସିଏଲ୍‌ରେ ନିଯୁକ୍ତି ବାହାରିଥିବା ନେଇ ଏକ ଜାଲ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲା।

କେଉଁ ପଦବିରେ କେତେ ଖାଲି ଅଛି, କେଉଁ ପଦବିରେ କାହାକୁ ନିଯୁକ୍ତି ଦିଆଯିବ, ସେ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଜାଲ୍‌ ଦସ୍ତଖତ ଥିବା ଡକ୍ୟୁମେଣ୍ଟକୁ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଥିଲା। ଏଥିରେ ୮ଜଣଙ୍କୁ ନିଯୁକ୍ତି କରାଇଦେବ ବୋଲି କହିଥିଲା। ଏଥିପାଇଁ ଜଣଙ୍କ ପିଛା ଏକ ଲକ୍ଷ ଟଙ୍କା ନେଇଥିଲା। ଯାଜପୁର ଜିଲ୍ଲାର କ୍ଷୀରୋଦ ଚନ୍ଦ୍ର ଜେନାଙ୍କଠାରୁ ଟଙ୍କା ନେବାରା ୧୫ଦିନ ମଧ୍ୟରେ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ କ୍ଷୀରୋଦଙ୍କୁ ନିଯୁକ୍ତି ନମିଳିବାରୁ ସେ ଯୋଗାଯୋଗ କରିଥିଲେ। ଏହା ସମ୍ପୂର୍ଣ୍ଣ ଜାଲିଆତି ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ କହିଥିଲେ। ତେବେ ସୁଧାଂଶୁ ତାଙ୍କୁ ମାତ୍ର ୧୦ହଜାର ଟଙ୍କା ଫେରାଇ ଥିବାବେଳେ ବାକି ଟଙ୍କା ଏଯାଏଁ ଫେରସ୍ତ କରିନଥିବା କ୍ଷୀରୋଦ କହିଛନ୍ତି।

ଖାଲି ଏତିକି ନୁହେଁ; ୨୦୧୯ରେ ବି ସେ ଜାଲିଆତି କରି ଯାଜପୁର ପୌର ପରିଷଦରୁ ୨୬ଲକ୍ଷ ଟଙ୍କାର ଏକ କାମ ପାଇଥିବାର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ ରଖାଯାଇଥିଲା। ଏହାପରେ ଚଞ୍ଚକତା କରି ସରୋଜ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କାରେ କାମ ବିକ୍ରି କରିଥିଲା। ସରୋଜ କାମ ପାଇଁ ପୌରପରିଷଦ ଯାଇ ଯାଞ୍ଚ କରିଥିଲେ। ହେଲେ ଏଭଳି କିଛି କାମର ଟେଣ୍ଡର ହୋଇନଥିବା କର୍ତ୍ତୃପକ୍ଷ କହିଥିଲେ। ଏହା ଜାଲ୍‌ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର