ଇ-ପ୍ରକାଶନ ହେଲା ସାହିତ୍ୟ ପତ୍ରିକା ‘ଭେତ୍ତ୍ରତ୍ବା’ ଭାଷା, ଭାବନା ଓ ଚିନ୍ତାଧାରାର ସମାହାର ହେଉଛି ସାହିତ୍ୟ

ଭୁବନେଶ୍ବର: ଭାଷା, ଭାବନା ଓ ଚିନ୍ତାଧାରାର ସମାହାର ହେଉଛି ସାହିତ୍ୟ। ମାତୃଭାଷାର ମହତ୍ତ୍ବ ରଖିବା ଓ ଏହାର ମୂଲ୍ୟବୋଧ ବିଷୟରେ ବିଚାର କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ। ସୃଜନଶୀଳ ରଚନା ପାଇଁ ସାମୂହିକ ଲକ୍ଷ୍ୟ ଓ ସଙ୍କଳ୍ପ ଉପରେ ବିଶେଷ ଗୁରୁତ୍ବାରୋପ ଆବଶ୍ୟକ। ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଡିଏସ୍‌ବିଏମ୍(ଡିଏଭି ସ୍କୁଲ୍ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍)ର ସାହିତ୍ୟିକ ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ମତ ରଖିିଛନ୍ତି। ଡିଏସ୍‌ବିଏମ୍ ସାହିତ୍ୟ କ୍ଲବ୍‌ର ‘ଭେତ୍ତ୍ରତ୍ବା’(VETTRTVA) ସାହିତ୍ୟ ପତ୍ରିକାର ଇ-ପ୍ରକାଶନ ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଥିଲେ। ଆମେରିକା ଓ ଜାପାନର ପରିଚାଳନା ଶୈଳୀରୁ ପାରିବାରିକ ମୂଲ୍ୟବୋଧ, ନୈତିକତା ଓ ସଂସ୍କୃତିରୁ ଶିଖିବା ପାଇଁ ସେ ଉପଦେଶ ଦେବା ଛଳରେ ପିତାମାତାଙ୍କୁ ଇଶ୍ବରଙ୍କ ପ୍ରତିନିଧି ଭାବରେ ବିବେଚନା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

ସାହିତ୍ୟର ମହତ୍ତ୍ବକୁ ପାଳନ କରିବା ଏବଂ ସୃଜନଶୀଳତା ଲେଖା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ପାଇଁ ଆଜି ୟୁନିଟ୍-୮ ସ୍ଥିତ ଡିଏସ୍‌ବିଏମ୍‌ ପକ୍ଷରୁ ଅନ୍‌ଲାଇନ୍ ଜୁମ୍ ଆପ୍‌ରେ ଏହି ୱେବିନାର୍‌ ଆୟୋଜନ କରାଯାଇଥିଲା। ମ୍ୟାନେଜମେଣ୍ଟ୍‌ର ସାହିତ୍ୟ କ୍ଲବ୍‌ ପକ୍ଷରୁ ଏହି ସାହିତ୍ୟ ପତ୍ରିକା ଭେତ୍ତ୍ରତ୍ବା ପ୍ରକାଶିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ କବିତା, ଗଦ୍ୟ ଓ ଚିତ୍ରକଳାକୁ ନେଇ ରଚନା କରିଥିବା ସାହିତ୍ୟକୁ ଏହି ମଞ୍ଚରେ ଉପସ୍ଥାପନା କରିଥିଲେ। ଚିତ୍ରକଳାକୁ ନେଇ ସାହିତ୍ୟ ରଚନା ସୌମ୍ୟରଂଜନ ପଟ୍ଟନାୟକଙ୍କ ମନକୁ ଛୁଇଁଥିଲା ଓ ସେ ଏହାକୁ ବେଶ୍ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡିଏନ୍ ମିଶ୍ର ପିଲାଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଥିଲେ। ଇଂରାଜୀ ଓ ସଫ୍ଟସ୍କିଲ୍‌ର ଅଧ୍ୟାପକ ଅଂଶୁମାନ ମହାନ୍ତି ୱେବିନାର୍‌କୁ ପରିଚାଳନା କରିଥିଲେ। ଭେତ୍ତ୍ରତ୍ବା ସାହିତ୍ୟ ପତ୍ରିକାର ଛାତ୍ରୀ ସଂପାଦିକା ଶ୍ବେତା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ବରେଣ୍ୟା କର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର